ନୂଆଦିଲ୍ଲୀ: ବୁଧବାର ଭୋର ସମୟରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ କ୍ଷେପଣାସ୍ତ୍ର ଆକ୍ରମଣ କରି ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେଇଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ଅନେକ ବିମାନ କମ୍ପାନୀ ସତର୍କ ହୋଇପଡ଼ିଛନ୍ତି।
ସ୍ପାଇସଜେଟ୍, ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବିଭିନ୍ନ ସହରକୁ ସେମାନଙ୍କର ବିମାନ ସେବାକୁ ସ୍ଥଗିତ ରଖିଛନ୍ତି। ଏହା ସହିତ, ଯାତ୍ରୀମାନଙ୍କ ପାଇଁ ଏକ ବିମାନ ସମ୍ପର୍କିତ ପରାମର୍ଶ ଜାରି କରାଯାଇଛି। ସ୍ପାଇସଜେଟ୍ ଅନୁଯାୟୀ ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ସମେତ ଉତ୍ତର ଭାରତର କିଛି ସ୍ଥାନରେ ବିମାନବନ୍ଦରଗୁଡ଼ିକ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ବିମାନ କମ୍ପାନୀଗୁଡ଼ିକ ଯାତ୍ରୀମାନଙ୍କୁ ପରାମର୍ଶକୁ ମନରେ ରଖି ସେମାନଙ୍କ ଯାତ୍ରା ଯୋଜନା କରିବାକୁ ଅନୁରୋଧ କରିଥିଲେ।
ଏହି ସମୟରେ ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ଦେଶର କିଛି ପ୍ରମୁଖ ସହରରୁ ବିମାନ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଇଣ୍ଡିଗୋ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼ ଏବଂ ଧର୍ମଶାଳାକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକ ପ୍ରଭାବିତ ହେବ। ଏହା ବ୍ୟତୀତ ପ୍ରଚଳିତ ଆକାଶ ସୀମା କଟକଣା ଯୋଗୁଁ ବିକାନେରକୁ ଏବଂ ସେଠାରୁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହେବ।
ସେହିପରି ଏୟାର ଇଣ୍ଡିଆ ମଧ୍ୟ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ଏପରିକି ଅମୃତସର ଆସୁଥିବା ଦୁଇଟି ଅନ୍ତର୍ଜାତୀୟ ବିମାନକୁ ଦିଲ୍ଲୀ ଡ଼ାଇଭର୍ଟ କରାଯାଇଛି।
ଆପଣଙ୍କୁ କହିରଖୁଛୁ ଯେ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ଭାରତ ବୁଧବାର ପ୍ରତ୍ୟୁଷରେ ସଠିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରି ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି। ସେନା ଏହି ଅପରେସନକୁ ‘ଅପରେସନ ସିନ୍ଦୂର’ ନାମ ଦେଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣକୁ ସ୍ବୀକାର କରିଛି।