Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବି.ଏଡ୍‌ ପାଠ୍ୟକ୍ରମ; ଆସନଠୁ ୪୭ଗୁଣା ଅଧିକ ଆଶାୟୀ

ରାଜ୍ୟରେ ବିଏଡ୍‌ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ବେ ଶିକ୍ଷାନୁଷ୍ଠାନ ଏବଂ ସିଟ୍‌ ସଂଖ୍ୟା ବଢ଼ାଯିବା ବଦଳରେ ଦିନକୁ ଦିନ କମିବାରେ ଲାଗିଛି। ରେଗୁଲାର ଏବଂ ସେଲ୍ଫ ଫାଇନାନ୍ସିଂକୁ ମିଶାଇ ମାତ୍ର ୩୧ଟି ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି; ହେଲେ ଯେତେ ସଂଖ୍ୟକ ସିଟ୍‌ ରହିଛି ତାହା ଠାରୁ ୪୭ ଗୁଣା ଅଧିକ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ ନାମଲେଖା ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି।

ମୋଟ ୨୭୫୦ ସିଟ୍‌ ଏହି ପାଠ୍ୟକ୍ରମ ପାଇଁ ରହିଛି। ଏଥିରେ ନାମଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବାକୁ ୧ ଲକ୍ଷ ୨୯ ହଜାର ୭୧୨ ଜଣ ଆଶାୟୀ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେଥି ମଧ୍ୟରୁ ୮୬ ହଜାର ୯୩ ଛାତ୍ରୀ ରହିଥିବାବେଳେ ୪୩ ହଜାର ୬୧୨ ଛାତ୍ର ରହିଛନ୍ତି; ଏହି ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀ ରୁଚି ରଖୁଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯେଉଁଥି ପାଇଁ ବହୁ ଗରିବ ଏବଂ ମେଧାବୀ ଆଶାୟୀ ସିଟ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି।
ଅନ୍ୟ ଉପାୟ ନ ପାଇଁ ରାଜ୍ୟ ବାହାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ବିଏଡ୍‌ କରି ଖର୍ଚ୍ଚାନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ବିଜ୍ଞପ୍ତିକୁ ନେଇ ଥିବା ଦ୍ବନ୍ଦ୍ବ ଦୂର ହୋଇସାରିଛି। ଆବେଦନ ପାଇଁ ବୟସସୀମା ୨୮ ବର୍ଷ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ପୁଣି ଥରେ ତର୍ଜମା କରି ବୟସସୀମା ହଟାଇ ଦିଆଯିବା ପରେ ବହୁ ଆଶାୟୀ ଉପକୃତ ହୋଇଥିବା ଜଣାପଡ଼ିଛି।
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୨୫-୨୦୨୬ ଶିକ୍ଷାବର୍ଷରେ ଶୀଘ୍ର ବିଏଡ୍‌ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ଶିକ୍ଷାନୁଷ୍ଠାନର ରେଗୁଲାର ବର୍ଗରେ ୧୬୫୦ ସିଟ୍‌ ରହିଥିବାବେଳେ ଅବଶିଷ୍ଟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବ୍ୟବସ୍ଥାରେ ପୂରଣ ହେବ। ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ମାର୍ଚ୍ଚ ୨୪ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନ୍‌ରେ ୧ରେ ଏହି ପ୍ରବେଶିକା ପରୀକ୍ଷା ହେବ। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୧ ଲକ୍ଷ ୨୯ ହଜାର ୭୧୨ ଜଣ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଏଡ୍‌ରେ ୧ ଲକ୍ଷ ୨୬ ହଜାର ୧୨୫, ବିଏଚ୍‌ଏଡରେ ୧୯୩୬ ଏବଂ ୧୬୫୧ ଜଣ ଏମ୍‌ଏଡ୍‌ ପାଇଁ ଆବେଦନ କରିଛନ୍ତି। ଠିକ୍‌ ସମୟରେ ପାଠ୍ୟକ୍ରମ ଆରମ୍ଭ ହୋଇ ଠିକ୍‌ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିଲେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି;କିନ୍ତୁ ରାଜ୍ୟରେ ଏହି ପାଠ୍ୟକ୍ରମରେ ଥିବା ସିଟ୍‌ ସଂଖ୍ୟାକୁ ନେଇ ଶିକ୍ଷାବିତ୍‌ଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଲକ୍ଷାଧିକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଆବେଦନ କରୁଛନ୍ତି; କିନ୍ତୁ ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ସିଟ୍‌ ଅଭାବ। ମାତ୍ର ସ୍ବଳ୍ପ ସଂଖ୍ୟକ ସିଟ୍‌ ଥିବାରୁ ବହୁ ଗରିବ ଏବଂ ମେଧାବୀ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖି ପ୍ରବେଶିକା ପରୀକ୍ଷା ଦେଉଥିଲେ ମଧ୍ୟ ସିଟ୍‌ ପାଇପାରୁନାହାନ୍ତି। ଫଳରେ ଯେଉଁଠି ବାର୍ଷିକ ୫ ରୁ ୭ ହଜାର ଟଙ୍କାରେ ନାମ ଲେଖାଇବା କଥା, ସେ ଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁ ସମେତ ବାହାର ରାଜ୍ୟରେ ବିଏଡ୍‌ କରି ପାଖାପାଖି ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ