ସୁଜିତ କୁ ବାଇଗଣ ଚାଷ ଦେଇଛି ସ୍ଵତନ୍ତ୍ର ପରିଚୟ


ବୀରମହାରାଜପୁର : (ସୌମିତ୍ରି ମେହେର)
ବାଇଗଣ ଚାଷ ଦେଇଛି ସ୍ଵତନ୍ତ୍ର ପରିଚୟ। ଏହି ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କ ପାଇଁ ସେ ହୋଇଛନ୍ତି ପ୍ରେରଣର ଉତ୍ସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଳପାଲି ଗ୍ରାମର ସୁଜିତ ପଧାନ ନିଜ ଚାଷ ଜମିରେ ବାଇଗଣ ଚାଷ କରି ହୋଇ ପାରିଛନ୍ତି ରୋଜଗାରକ୍ଷମ। ସଂପ୍ରତି ସମୟ ରେ ଯୁବକମାନେ ଚାଷ ରୁ ମୁହଁ ଫେରାଇ ନେଉଛନ୍ତି। ନିଜ ନିଜ ଅଞ୍ଚଳରେ କୌଣସି କାମଧନ୍ଦା ନ ପାଇ ଦିଲ୍ଲୀ , କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା , ଗୋଆ ଆଦି ରାଜ୍ୟ କୁ ଦାଦନ ଯାଉଛନ୍ତି । ଏହି ସମୟ ରେ ବିଶାଳପାଲି ଗ୍ରାମର ଯୁବକ ସୁଜିତ ପଧାନ ନିଜ ପୈତୃକ ଜମିର କିଛି ଅଂଶ ରେ ବାଇଗଣ ଚାଷ କରିଛନ୍ତି । ଏଥିପାଇଁ ସେ କୌଣସି ସରକାରୀ ସହାୟତା ପାଇ ନ ଥିବା ବେଳେ କୌଣସି ଉଦ୍ୟାନ କୃଷି ଅଧିକାରୀ ଙ୍କ ପରାମର୍ଶ ମଧ୍ୟ ପାଇ ନ ଥିଲେ । ଏବେ ସେ ପ୍ରାୟ ୨ଶହ ଡିସମିଲ ଜମିରେ ବାଇଗଣ ଚାଷ କରିଛନ୍ତି । ଏହି ଜମିରେ ସେ ପ୍ରାୟ ୮ଶହ ବାଇଗଣ ଚାରା ଲଗାଇ ନିଜ ପରିବାର ଲୋକଙ୍କ ସହ ପରିଶ୍ରମ କରୁଛନ୍ତି । ଏବେ ବାଇଗଣ ଅମଳ କଲେଣି । ସେ ଦୈନିକ ୬୦ରୁ ୭୦ କିଗ୍ରା ବାଇଗଣ ଅମଳ କରୁଛନ୍ତି। କିଲୋ ପ୍ରତି ୧୦ ଟଙ୍କା ହିସାବରେ ସେ ଦୈନିକ ୭ଶହ ରୁ ୮ ଶହ ଟଙ୍କା ରୋଜଗାର କରୁଛନ୍ତି। ସେ ଏହି ଚାଷ ପାଇଁ ମାତ୍ର ୫ ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି। ଯଦି ଅଞ୍ଚଳରେ ଶୀତଳ ଭଣ୍ଡାର ର ସୁବିଧା ମିଳନ୍ତା ତେବେ ସେ ଅଧିକ ଜମିରେ ବାଇଗଣ ଚାଷ କରନ୍ତେ ବୋଲି ପ୍ରକାଶ କରିଛନ୍ତି। ଯେତେବେଳେ ଅଞ୍ଚଳର ଯୁବକ ମାନେ ଚାଷ ରୁ ମୁହଁ ରୁ ଫେରାଇ ବାହାର ରାଜ୍ୟ କୁ ଦାଦନ ଯାଉଛନ୍ତି l ସେହି ସମୟ ରେ ସୁଜିତ ବାଇଗଣ ଚାଷ କରି ଅର୍ଥ ଉପାର୍ଜନ କରିବା ତାଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତାଙ୍କୁ ଅନୁସରଣ କରି ଅନେକେ ଯୁବକ ଆଗାମୀ ଦିନରେ ଏହି ଭଳି ପନିପରିବା ଚାଷ କରିବାକୁ ଆଗ୍ରହୀ ଥିବା ସୁଜିତ ପ୍ରକାଶ କରିଛନ୍ତି। ଉଦ୍ୟାନ କୃଷି ବିଭାଗ ପନିପରିବା ଚାଷୀ ଙ୍କୁ ଉତ୍ସାହିତ କରିବା ପାଇଁ ସଚେତନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ମାତ୍ର ବୀରମହାରାଜପୁର ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ତରଫରୁ ସହାୟତା ପ୍ରକୃତ ଚାଷୀ ଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଉଦ୍ୟାନ କୃଷି ବିଭାଗ ର ସମସ୍ତ ଯୋଜନା କାଗଜ କଲମରେ ସୀମିତ ରହିଥିବା ଜଣା ପଡ଼ୁଛି। ସୁଜିତ ବାଇଗଣ ଚାଷ କରିଥିଲେ ମଧ୍ୟ ତାଙ୍କ ସହାୟତା ମିଳି ନ ଥିବା କିମ୍ବା ଉଦ୍ୟାନ କୃଷି ବିଭାଗ ର କୌଣସି ଅଧିକାରୀଙ୍କ ଠୁ କୌଣସି ପରାମର୍ଶ ନ ମିଳିବା ବିଭାଗ ର କାର୍ଯ୍ୟଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ତେବେ ସୁଜିତ ବାଇଗଣ ଚାଷ କରି ଆତ୍ମ ନିର୍ଭରଶୀଳ ଓ ଆର୍ଥିକ ରୋଜଗାରକ୍ଷମ ହେବା ତାଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।