ଅସ୍ତରଙ୍ଗ,,ପୁରୀ ଜିଲ୍ଲା ସମୁଦ୍ର ଉପକୂଳବର୍ତୀ ଅସ୍ତରଙ୍ଗ ବ୍ଲକ ଅଂଚଳରେ ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଉତ୍ସ ସବୁ ଶୁଖିଲା ପଡ଼ି ଫାଟି ଆଁ କଲାଣି। ଭୂତଳ ଜଳସ୍ତର କମିବାରେ ଲାଗିଛି। ନଳକୂପ ଗୁଡ଼ିକ ଅକାମୀ ହେବାରେ ଲାଗିଛି। ଯେଉଁଠି ନଳକୂପରୁ ପାଣି ବାହାରୁଛି ସେ ସବୁ ପାନୀୟ ଅନୁପଯୁକ୍ତ ଲୌହ ଯୁକ୍ତ ଲବଣାକ୍ତ ପାଣି। ସେପଟେ, ନିର୍ମାଣ କରାଯାଇଥିବା ଓଭରହେଡ୍ ପାଣି ଟାଙ୍କୀ ଗୁଡ଼ିକ କାର୍ଯ୍ୟକ୍ଷମ ହେଉନଥିବା ବେଳେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଉପକୂଳ ଅସ୍ତରଙ୍ଗ ଅଞ୍ଚଳର ଲୋକ ମାନଙ୍କ ସମସ୍ୟାକୁ ଦ୍ଵିଗୁଣିତ କରୁଛି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ଛୋଟ ବଡ଼ ସମୁଦାୟ ୨୨ଟି ଓଭରହେଡ୍ ପାଣି ଟାଙ୍କୀ ରହିଥିବା ବେଳେ ୧୧ଟି କାର୍ଯ୍ୟକ୍ଷମ ହେଉଛି।ଏହା ଦ୍ଵାରା ସମୁଦାୟ ୩୬ ଟି ରାଜସ୍ବ ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଛି। ଅବଶିଷ୍ଟ ୯ଟି କାର୍ଯ୍ୟକ୍ଷମ ଅପେକ୍ଷାରେ। ଅର୍ଥାତ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ସବୁ ପାଣି ଟାଙ୍କୀ କାର୍ଯ୍ୟକ୍ଷମ ହେବା ସହ ସମସ୍ତ ରାଜସ୍ବ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବ ବୋଲି ବିଭାଗ କହିଛି। କିନ୍ତୁ ପାଣି ପାଇଁ ହା ହାକାର ଅବସ୍ଥା ସୁଧାରିବାକୁ ସ୍ଥାନୀୟ ଅଂଚଳରେ ସବୁବେଳେ ଦାବୀ ହୋଇ ଆସୁଛି। ଅସ୍ତରଙ୍ଗ,କାକଟପୁର ଓ ଗୋପ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ନିରାକରଣ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପ ସରକାରଙ୍କ ଅନୁମୋଦନ ଲାଭ କରିଛି।କାକଟପୁର ବ୍ଲକ ଲତାହରଣ ଗ୍ରାମର ଯୌବନ ପଡିଆ ଠାରେ ପ୍ରାୟ ୨୩୬କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଇତି ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ନିଆଳି ନିକଟସ୍ଥ ଦେବୀ ନଦୀରୁ ଏହି ପ୍ରକଳ୍ପ ପାଇଁ ଜଳ ଉତ୍ତୋଳନ ହେବ। ତେବେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଛି।ଫଳରେ ସ୍ଥାନୀୟ ବାସିନ୍ଦାମାନେ ପାନୀୟ ଜଳ ମୁନ୍ଦେ ପାଇଁ ହିନସ୍ଥା ଭୋଗୁଛନ୍ତି। ଅସ୍ତରଙ୍ଗ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସତ୍ୟ ଶଙ୍କର ମହାନ୍ତି କୁହନ୍ତି ନିର୍ମାଣ କରାଯାଇଥିବା କେତେକ ଓଭରହେଡ୍ ପାଣି ଟାଙ୍କୀ ନିକଟରେ ପାନୀୟ ଉପଯୁକ୍ତ ଜଳ ଉପଲବ୍ଧ ହେଉନାହିଁ। ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଜାରି ରହିଛି ।ପ୍ରକଳ୍ପ ନିର୍ମାଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଚାଲିଛି।ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ସମସ୍ତ ଟାଙ୍କୀ କାର୍ଯ୍ୟକ୍ଷମ ହେବା ସହ ପାନୀୟ ଜଳ ସମସ୍ୟା ରହିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ମେଗା ପାନୀୟଜଳ ପ୍ରକ୍ଳପ ନିର୍ମାଣ ବିଳମ୍ବ ।ଅସ୍ତରଙ୍ଗ ଉପକୂଳରେ ପାନୀୟ ଜଳ ସଙ୍କଟ ।
