ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତବଲାକଟା ଗ୍ରାମଠାରେ ଥିବା ସ୍ୱାମୀ ବିବେକାନନ୍ଦ ଶିଶୁ ସଂଘ ସଦସ୍ୟଙ୍କ ଦ୍ୱାରା ରୋପ ଅନୁଷ୍ଠାନ ସହଯୋଗରେ ତବଲାକଟା ଅଙ୍ଗନୱାଡି କେନ୍ଦ୍ର ଠାରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ମେଡ଼ିକାଲ ଅଫିସର ଡାକ୍ତର ଶରତ ଚନ୍ଦ୍ର ଦେହୁରୀ ଯୋଗ ଦେଇଥିଲେ। ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ, ଏ.ଏନ୍.ଏମ୍ ଲକ୍ଷ୍ମୀ ବାରୁଆ, ଅଙ୍ଗନୱାଡି କର୍ମୀ ବିମଳା ମାଝୀ, ଆଶା କର୍ମୀ ଶିବାଞ୍ଜଳି ଠାକୁର, ପ୍ରାଣୀମିତ୍ର ମୀନା ଠାକୁର, ୱାଡ ସଭ୍ୟା ଜୟନ୍ତୀ ଛତ୍ରିଆ ପ୍ରମୁଖ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମା” ସମଲେଇଙ୍କୁ ଆହ୍ୱାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶିଶୁ ମାନଙ୍କ ସହିତ ଅତିଥି ଗଣ ତବଲାକଟା ଗ୍ରାମ ଠାରେ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରା ସମୟରେ ଶିଶୁ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ବାସୀଙ୍କୁ ସଚେତନ କରିଥିଲେ। ଏହି ଦିବସ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ରୋପ ସ୍ୱେଚ୍ଛାସେବୀ ବିମଳ ମେହେର ଅତିଥି ପରିଚୟ ପ୍ରଦାନ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ ସଭାରେ ଡାକ୍ତର ଦେହୁରୀ ମାସିକ ଋତୁସ୍ରାବ ସମ୍ପର୍କରେ ସଚେତନା ବଢେଇବା, ସ୍ୱଚ୍ଛ ସାନିଟାରୀ ପ୍ୟାଡ ବ୍ୟବହାର, ସଫାସୁତୁରା ରହିବା ଏବଂ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା, ଏହି ଭଳି ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିବା ସହିତ ଶିଶୁ କନ୍ୟା ମାନେ କିଭଳି ଭାବରେ ସ୍ବାବଲମ୍ବୀ ହୋଇ ଆଗକୁ ବଢ଼ି ପାରିବେ ସେହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ୟକ୍ରମରେ ସ୍ୱାମୀ ବିବେକା ନନ୍ଦ ଶିଶୁସଂଘର ସଦସ୍ୟ, ସଦସ୍ୟାଗଣ ଏଵଂ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ। ରୋପ କର୍ମକର୍ତ୍ତା ଜୁଲି ମାହାନ୍ତ, ଭୂମିଶ୍ୱେତା ଧୁରୁଆ ଏବଂ ସ୍ୱାମୀ ବିବେକା ନନ୍ଦ ଶିଶୁ ସଂଘର ଲିଡର ଗୁଞ୍ଜନ ଠାକୁର ସହଯୋଗ କରିଥିଲେ।

