କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ


ସମ୍ବଲପୁର ଓ ଅନୁଗୋଳ ସମେତ ବିଭିନ୍ନ ସହରକୁ ନଗର ବନରେ ବିକଶିତ ସହ ‘ସମ୍ବଲପୁର ଚି଼ଡ଼ିଆଖାନା’ର ସମ୍ପ୍ରସାରଣ କରିବାକୁ କଲେ ଅନୁରୋଧ
• ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ଅନ୍ତର୍ଭୃକ୍ତ କରିବା ପାଇଁ କଲେ ଅନୁରୋଧ
• ଦେବ୍ରିଗଡ଼ ଅଭୟାରଣ୍ୟରେ କିପରି ବାଘଙ୍କ ସଂଖ୍ୟା ଅଧିକ ହୋଇପାରିବ, ବାଘଙ୍କ ସଂରକ୍ଷଣ ହୋଇପାରିବ ସେ ଦିଗରେ କଲେ ଆଲୋଚନା
• “ନଗର ବନ ଯୋଜନା”ରେ ଶିଳ୍ପାଞ୍ଚଳ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଏବଂ କୋଇଲା ଖଣି ଅଞ୍ଚଳ ଅନୁଗୋଳ –ଢେଙ୍କାନାଳ ତଥା ଗ୍ରୀଷ୍ମ ପ୍ରଭାବିତ ଅଞ୍ଚଳ ଟିଟିଲାଗଡ଼ ଓ ବଲାଙ୍ଗୀରକୁ ନଗର ବନରେ ବିକଶିତ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ
• ଜୁନ୍ ୫ ବିଶ୍ୱ ପରିବେଶ ଦିବସର ପୂର୍ବ ଦିନ ବୃକ୍ଷରୋପଣ ଏବଂ ପରିବେଶ ଶିକ୍ଷାରେ ଲୋକଙ୍କ ଅଧିକ ଯୋଗଦାନ ପାଇଁ ବିଶାଳ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଦେଲେ ପ୍ରସ୍ତାବ
• ସମ୍ବଲପୁର ଚିଡ଼ିଆଖାନାର ଇତିହାସ ଜଣାଇବା ସହ ଏହାର ସମ୍ଭାବନା ଉପରେ ଅବଗତ କରାଇଲେ
• ୧୯୮୦ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ସମ୍ବଲପୁର ଚିଡ଼ିଆଖାନା ଏକ ସାଧାରଣ ହରିଣ ପାର୍କରୁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସାର୍ବଜନୀନ ଶିକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି
• ଏହି ଚିଡ଼ିଆଖାନାର ସମ୍ପ୍ରସାରଣ ହେବା ଦ୍ୱାରା ନୂତନ ପ୍ରଜାତିର ପ୍ରାଣୀ ଆସିପାରିବେ ଏବଂ ଶିକ୍ଷାଗତ ଏବଂ ଗବେଷଣା ସୁବିଧାର ବିକାଶ ସହଜ ହେବ
• ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସାର୍ବଜନୀନ ଶିକ୍ଷାର ମିଶନକୁ ଆଗକୁ ବଢ଼ାଇବା ପାଇଁ ସମ୍ବଲପୁର ଚିଡ଼ିଆଖାନା ଅନେକ ନୂତନ ଆକର୍ଷଣ କାମ କରିବାକୁ ଯୋଜନା କରୁଛି
• ଗତ ୨୫ ତାରିଖରେ ସମ୍ବଲପୁର ଚିଡ଼ିଆଖାନା ବୁଲିବା ସହ ଜନସାଧାରଣ, ବନ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ “ନଗର ବନ ଯୋଜନା”(ଏନଭିଓ୍ୱାଇ) ଅଧୀନରେ ଶିଳ୍ପାଞ୍ଚଳ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଏବଂ କୋଇଲା ଖଣି ଅଞ୍ଚଳ ଅନୁଗୋଳ –ଢେଙ୍କାନାଳ ତଥା ଗ୍ରୀଷ୍ମ ପ୍ରଭାବିତ ଅଞ୍ଚଳ ଟିଟିଲାଗଡ଼ ଓ ବଲାଙ୍ଗୀରକୁ ନଗର ବନରେ ବିକଶିତ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏହାସହ ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ ସହ ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ଅନ୍ତର୍ଭୃକ୍ତ କରିବା ପାଇଁ ବିକଶିତ କରିବାକୁ ତାଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ ଏ ସମ୍ପର୍କୀତ ଦୁଇଟି ପୃଥକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ ସମ୍ବଲପୁର – ଝାରସୁଗୁଡ଼ା- ବ୍ରଜରାଜନଗର ଏବଂ ଅନୁଗୋଳ – ଢେଙ୍କାନାଳ ଏବଂ ଟିଟିଲାଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନରୁ ପ୍ରବଳ ଗରମ ହେଉଛି । ଫଳସ୍ୱରୂପ ଏହା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପୌର ନିଗମ, ପୌର ପରିଷଦ, ପୌରପାଳିକା କିମ୍ବା ସହରାଞ୍ଚଳ ସଂସ୍ଥା (ୟୁଏଲବି) ଦ୍ୱାରା ପରିଚାଳିତ ଅଞ୍ଚଳରେ ସହରାଞ୍ଚଳ ଜଙ୍ଗଲ ବିକାଶ ପାଇଁ ନଗର ବନ ଯୋଜନା ଆରମ୍ଭ ହୋଇଛି, ଯାହା ପ୍ରଶଂସନୀୟ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ “ଗୋଟିଏ ପୃଥିବୀ, ଅନେକ ପ୍ରୟାସ” ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ସହରାଞ୍ଚଳ ସମୂହରେ ନଗର ବନ ପ୍ରତିଷ୍ଠା ପରିବେଶ ଗତ ସ୍ଥିରତା ଏବଂ ସାମୁଦାୟିକ କଲ୍ୟାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । “ପରିବେଶ ପାଇଁ ଜୀବନଶୈଳୀ” ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ ଆମ ଗ୍ରହକୁ ସଂରକ୍ଷଣ କରିବାରେ ବ୍ୟକ୍ତିଗତ ଏବଂ ସାମୂହିକ କାର୍ଯ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବାକୁ ଚେଷ୍ଟା କରୁଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୫ ଜୁନ୍ ୨୦୨୫ ବିଶ୍ୱ ପରିବେଶ ଦିବସର ପୂର୍ବ ଦିନ ବୃକ୍ଷରୋପଣ ଏବଂ ପରିବେଶ ଶିକ୍ଷାରେ ସମ୍ପ୍ରଦାୟର ଅଧିକ ଯୋଗଦାନ ପାଇଁ ଏକ ବିଶାଳ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି।
ଏହି ପଦକ୍ଷେପ ଉପରୋକ୍ତ ସମ୍ବଲପୁର – ଝାରସୁଗୁଡ଼ା- ବ୍ରଜରାଜନଗର ଏବଂ ଅନୁଗୋଳ – ଢେଙ୍କାନାଳ ଏବଂ ଟିଟିଲାଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ନଗର ବନ ଯୋଜନାର ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ଏକ ଉତ୍ପେରକ ଭାବରେ କାର୍ଯ୍ୟ କରିବ । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ଓଡ଼ିଶାର ଗରମ ପ୍ରଭାବିତ ଅଞ୍ଚଳରେ ବଢ଼ୁଥିବା ତାପ ଲହରର ଏକ ସ୍ଥାୟୀ ପ୍ରକୃତିଭିତ୍ତିକ ସମାଧାନ ଖୋଜିବା ପାଇଁ ଉପରୋକ୍ତ କ୍ଲଷ୍ଟରଗୁଡ଼ିକରେ ନଗର ବନ ପ୍ରତିଷ୍ଠା ପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏହାବ୍ୟତୀତ ଆଉ ଏକ ପୃଥକ ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ୨୦୨୩ରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍ଏ) ସମ୍ବଲପୁର ଚିଡ଼ିଆଖାନାକୁ “ସମ୍ବଲପୁର ଚିଡ଼ିଆଖାନା ଏବଂ ସଂରକ୍ଷଣ କେନ୍ଦ୍ର” ରୂପେ ଘୋଷଣା କରିଥିଲେ । ୧୯୮୦ ମସିହାରେ ପ୍ରତିଷ୍ଠା ହେବା ପରଠାରୁ, ଚିଡ଼ିଆଖାନାଟି ଏକ ସାଧାରଣ ହରିଣ ପାର୍କରୁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସାର୍ବଜନୀନ ଶିକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହୋଇଛି । ଚିଡ଼ିଆଖାନାଟି ବର୍ତ୍ତମାନ ମୋତିଝରଣ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧୩ ହେକ୍ଟର ଜମିରେ ପରିବ୍ୟାପ୍ତ । ଏହି ଚିଡ଼ିଆଖାନାରେ ଚିତାବାଘ, ଭାଲୁ, ପାଇଥନ୍ ଏବଂ ମୟୂର ସମେତ ୧୫ ପ୍ରଜାତିର ୩୩୩ ପ୍ରାଣୀଙ୍କୁ ଏଠାରେ ରଖାଯାଇଛି । ୨୦୨୨ ମସିହାରେ, ପ୍ରାଣୀ ଉଦ୍ୟାନ ମୂଲ୍ୟାଙ୍କନ କମିଟି ସମ୍ବଲପୁର ଚିଡ଼ିଆଖାନାକୁ “ମଧ୍ୟମ ଚିଡ଼ିଆଖାନା” ବର୍ଗରେ ଉନ୍ନୀତ କରିବାକୁ ସୁପାରିଶ କରିଥିଲା, ଯେଉଁଥିରେ ପ୍ରାୟ ୧୮ ରୁ ୨୦ ହେକ୍ଟର ଜମି ଯୋଡା ଯାଇଥିଲା, ଯାହା ମୋତିଝରଣ ସଂରକ୍ଷିତ ଜଙ୍ଗଲର ମଧ୍ୟ ଅଂଶ ଥିଲା । ଏହି ଚିଡ଼ିଆଖାନାର ସମ୍ପ୍ରସାରଣ ହେବା ଦ୍ୱାରା ନୂତନ ପ୍ରଜାତିର ପ୍ରାଣୀ ଆସିପାରିବେ ଏବଂ ଶିକ୍ଷାଗତ ଏବଂ ଗବେଷଣା ସୁବିଧାର ବିକାଶ ସହଜ ହେବ, ଯାହା ୨୦୨୩-୨୪ ପାଇଁ ଚିଡ଼ିଆଖାନା ଅନୁମୋଦିତ ମାଷ୍ଟର ପ୍ଲାନ ସହିତ ସମନ୍ୱୟ ରଖିବ, ଯେଉଁଥିରେ ୪୮ ପ୍ରଜାତିକୁ ଅନ୍ତର୍ଭୁକ୍ତ କରିବାର କଳ୍ପନା କରାଯାଇଛି । କେନ୍ଦ୍ରୀୟ ଚିଡ଼ିଖାଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ଅନୁଯାୟୀ, ଉକ୍ତ ଚିଡ଼ିଆଖାନା ପୂର୍ବରୁ ନନ୍ଦନକାନନ ଚିଡ଼ିଆଖାନା ସହିତ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଏବଂ ଡେବ୍ରିଗଡ଼ ଅଭୟାରଣ୍ୟ ସହିତ ସ୍ଥାନାନ୍ତର କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳନା କରିସାରିଛି ।
ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସାର୍ବଜନୀନ ଶିକ୍ଷାର ମିଶନକୁ ଆଗକୁ ବଢ଼ାଇବା ପାଇଁ ସମ୍ବଲପୁର ଚିଡ଼ିଆଖାନା ଅନେକ ନୂତନ ଆକର୍ଷଣ କାମ କରିବାକୁ ଯୋଜନା କରୁଛି, ଯେଉଁଥିରେ ନାଇଟ୍ ସଫାରୀ, ଆଫ୍ରିକୀୟ ପେଙ୍ଗୁଇନ୍ ଭଳି ଜଳଜୀବ, ମରୁଭୂମି ଏବଂ ବର୍ଷାଜଳ ବାୟୋଡୋମ୍, ଛୋଟ ଛୋଟ ମାଙ୍କଡଙ୍କ ଏନକ୍ଲୋଜୋରରେ ଚାଲିବାର ବ୍ୟବସ୍ଥା ସହ ପକ୍ଷୀପାଳନ ଆଦି ଅନ୍ତର୍ଭୁକ୍ତ । ଏହି ବ୍ୟବସ୍ଥାର ଲକ୍ଷ୍ୟ ହେଉଛି ପରିଦର୍ଶକମାନଙ୍କୁ ଏକ ଅଭିନବ ଅଭିଜ୍ଞତା ପ୍ରଦାନ କରିବା ଏବଂ ବିବିଧ ଇକୋସିଷ୍ଟମ ବିଷୟରେ ସଚେତନତା ସୃଷ୍ଟି କରିବା । ଏଥିପାଇଁ ଏହି ବିକାଶଗୁଡ଼ିକୁ ଦୃଷ୍ଟିରେ ରଖି, ସମ୍ବଲପୁର ଚିଡ଼ିଆଖାନାର ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ଉନ୍ନତିକରଣକୁ ସହଜ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ଏହାଦ୍ୱାରା ଏହା ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଶିକ୍ଷାର କେନ୍ଦ୍ର ଭାବରେ ଚିଡ଼ିଆଖାନାର ଭୂମିକା ବୃଦ୍ଧି ହେବ ।
ସେହିପରି ଦେବ୍ରିଗଡ଼ ଅଭୟାରଣ୍ୟରେ କିପରି ବାଘଙ୍କ ସଂଖ୍ୟା ଅଧିକ ହୋଇପାରିବ, ବାଘଙ୍କ ସଂରକ୍ଷଣ ହୋଇପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୨୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଗସ୍ତ ଅବସରରେ ଚିଡିଆଖାନାରେ ଜୀବ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବୁଲିବା ସହ ଜନସାଧାରଣ, ବନ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା କରିଥିଲେ ।