Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଇଁନ୍ତଲା ପୋଲିସର ‘ଚାଉଳ ଚକ୍ରବ୍ୟୁହ’; କାର୍ଯ୍ୟାନୁଷ୍ଠାନ ନା ଅଭିଯୁକ୍ତଙ୍କୁ ସୁରକ୍ଷ ?

ବଲାଙ୍ଗୀର,୧୬।୫: ଆଇନ୍ ରକ୍ଷକ ଯେତେବେଳେ ପ୍ରଶ୍ନ ଘେରକୁ ଆସେ, ସେତେବେଳେ ସାଧାରଣ ଜନତାଙ୍କ ଭରସା ତୁଟିଯାଏ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ପୋଲିସର କାର୍ଯ୍ୟକଳାପ ଏବେ କିଛି ଏଭଳି ସନ୍ଦେହ ସୃଷ୍ଟି କରିଛି। ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ୍ ଚାଉଳ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବେଳେ ପୋଲିସର ଭୂମିକା ଏବେ ସାମ୍ବାଦିକୀୟ ତଦନ୍ତର ମୁଖ୍ୟ ବିଷୟ ପାଲଟିଛି।

ଗତ ୯ ତାରିଖରୁ ପୋଲିସ ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଓ ପିକଅପ୍ ଜବତ କରିଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଦୀର୍ଘ ୬ ଦିନ ପର୍ଯ୍ୟନ୍ତ ଏ ସମ୍ପର୍କରେ ଯୋଗାଣ ବିଭାଗକୁ କୌଣସି ସୂଚନା ଦିଆଗଲା ନାହିଁ। ପ୍ରଶ୍ନ ଉଠୁଛି, ପୋଲିସ କାହିଁକି ଏହି ଖବରକୁ ଚାପି ରଖିବାକୁ ଚେଷ୍ଟା କରୁଥିଲା? କଣ ଏହି ୬ ଦିନ ଭିତରେ କୌଣସି ‘ଭିତିରିଆ ବୁଝାମଣା’ ପାଇଁ ବାଟ ଖୋଜା ଚାଲିଥିଲା?

PDS ଚାଉଳ ଚୋରା ଚାଲାଣ ଏକ ସଂଘଠିତ ଅପରାଧ। ଏଭଳି ସ୍ଥିତିରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ କେବଳ ନୋଟିସ୍ ଦେଇ ଛାଡ଼ିଦେବା ପୋଲିସର କୋହଳ ମନୋଭାବକୁ ସ୍ପଷ୍ଟ କରୁଛି। ଟ୍ରକ୍ ମାଲିକ ଓ ମୁଖ୍ୟ ଅଭିଯୁକ୍ତ ନିଜ ସମ୍ପୃକ୍ତିକୁ ଅସ୍ୱୀକାର କରୁଥିବା ବେଳେ ପୋଲିସ କେଉଁ ଆଧାରରେ ତଦନ୍ତକୁ ଆଗକୁ ନେଉଛି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ।

ଯୋଗାଣ ବିଭାଗକୁ ସୂଚନା ଦେବାରେ ୬ ଦିନ କାହିଁକି ବିଳମ୍ବ ହେଲା?

ଗଣାଧ୍ୟାମରେ ଖବର ପ୍ରସାରିତ ହେବା ପରେ ହିଁ ପୋଲିସ କାହିଁକି ତତ୍ପରତା ଦେଖାଇଲା?

କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଅଭିଯୁକ୍ତଙ୍କୁ ଖଲାସ କରାଯାଇଛି?

ଗୋଟିଏ ପଟେ ସରକାର ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ କଥା କହୁଥିବା ବେଳେ ପୁଇଁତଳା ପୋଲିସର ଏଭଳି କାର୍ଯ୍ୟକଳାପ ସମଗ୍ର ବ୍ୟବସ୍ଥାକୁ ଉପହାସ କରୁଛି। ଯଦି ପୋଲିସ ଏହି ‘ଚାଉଳ ଚକ୍ରବ୍ୟୁହ’ର ରହସ୍ୟ ଉନ୍ମୋଚନ ନକରେ, ତେବେ ଆଗାମୀ ଦିନରେ ଜନ ଅସନ୍ତୋଷ ତୀବ୍ର ହେବା ସୁନିଶ୍ଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories