ବଲାଙ୍ଗୀର: ହୋଟେଲରୁ ଗ୍ରାହକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା? ତଦନ୍ତ ଜାରି ।
ବଲାଙ୍ଗୀର,୨୧।୫: ବଲାଙ୍ଗୀର ସହରର ଏକ ପ୍ରତିଷ୍ଠିତ ହୋଟେଲରୁ ଜଣେ ଗ୍ରାହକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହରର ରମାଇଁ ଟକିଜ୍ ଛକ ନିକଟସ୍ଥ ‘ହୋଟେଲ୍ କମ୍ଫର୍ଟ ଇନ୍’ ର ତୃତୀୟ ମହଲାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳର ମହମ୍ମଦ ହୁସେନ୍।
ମିଳିଥିବା ସୂଚନା ମୁତାବକ, ମହମ୍ମଦ ହୁସେନ୍ କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବଲାଙ୍ଗୀର ଆସି ଗତ ମଇ ୧୭ ତାରିଖରୁ ଏହି ହୋଟେଲରେ ରହୁଥିଲେ। ତେବେ ଗତକାଲି ଠାରୁ ସେ ରୁମ୍ ବାହାରକୁ ନଆସିବା ଏବଂ କୌଣସି ପ୍ରତିକ୍ରିୟା ନଦେବାରୁ ହୋଟେଲ କର୍ମଚାରୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ବହୁ ସମୟ ଧରି କବାଟ ବାଡ଼େଇବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ହୋଟେଲ ମାଲିକ ଅଶୋକ ରଥଙ୍କୁ ଖବର ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଝରକା ବାଟେ ଦେଖିବା ପରେ ହୁସେନ୍ ଫ୍ୟାନରେ ଝୁଲୁଥିବା ଜଣାପଡ଼ିଥିଲା।
ଖବର ପାଇ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଉପସ୍ଥିତିରେ ରୁମ୍ର କବାଟ ଭଙ୍ଗାଯାଇ ମୃତଦେହକୁ ତଳକୁ ଅଣାଯାଇଥିଲା। ସେଠାରୁ କିଛି ଦସ୍ତାବେଜ ଓ ବ୍ୟକ୍ତିଗତ ସାମଗ୍ରୀ ଜବତ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ବ୍ୟବସାୟିକ ଶତ୍ରୁତା କିମ୍ବା ବ୍ୟକ୍ତିଗତ କାରଣରୁ ଏହି ଅଘଟଣ ଘଟିଥାଇପାରେ ବୋଲି ପ୍ରାଥମିକ ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି।
“ଆମେ ଘଟଣାସ୍ଥଳରୁ ସମସ୍ତ ପ୍ରମାଣ ସଂଗ୍ରହ କରିଛୁ ଏବଂ ପରିବାର ଲୋକ ପହଞ୍ଚିବା ପରେ ହିଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଟାଉନ୍ ପୋଲିସ ସୂଚନା ଦେଇଛି।

