ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା: ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେ ଦାଦନ ମହିଳା, ଗାଁରେ ପହଞ୍ଚିଲା ଶବ
ବଲାଙ୍ଗୀର,୨୪।୫: ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ନାଲଗୁଣ୍ଡା ଅଞ୍ଚଳକୁ ରୋଜଗାର ଆଶାରେ ଯାଇଥିବା ଜଣେ ମହିଳା ଦାଦନ ଶ୍ରମିକଙ୍କ ମୃତଦେହ ଆଜି ନିଜ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକ ଜଣକ ଲାଠୋର ଥାନା ଅଧୀନ ଚୋରମୁଣ୍ଡା ଗ୍ରାମର ଯଶୋଦା ଭୋଇ (୪୫) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ ଜାନୁଆରି ମାସରେ ଲାଠୋର ଗ୍ରାମର ଦାଦନ ସର୍ଦ୍ଦାର ରଘୁ ରଣା ୯୦ ହଜାର ଟଙ୍କାର ଅଗ୍ରୀମ ପ୍ରଲୋଭନ ଦେଖାଇ ଯଶୋଦା ଓ ତାଙ୍କ ଝିଅ ପଲ୍ଲବୀଙ୍କୁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିକୁ କାମ କରିବା ପାଇଁ ନେଇଥିଲେ। ମାତ୍ର ସେଠାରେ ସେମାନଙ୍କୁ ଦିନରାତି ଅମାନୁଷିକ ଭାବେ କାମ କରାଯାଉଥିବା ନେଇ ଅଭିଯୋଗ ହୋଇଛି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାମର ଅତ୍ୟଧିକ ଚାପ ଯୋଗୁଁ ଯଶୋଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ବିଗିଡ଼ି ଯାଇଥିଲା। ଯଶୋଦା ଅସୁସ୍ଥ ଥିବା ଜାଣିବା ସତ୍ତ୍ୱେ ଭାଟି ମାଲିକ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ପରିବର୍ତ୍ତେ ଅତ୍ୟନ୍ତ ଅମାନବୀୟ ଭାବେ ଜଣେ ସ୍ଥାନୀୟ ଯୁବକଙ୍କ ସହ ବସରେ ବସାଇ ଘରକୁ ପଠାଇ ଦେଇଥିଲେ। ଫଳରେ ଘରକୁ ଫେରିବା ପୂର୍ବରୁ ହିଁ ବାଟରେ ଯଶୋଦାଙ୍କ ମୃତ୍ୟୁ ଘଟିଥିଲା।
ଶନିବାର ଯଶୋଦାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ପରିବାର ଲୋକଙ୍କ କ୍ରନ୍ଦନରେ ପରିବେଶ ଫାଟି ପଡ଼ୁଛି। ଦାଦନ ସର୍ଦ୍ଦାର ଓ ସଂପୃକ୍ତ ଇଟାଭାଟି ମାଲିକଙ୍କ ବେପରୁଆ ମନୋଭାବ ଯୋଗୁଁ ଯଶୋଦାଙ୍କ ଜୀବନ ଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ଅସହାୟ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଜୋରଦାର ଦାବି କରିଛନ୍ତି।

