Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରମନ୍ତ୍ରୀଙ୍କ ବେଲଗୁଣ୍ଠା ଗସ୍ତକୁ ଯୁବ ବିଜେଡି ନେତାଙ୍କ ବିରୋଧ

ବେଲଗୁଣ୍ଠା: ଆଜି କେନ୍ଦ୍ର ରେଳ ଏବଂ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜାର୍ଦ୍ଦୋଶ ବେଲଗୁଣ୍ଠା ଗସ୍ତରେ ଆସିଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ଯୂବ ବିଜେଡ଼ି ନେତା ତଥା ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ ଏବଂ ତାଙ୍କ ସମର୍ଥକ  ପଞ୍ଚାନନ କହିଛନ୍ତି ଯେ ରାଜ୍ୟରେ ଏକମାତ୍ର ଦଳ ଭାବେ ବିଜେଡ଼ି ଲୋକଙ୍କ ସେବା ଜାରି ରଖିଥିବା ବେଳେ ବିଜେପି କେବଳ ଲୋକଙ୍କୁ ଭୁଆଁ ବୁଲାଇବାରେ ବ୍ୟସ୍ତ। ବିଜେପିର ସମସ୍ତ ମନ୍ତ୍ରୀ କେବଳ ବାହାସ୍ଫୋଟ ମାରିବା ବ୍ୟତୀତ ଆଉ କିଛି ଜାଣି ନାହାଁନ୍ତି । ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପ୍ରଚେଷ୍ଟାରେ ହିଁ ଓଡ଼ିଶା ସମେତ ବେଲଗୁଣ୍ଠା ବ୍ଲକ୍ ରେ ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିଥିବା ବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ କିମ୍ବା ବିଜେପି ଦଳର କୌଣସି ଭୂମିକା ନଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାନନ। ବିଜେଡ଼ି ଲୋକଙ୍କ ସେବାରେ ରହିଥିବା ବେଳେ ବିଜେପି ବିଭିନ୍ନ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ଅଭ୍ୟସ୍ତ ହୋଇଯାଇଛି ବୋଲି ପଞ୍ଚାନନ ପ୍ରକାଶ କରିବା ସହିତ କେନ୍ଦ୍ର ମନ୍ତ୍ରୀ ପ୍ରଥମେ ଲୋକଙ୍କ ହିତ ପାଇଁ କିଛି କାର୍ଯ୍ୟକରି ପରେ ସଙ୍ଗଠନ ସଜାଡିବାକୁ ଆସନ୍ତୁ ନଚେତ୍ ଏଠାରୁ ଫେରି ଯାଆନ୍ତୁ ବୋଲି ଶ୍ରୀ ନାୟକ କହିଥିଲେ। ଏହା ସହିତ ଶ୍ରୀ ନାୟକ କହିଥିଲେ ଯେ ଆଗାମୀ ନିର୍ବାଚନରେ ମଧ୍ୟ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ଏବଂ ବିଜେଡ଼ି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବ। ଏହା ସହିତ ଆଜି ପଞ୍ଚାନନ ନିଜର ପ୍ରଶଂସକଙ୍କ ସହିତ କେନ୍ଦ୍ର ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବାକୁ ଯୋଜନା କରୁ୍ଥିବା ବେଳେ ସ୍ଥାନୀୟ ପୋଲିସ୍ ଏହା ଜାଣିପାରି ଯୋଜନାକୁ ପଣ୍ଡ କରିଦେଇଥିଲା। ତେବେ ପଞ୍ଚାନନଙ୍କ କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରିବା ଘଟଣା ବେଲଗୁଣ୍ଠା ବିଜେପି ଶିବିରକୁ ଦୋହଲାଇ ଦେଇଛି।