Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଙ୍ଗଳପୁର ବଜାରରେ ଉପୁଜିଛି ଟ୍ରାଫିକ ଏବଂ ପାନୀୟଜଳ ସମସ୍ୟା; ଚିନ୍ତାରେ ବଜାର କମିଟି

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମୁଖ୍ୟ ତଥା ପ୍ରମୁଖ ବଜାର ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ମଙ୍ଗଳପୁର ବଜାର। ୨ କିମି ରୁ ଉର୍ଦ୍ଧ ବ୍ୟାପି ଏହି ବଜାରଟି ଦିହୁଡିସାହି ଗ୍ରାମରୁ ଆରମ୍ଭ ହୋଇ ଥାଲକୁଡ଼ି ଯାଏଁ ଲମ୍ବିଛି। ଏହି ବଜାରକୁ ଲାଗି ବଜରାପାଟ, ଶ୍ରୀରାମପୁର, ସାଠିବାଟି କସବା, ମଙ୍ଗଳପୁର ଗ୍ରାମ ଏବଂ ଥାଲକୁଡ଼ି ଆଦିର ରାସ୍ତା ସଂଲଗ୍ନ ହୋଇଛି। ଏହି ବଜାରରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ସ୍ନାତକ ମହାବିଦ୍ୟାଳୟ ସହ ବହୁତ ବେସରକାରୀ ବିଦ୍ୟାଳୟ ମାନ ରହିଛି। ଆଖପାଖ ଆଠ କିମି ପରିଧି ମଧ୍ୟରେ ଥିବା ବହୁ ପଂଚାୟତ ତଥା ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି ଏହି ବଜାର ଉପରେ। ଏଥିସହ ବଜାରକୁ ଲାଗି ରହିଥିବା ବହୁ କଲୋନୀ ବଜାରର ଗାରିମା ବୃଦ୍ଧି କରୁଛି। ସକାଳ ୬ ରୁ ରାତି ୧୦ ଯାଏଁ ଚଳଚଞ୍ଚଳ ରହିଥାଏ ଏହି ବଜାର। କିନ୍ତୁ ଏହି ବଜାରର ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ଏବଂ ପାନୀୟ ଜଳ। ଚଳଚଞ୍ଚଳ ରହୁଥିବା ଏହି ବଜାରଟି ବିଶେଷ କରି କୌଣସି ପୂଜା ପାର୍ବଣ ପାଖେଇ ଆସିଲେ ଭିଡ଼ ବା ଟ୍ରାଫିକ ସମସ୍ୟା ଏଭଳି ଦେଖାଦିଏ ଯେ ଆମ୍ବୁଲାନ୍ସ କିମ୍ବା ଦମକଳଟିଏ ଏହି ବଜାର ଦେଇ ପାର ହେବାକୁ ଘଣ୍ଟାଏରୁ ଉର୍ଦ୍ଧ ସମୟ ଲାଗିଥାଏ। ମୁଖ୍ୟ ରାସ୍ତାକୁ ଲାଗି ପାଞ୍ଚ ଶହ ରୁ ଉର୍ଦ୍ଧ ଦୋକାନ ଥିବାବେଳେ କ୍ରୟ ବିକ୍ରୟ ଲାଗି ପାର୍କିଂର ସୁବିଧା ନଥିବାରୁ ଦୋକାନ ମାନଙ୍କ ସାମ୍ନାରେ ଯାନବାହାନ ରହି ଭିଡ଼ର ମାତ୍ରା ବଢ଼ାଇଥାଏ। ଏଥିସହ ବସ କିମ୍ବା ଟ୍ରକ ପ୍ରବେଶ କରିଗଲେ ଯାତାୟତ ସମ୍ପୂର୍ଣ ଭାବେ ଠପ ହୋଇଯାଏ। ୨ ଚକିଆ ଯାନ ଦୂରର କଥା ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା ବୁଧବାର ଦିନ ପରିବା ହାଟ ସାଙ୍ଗକୁ ଆଗାମୀ ସାବିତ୍ରୀ ବ୍ରତ ଲାଗି ମଙ୍ଗଳପୁର ବଜାରରେ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଭଳି ସମସ୍ୟା ବିଗତ କେଇ ବର୍ଷ ହେବ ଉପୁଜିଥିବା ବେଳେ ଏହାକୁ ନେଇ ଚିନ୍ତାରେ ଏବେ ବଜାର କମିଟି। ତେବେ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ନିଶ୍ଚିତ। ସେହିଭଳି ବଜାରରେ ସାଧାରଣତ ପାନୀୟ ଜଳ ସମସ୍ୟାକୁ ନେଇ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବସାଧାରଙ୍କ ବ୍ୟବହାର ଲାଗି ପାଣିର କୌଣସି ସୁବିଧା ନ ଥିବାରୁ ଏ ଭଳି ସମସ୍ୟା ମଧ୍ୟ ଏକ ମୁଣ୍ଡ ବିନ୍ଧାର କାରଣ ସାଜିଛି। ତେବେ ଏଭଳି ସମସ୍ୟା ଆଗାମୀ କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ