Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆପାଲି ଭୀମଭୋଇ ପୀଠରେ ଆସନ୍ତା ୯ ରୁ ୧୩ ପର୍ଯ୍ୟନ୍ତ ମାଘମେଳା ଯାତ୍ରା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଭୀମଭୋଇ ସମାଧୀପୀଠ ଖଲିଆପାଲି ଠାରେ ଫେବୃୟାରୀ ୯ ରୁ ୧୩ ପର୍ଯ୍ୟନ୍ତ ପାଞ୍ଚ ଦିନ ପର୍ଯ୍ୟନ୍ତ ମାଘ ମେଳା ୨୦୨୫ ଅନୁଷ୍ଠିତ ହେବ। ଚଳିତ ମାଘ ମେଳାକୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗରେ ବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ସୋନପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ଼.ସୌମ୍ୟାରୂପା ରଥଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହେବାକୁ ଥିବା ମାଘ ମେଳା କାର୍ଯ୍ୟସୂଚୀର ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ଉପସ୍ଥିତି ସମ୍ପୃକ୍ତ ସରକାରୀ ଅଧିକାରୀ ଓ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟର ସଦସ୍ୟ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ନିଜ ନିଜର ଦାୟିତ୍ୱ କୁ ମେଳା ପୂର୍ବରୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷ ଭାବେ ମେଳା ପରିସରରେ ସଫାସୁତରା ସହ ଆବଶ୍ୟକ ମୁତାବକ ଅସ୍ଥାୟୀ ଟୟଲେଟ, ନିୟମିତ ବିଦ୍ୟୁତ ସରବରାହସହ ଆବଶ୍ୟକ ବିଶେଷ ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ସମ୍ବର୍ଦ୍ଧନା ସଭା ଆୟୋଜନ, ପାନୀୟ ଜଳର ସୁବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରଭୁତି ଉପରେ ଆଲୋଚନା କରାଯାଇଥିଲା। ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଜନ୍ମେଜୟ ସ୍ୱାଇଁ ମେଳାର ବିଭିନ୍ନ କାର୍ଯ୍ୟ ଖସଡ଼ାର ଆଲୋକପାତ କରିଥିଲେ। ବୈଠକରେ ପୀଠର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଉପ ଆରକ୍ଷୀ ଅଧିକାରୀ ପ୍ରତାପ ଚନ୍ଦ୍ର ରଣା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ରମେଶ ଚନ୍ଦ୍ର ସ୍ୱାଇଁ ସମେତ ପୀଠଧିଷ ବାବା ସନ୍ୟାସୀ ଦାସ, ଅବକାରୀ ଅଧିକ୍ଷକ ସୁବର୍ଣ୍ଣପୁର, ନିର୍ବାହୀ ଯନ୍ତ୍ରୀ ଆରଡବ୍ଲୁଏସଏସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଆଇଆଇସି ଲଛିପୁର, ଆସିଷ୍ଟାଣ୍ଟ ଫାୟାର ଅଫିସର, ବିଡିଓ ସୋନପୁର ବ୍ଲକ, ତହସିଲଦାର ସୋନପୁର, ନିର୍ବାହୀ ଅଧିକାରୀ ଟିପିଡବ୍ଲୁଓଡିଏଲ ସହ ଖଲିଆପାଲି ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ତଥା ମେଳା କମିଟି ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।