Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଜୁ ବଗିଚାରେ ଦନ୍ତା ମୃତ୍ୟୁ ମାମଲା: ଫସିଲେ ଫରେଷ୍ଟର, ଖସିଲେ ରେଞ୍ଜର ! ତଦନ୍ତର ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ?

ବଲାଙ୍ଗୀର,୨୫।୫: ବନ୍ୟଜନ୍ତୁ ସୁରକ୍ଷା ଓ ପ୍ରଶାସନିକ ଦାୟିତ୍ୱବୋଧ କେବଳ କ୍ଷୁଦ୍ର କର୍ମଚାରୀଙ୍କ ପାଇଁ ସୀମିତ କି? ଗୁଡିଘାଟ ଫରେଷ୍ଟ ସେକ୍ସନ ଅଧୀନସ୍ଥ ଏକ କାଜୁ ବଗିଚାରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣା ଏବେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ ଅନୁଯାୟୀ, ହାତୀ ଏକ ‘ଅନୁସୂଚିତ-୧’ ପ୍ରାଣୀ। ଏହି ଆଇନ ଅନୁସାରେ, ସରକାରୀ ଅଧିକାରୀଙ୍କ ଅବହେଳା କିମ୍ବା ତ୍ରୁଟି ଯୋଗୁଁ ଯଦି କୌଣସି ବନ୍ୟଜନ୍ତୁର ପ୍ରାଣହାନି ଘଟେ, ତେବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର ଫୌଜଦାରୀ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସ୍ପଷ୍ଟ ବ୍ୟବସ୍ଥା ରହିଛି। ଗତ ଅପ୍ରେଲ ୩୦ ତାରିଖରେ ମୁରିବାହାଲ ରେଞ୍ଜ ଗୁଡିଘାଟ ଫରେଷ୍ଟ ସେକ୍ସନ ଅଧୀନସ୍ଥ ଚାନୁଟମାଲ୍ ଗାଁର କାଜୁ ବଗିଚାରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣା ଭଲି ସମ୍ବେଦନଶୀଳ ମାମଲାରେ ଉଭୟ ବିଭାଗ (ବିଦ୍ୟୁତ୍ ଏବଂ ବନବିଭାଗ ) କୁ ଦାୟୀ କରାଯାଇ ଏହି ଘଟଣାର ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତ ୨୩ ତାରିଖରେ କୋର୍ଟ ୩ ଜଣ ସଞ୍ଜୀବ ପୁଟେଲ (ଜମି ମାଲିକ), ଜଣେ ଲାଇନ୍ ମେନ୍ ଏବଂ ମହମ୍ମଦ ଜୁନେଦ (ମୁରିବାହାଲ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ J.E ) ନାଁରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି ।
ଅଭିଯୋଗ ଉଠୁଛି ଯେ, ବନ ବିଭାଗ ପକ୍ଷରୁ ପ୍ରଥମେ ଅଭିଯୁକ୍ତ ତାଲିକାରେ ୪ ଜଣଙ୍କ ନାମ ଥିବା ବେଳେ ଚାର୍ଜସିଟ୍ ଦାଖଲ ସମୟରେ ଏହା ୩କୁ ଖସି ଆସିଛି। ବିଦ୍ୟୁତ୍ ବିଭାଗର ଏସ୍.ଡି.ଓ.ଙ୍କ ନାମ ସୁଚିନ୍ତିତ ଭାବେ ଗାୟବ କରି ତାଙ୍କୁ “କ୍ଲିନ୍ ଚିଟ୍” ଦେବାକୁ ତଦନ୍ତକାରୀ ଅଧିକାରୀ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି। ଏହା ତଦନ୍ତର ନିରପେକ୍ଷତା ଉପରେ ଏକ ବଡ଼ ସନ୍ଦେହ ସୃଷ୍ଟି କରିଥିବା ବେଳେ ସେହି ଏକା ଘଟଣାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଜ ବିଭାଗୀୟ (ବନ ବିଭାଗ) ଅଧିକାରୀଙ୍କ ବିରୁଦ୍ଧରେ ଡ୍ୟୁଟିରେ ଅବହେଳା ଦର୍ଶାଇ ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ଗତ ଶନିବାର ନିଲମ୍ବନ କରାଯାଇଛି। ତେବେ ସମାନ ଦାୟିତ୍ୱରେ ଥିବା ମୁରିବାହାଲ ରେଞ୍ଜରଙ୍କୁ କେଉଁ ଆଧାରରେ ଛାଡ଼ି ଦିଆଗଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତଦନ୍ତକାରୀ ଅଧିକାରୀଙ୍କ ଏଭଳି “ଲୋକଦେଖାଣିଆ” କାର୍ଯ୍ୟାନୁଷ୍ଠାନ ପଛର ରହସ୍ୟ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଘଟଣାଟି ମୁରିବାହାଲ ରେଞ୍ଜ ଅଧୀନରେ ଘଟିଥିବା ବେଳେ ରେଞ୍ଜର ନିଜ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ। ମୃତ ଦନ୍ତାହାତୀର ଗତିବିଧି ଓ ଚଳପ୍ରଚଳ ସମ୍ପର୍କରେ ରେଞ୍ଜ ଅଧିକାରୀ ପୂର୍ବରୁ ଅବଗତ ଥିଲେ କି ନାହିଁ? ଯଦି ସେ ନିଜ ଡ୍ୟୁଟି ଠିକ୍ ଭାବେ ତୁଲାଉଥିଲେ, ତେବେ ହାତୀର ଏଭଳି ଦାରୁଣ ମୃତ୍ୟୁ ହେଲା କେମିତି? ଉପରୋକ୍ତ ପରିସ୍ଥିତି ସ୍ପଷ୍ଟ କରୁଛି ଯେ ରେଞ୍ଜର ମଧ୍ୟ ନିଜ କାର୍ଯ୍ୟରେ ଚରମ ଖିଲାପି କରିଛନ୍ତି।
ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ତଦନ୍ତକାରୀ ଅଧିକାରୀ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ନିଲମ୍ବିତ କଲେ, ତେବେ ରେଞ୍ଜରଙ୍କ ଅବହେଳା ତାଙ୍କୁ ଦେଖାଗଲା ନାହିଁ କାହିଁକି? କେଉଁ ଅଦୃଶ୍ୟ ନ୍ୟାୟରେ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ଏହା କେବଳ ଲୋକଦେଖାଣିଆ ଭାବେ ଜଣେ ତଳିଆ କର୍ମଚାରୀଙ୍କୁ ବଳି ପକାଇ ଉପରସ୍ଥ ଅଧିକାରୀଙ୍କୁ ସୁରକ୍ଷା ଦେବାର ଏକ ସୁଚିନ୍ତିତ ପ୍ରୟାସ ନୁହେଁ ତ?
ଏହି ସମଗ୍ର ପାତରଅନ୍ତର ନୀତି ଏବଂ କାର୍ଯ୍ୟାନୁଷ୍ଠାନର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତକାରୀ ଅଧିକାରୀ ତଥା ବଲାଙ୍ଗୀର ଏସିଏଫ୍ (ACF) ମୁରାରୀ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ୍ କଲ୍ ଗ୍ରହଣ ନକରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ନୀରବତା ବନ ବିଭାଗର ତଦନ୍ତ ପ୍ରକ୍ରିୟାକୁ ଆହୁରି ସନ୍ଦେହଘେରକୁ ଟାଣି ଆଣିଛି।
ତେବେ ଉକ୍ତ ଘଟଣାରେ ଦନ୍ତାହାତୀ ମୃତ୍ୟୁର ପ୍ରକୃତ ଦୋଷୀ କିଏ ଏବଂ ରେଞ୍ଜରଙ୍କୁ ବଞ୍ଚାଇବା ପଛରେ କେଉଁ ମୁଖ୍ୟ ସୂତ୍ରଧର ରହିଛନ୍ତି, ତାହା କେବଳ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ସ୍ପଷ୍ଟ ହେବ। ଜନସାଧାରଣ ଏବେ ଏହି ପ୍ରହସନ ମୂଳକ ତଦନ୍ତରୁ ନ୍ୟାୟ ଆଶା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories