Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାନଦୀ ପାଇଁ ମାଡ଼ି ଆସୁଛି ଆଉ ଏକ ବିପତ୍ତି ସାନକେଲୋ ନଦୀରେ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ ଆରମ୍ଭ ପ୍ରଭାବିତ ହେବ ହୀରାକୁଦ ବନ୍ଧ ଛଟପଟ ହେବେ ସୀମାନ୍ତବାସୀ

ଝାରସୁଗୁଡା ୧୨/୫ (ଓଡ଼ିଶା ନ୍ୟୁଜ) ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପୂର୍ବରୁ ମହାନଦୀର ତଣ୍ଟି ଚିପି ସାରିଛି । ମହାନଦୀର ମୁଖ୍ୟ ସ୍ରୋତରେ ବହୁ ସଂଖ୍ୟାରେ ବ୍ୟାରେଜ ନିର୍ମାଣ ପରେ ଏବେ ଗୋଟିଏ ପରେ ଗୋଟିଏ ଶାଖା ନଦୀ ଗୁଡିକ ଉପରେ ଛତିଶଗଡ଼ ସରକାରର ଲୋଲୁପ ଦୃଷ୍ଟି ପିଡ଼ିଛି । ଟ୍ରିବ୍ୟୁନାଲରେ ଅନ୍ତରୀଣ ରହିତାଦେଶ ଜାରି ହୋଇ ନ ଯୋଗୁଁ ଏହା ଛତିଶଗଡ଼ ସରକାର ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଯେଭଳି ଓଡ଼ିଶାକୁ ମୁନ୍ଦିଏ ପାଣି ନ ଦେବା ପାଇଁ ପ୍ରତିଜ୍ଞା କରିଛି ଛତିଶଗଡ଼ ସରକାର ବୋଲି ବୁଦ୍ଧିଜୀବୀ ମହଲରେ ଜୋର ଚର୍ଚ୍ଚା ହେଉଛି ।
ପୂର୍ବରୁ ମହାନଦୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ଭାବେ ପରିଚିତ ବଡ଼ କେଲୋ ନଦୀରେ ଛତିଶଗଡ଼ ସରକାର ବନ୍ଧ ତିଆରି କରି ପାଣି ଅଟକାଇ ସାରି ଥିବା ବେଳେ ବର୍ତ୍ତମାନ ସାନ କେଲୋ ନଦୀର ପାଣିକୁ ବି ଶୋଷିବାକୁ ଷଡଯନ୍ତ୍ର ଆରମ୍ଭ କଲାଣି । ଏଥିପାଇଁ କିଛି ମାସ ହେଲା ସାନ କେଲୋ ନଦୀର ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ବେଲେରିଆ ଠାରେ ଆରମ୍ଭ ହୋଇଛି ଏକ ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ଆଉ ଏହି ପ୍ରକଳ୍ପ ନିର୍ମ।ଣ ହେବା ପରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ପ୍ରାୟ ୩ ଟି ପଞ୍ଚାୟତରେ ଉତ୍କଟ ଜଳାଭାବ ସ୍ଥିତି ସୃଷ୍ଟି ହେବା ଜଳ ଜଳ ଦେଖା ଦେଲାଣି ।
ମହାନଦୀ ଓଡିଶାକୁ ପ୍ରବେଶ କରିବା ପରେ ଏହାର ଦ୍ବିତୀୟ ଶାଖା ନଦୀ ଭାବେ ସାନ କେଲୋ ନଦୀ ଛତିଶଗଡରୁ ଆସି ଲଖନପୁର ବ୍ଲକର ଛୁଇପାଲି ଗାଁ ନିକଟରେ ହୀରାକୁଦ ଜଳଭଣ୍ଡାରରେ ମିଶିଛି । ଆଉ ବର୍ଷ ତମାମ ଏଠାରେ ପାଣିର ଧାର ଚିରସ୍ରୋତା ଭଳି ବୋହି ଆସିଥାଏ । ଏଥିପାଇଁ ନିକଟସ୍ଥ ଭିଖମପାଲି, ଅତାବିରା ଏବଂ ବାଦିମାଲ ସମେତ ଆଖପାଖର ଅନେକ ପଞ୍ଚାୟତ ଏହାର ପାଣି ଉପରେ ଜଳସେଚନରୁ ଆରମ୍ଭ କରି ପିଇବା ପାଣି ପାଇଁ ନିର୍ଭର କରି ଆସୁଛନ୍ତି । ତେବେ, ପୂର୍ବରୁ ବଡ କେଲୋ ନଦୀରେ ଛତିଶଗଡ ସରକାର ରାୟଗଡ ଜିଲ୍ଲାର ତମନାର ନିକଟରେ ବନ୍ଧ ବାନ୍ଧି ପାଣି ଅଟକାଇ ରଖି ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସାନ କେଲୋ ନଦୀର ବି ତଣ୍ଟି ଚିପିବା ପ୍ରକ୍ରିୟା ଆରମ୍ଭ କଲେଣି ।
ଜଳସେଚନ ନାଁରେ ଶିଳ୍ପ ଶୋଷ ମେଣ୍ଟାଇବାକୁ ଛୋଟ ଛୋଟ ନାଲାକୁ ବି ସେଠାକାର ସରକାର କବଜା କରିବାରେ ଲାଗିଛନ୍ତି ।ବର୍ତ୍ତମାନ ବେଲେରିଆ ଠାରେ କିଛି ମାସ ହେଲା ଛତିଶଗଡ ସରକାର ଏକ ବ୍ୟାରେଜ୍ ନିର୍ମ।ଣ କାମ ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ଏହାର ଫାଉଣ୍ଡେସନ୍ କାମ ପ୍ରାୟତଃ ସରିଗଲାଣି । ମୋଟ୍ ୬ କୋଟି ୧୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୧ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ସୂଚନା ମିଳିଛି ।
ହେଲେ ବାସ୍ତବରେ ରାୟଗଡ ଜିଲ୍ଲାର ଜମଗାଁରେ ଥିବା ଏକ ଇସ୍ପାତ ଏବଂ ସ୍ପଞ୍ଜ ଆଇରନ୍ କାରଖାନା ତାର ସଂପ୍ରସାରଣ କାମ ଆରମ୍ଭ କରିଛି। ଆଉ ଉକ୍ତ ସଂସ୍ଥାର ପାଣି ଚାହିଦା ମେଣ୍ଟାଇବା କୁ ବ୍ୟାରେଜ୍ ପ୍ରକଳ୍ପ ନିର୍ମ।ଣ କରା ଯାଉଥିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ସେମିତିବି ଏଭଳି ଆଶଙ୍କା ହେବା ସ୍ବାଭାବିକ, କାରଣ ଏହା ପୂର୍ବରୁ ବଡ କେଲୋ ନଦୀରେ ଦୀର୍ଘ ଦେଢ ଦଶନ୍ଧି ତଳୁ ବନ୍ଧ ନିର୍ମ।ଣ ହୋଇ ୪ ରୁ ଉର୍ଦ୍ଧ୍ବ ଶିଳ୍ପ ସଂସ୍ଥାକୁ ଅବିରତ ଜଳଯୋଗାଣ ଚାଲିଥିଲେ ହେଁ ଆଜି ସୁଦ୍ଧା କେନାଲ ଜଳସେଚନ ଆରମ୍ଭ ହୋଇ ପାରିନାହିଁ । ଏଭଳି ସ୍ଥିତିରେ ସାନ କେଲୋରେ ବ୍ୟାରେଜ୍ ନିର୍ମ।ଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଓଡିଶାର ୩ ରୁ ଉର୍ଦ୍ଧ୍ବ ପଞ୍ଚାୟତ ର ୧୫ରୁ ଅଧିକ ଗାଁ ଭୟଙ୍କର ଜଳକଷ୍ଟର ସମ୍ମୁଖୀନ ହେବାର ଆଶଙ୍କା ଦେଖା ଦେଲାଣି।
ମୁଖ୍ୟ କଥା ହେଉଛି ଯେ, ଏହି ପ୍ରକଳ୍ପ ଦ୍ବାରା ଏକାଧିକ ଉଠା ଜଳସେଚନ ପ୍ରକଳ୍ପ ଅକାମୀ ହେବାର ଆଶଙ୍କା ଘାରିଲାଣି। ଏଥିରେ ବାଉସେନପାଲି, ଭିକମପାଲି, ଚିଖିଲାପାଲି, ଛୁଇପାଲି, କଦମଘାଟ ଆଦି ସ୍ଥାନରେ ଥିବା ଉଠା ଜଳସେଚନ ପ୍ରକଳ୍ପର ଭାଗ୍ୟ ବି ଅନିଶ୍ଚିତତା ଘେରକୁ ଆସିଗଲାଣି। ଏନେଇ ଚାଷୀ ମହଲରେ ଭାଲେଣୀ ପଡି ଗଲାଣି।
ସେପଟେ, ଏହି ପ୍ରକଳ୍ପ ଦ୍ବାରା ହୀରାକୁଦ ବି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଅଣମୌସୁମୀ ଅବଧିରେ ଏହାର ଗୁରୁତର ପ୍ରଭାବ ଲୋକଙ୍କୁ ଭୋଗିବାକୁ ପଡିବା ଏକ ପ୍ରକାର ଥୟ । କାରଣ, ମହାନଦୀର ମୁଖ୍ୟ ସ୍ରୋତରେ କଲମାରୁ ଖରା ଦିନରେ ଟୋପାଏ ବି ପାଣି ଆସୁନାହିଁ। ଏହି ପରିପ୍ରେକ୍ଷୀରେ ଶାଖା ନଦୀ ଗୁଡିକରେ ପାଣି ଅଟକାଇଲେ ଚାଷୀଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବୀ ତଥା ଗୃହପାଳିତ ପଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ବାରା ଆମ ଅଞ୍ଚଳ ସଂପୂର୍ଣ୍ଣ ଭାବେ ସୁଖିଲା ପଡିବ। ହଜାର ହଜାର ଚାଷ ଜମି ଭୟଙ୍କର ମରୁଡିର ଶିକାର ହେବ। ତୁରନ୍ତ ଏହାକୁ ବନ୍ଦ କରିବାକୁ ଓଡିଶା ସରକାର ପଦକ୍ଷେପ ନିଅନ୍ତୁ ବୋଲି ତାଙ୍କ ସହିତ ଅଞ୍ଚଳବାସୀ ଦାବି କରୁଛନ୍ତି

More Stories