Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଦଳୀପାଲି ରେ ବହୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଠାରେ ଥିବା ବସୁଧା ପ୍ରକଳ୍ପ ଲୋକଙ୍କ କାମରେ ଲାଗୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ ସ୍ଥାନରେ ଓଭରହେଡ ପାଣିଟାଙ୍କି ନିର୍ମାଣ ସହ ପାଣି ଟେପ୍ ନିର୍ମାଣ ହୋଇଛି । ହେଲେ ଗତ ୧ମାସରୁ ଅଧିକ ହେଲା ତାହା ଅଚଳ ହୋଇପଡ଼ିରହିଛି । ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ପ୍ରକଳ୍ପ ଉପରେ ୫୦୦ ରୁ ଉର୍ଦ୍ଧ୍ବ ପରିବାର ନିର୍ଭର କରିଥାନ୍ତି । ପ୍ରକଳ୍ପଟି ଅଚଳ ହୋଇ ପଡ଼ିଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଅନେକ ଥର ସ୍ଥାନୀୟ ଜନସାଧାରଣ ଉକ୍ତ ପ୍ରକଳ୍ପ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏନେଇ ବିଭାଗୀୟ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ ଙ୍କୁ ପଚାରିବାରୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଅଂଚଳର ବିଭିନ୍ନ ଗ୍ରାମରେ ଥିବା ଅନେକ ପାନୀୟ ଜଳ ପ୍ରକଳ୍ପ ଗୁଡିକ ମଧ୍ୟ ଅଚଳ ହେଉଥିଲେ ସୁଦ୍ଧା ଯନ୍ତ୍ରୀ ପାଖରେ ଖବର ରହୁ ନାହିଁ l ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।