ଭାଇ ହେଲା ଭଗାରୀ: ଜମି ବିବାଦରୁ ସଙ୍ଘବଦ୍ଧ ଆକ୍ରମଣ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ବାରସ୍ଥ ହେଲା ପୀଡ଼ିତ ପରିବାର ।
ବଲାଙ୍ଗୀର,୧୫।୬: ଜମିବାଡ଼ି କଳହକୁ କେନ୍ଦ୍ର କରି ରକ୍ତ ସମ୍ପର୍କରେ ପଡ଼ିଛି କଳା ଦାଗ। “ଭାଇ ହେଲା ଭଗାରୀ” ଉକ୍ତିକୁ ଚରିତାର୍ଥ କରି ଜମି ବିବାଦରୁ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ନିର୍ମମ ଭାବେ ରକ୍ତାକ୍ତ କରାଯାଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଗୌଡ଼ତୋଲା ଗାଁର ଅଶୋକ ସାହୁ ଏହି ସଙ୍ଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ସ୍ଥାନୀୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ, ଶେଷରେ ନ୍ୟାୟ ଭିକ୍ଷା କରି ପୀଡ଼ିତ ପରିବାର ବଲାଙ୍ଗିର ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗୌଡ଼ତୋଲା ଗାଁର ଅଶୋକ ସାହୁଙ୍କ ସହ ତାଙ୍କ ପରିବାରର ଜମି ବିବାଦ ଦୀର୍ଘ ଦିନ ହେବ ଲାଗି ରହିଥିଲା। ତେବେ ଏହି ବିବାଦ ଉଗ୍ର ରୂପ ନେଇଥିଲା, ଯେତେବେଳେ ବିପକ୍ଷ ଦଳ ସଙ୍ଘବଦ୍ଧ ଭାବେ ମାରଣାସ୍ତ୍ର ଓ ଠେଙ୍ଗାରେ ଅଶୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଅଶୋକ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ।
ହସ୍ପିଟାଲରୁ ସୁସ୍ଥ ହେବା ପରେ ପୀଡ଼ିତ ଅଶୋକ ସାହୁ ଏ ନେଇ ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗର ଦୀର୍ଘ ସମୟ ପରେ ମଧ୍ୟ ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପୋଲିସର ଏଭଳି ନିଷ୍କ୍ରିୟତାରେ ଅତିଷ୍ଠ ହୋଇ ଏବଂ ଅଭିଯୁକ୍ତଙ୍କ ସମ୍ଭାବ୍ୟ ଭୟରେ, ଶ୍ରୀ ସାହୁ ନିଜ ପତ୍ନୀ ଓ ଛୋଟ ଝିଅକୁ ସାଙ୍ଗରେ ଧରି ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP)ଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ବର୍ତ୍ତମାନ ଏସ୍ପିଙ୍କ ହସ୍ତକ୍ଷେପ ପରେ ସିନ୍ଧେକେଲା ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର ରହିଛି।

