ବିନା ଅନୁମତିରେ ଚାଲିଛି ବେସରକାରୀ ବିଦ୍ୟାଳୟ,ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ|


ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ମାନଙ୍କରେ ବିନା ଅନୁମତିରେ ଚାଲିଛି ବେସରକାରୀ ବିଦ୍ୟାଳୟ ଗୁଡିକ| ଛତୁ ଫୁଟିଲା ଭଳି ବେସରକାରୀ ବିଦ୍ୟାଳୟମାନ ଖୋଲୁଥିବା ବେଳେ ନିଜର ପିଲା ମାନଙ୍କ ଭବିଷ୍ୟତ ଗଢିବାକୁ ନେଇ ଦ୍ଵନ୍ଦରେ ଅଭିଭାବକ ଗଣ| ସୂଚନା ଅନୁସାରେ ବ୍ଲକରେ 35 ଟି ବେସରକାରୀ ବିଦ୍ୟାଳୟ ଚାଲିଥିବା ବେଳେ ଅନୁମତି ମିଳିଛି ମାତ୍ର 16 ଟି ବିଦ୍ୟାଳୟକୁ| ଅନ୍ୟ 19 ଟି ବେସରକାରୀ ବିଦ୍ୟାଳୟ ଚାଲିଛି ବିନା ଅନୁମତିରେ| ଯେଉଁ ବିଦ୍ୟାଳୟର ଅଧିକାରୀ ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏକ ପ୍ରକାର ଖେଳ ଖେଳୁଛନ୍ତି| ବେସରକାରୀ ବିଦ୍ୟାଳୟ ନାଁ ରେ ଛାତ୍ରଛତ୍ରୀ ମାନଙ୍କୁ ଜୋତା, ଡ୍ରେସ, ଖାତା, ବହି, ବ୍ୟାଗ ଇତ୍ୟାଦି ବିକ୍ରୀ କରିବାର ମାଧ୍ୟମ ଆପଣେଇ ଲୁଟ କରିଚାଲିଛନ୍ତି ଅଭିଭାବକ ମାନଙ୍କୁ| ଅଭିଭାବକ ମାନେ ଓଡ଼ିଆ ଅପେକ୍ଷା ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହାର ଫାଇଦା ଉଠାଉଛନ୍ତି ଏହିଭଳି ବିଦ୍ୟାଳୟର ଅଧିକାରୀ ମାନେ| ତେବେ ଵର୍ତମାନ ସମୟରେ ମଧ୍ୟ ଅଭିଭାବକ ମାନେ ସଚେତନ ନ ହେବା ଏବଂ ବିନା କାଗଜପତ୍ର ଯାଞ୍ଚରେ ନିଜର ପିଲା ମାନଙ୍କୁ ଏହି ଭଳି ବିଦ୍ୟାଳୟକୁ ପଠାଇବା ଅତ୍ୟନ୍ତ ମର୍ମାହତର ବିଷୟ| ତେବେ ଏଭଳି ବିନା ଅନୁମତିରେ ଚାଲିଥିବା ବେସରକାରୀ ବିଦ୍ୟାଳୟ ଗୁଡିକ ଉପରେ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି|