Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ; ଗାଡ଼ି ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ଠପ୍ ।

ବଲାଙ୍ଗୀର,୧୬।୬: କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ସହ ୧୫ ଦଫା ଦାବି ନେଇ ଆଜି ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡ଼ାକରା ଦିଆଯାଇଛି । ମଙ୍ଗଳବାର ସକାଳୁ ଏହି ବନ୍ଦ ପାଳନ ଯୋଗୁଁ ଅଞ୍ଚଳରେ ଗାଡ଼ି ମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବା ସହ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତେବେ ଜରୁରୀକାଳୀନ ସେବା ଗୁଡିକୁ ଏହି ବନ୍ଦରୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଛି ।
ଆନ୍ଦୋଳନକାରୀ ମାନେ ସ୍ଥାନୀୟ ଇନ୍ଦିରା ଛକ ଠାରେ ଏକତ୍ରିତ ହୋଇ ଡବଲ ଇଞ୍ଜିନ ସରକାରର ଅମାନିଆ ମନୋଭାବ ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ଡାକରାକୁ ଦଳମତ ନିର୍ବିଶେଷରେ ଅଞ୍ଚଳର ସମସ୍ତେ ବ୍ୟାପକ ସମର୍ଥନ ଜଣାଇଛନ୍ତି । ସ୍ଥାନୀୟ ନଗରପାଳ ବରୀୟାମ ସିଂ ସାଲୁଜା, ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ନାୟକ, ହେମାଳ ସଂଘ ସଭାପତି ଶେଷଦେବ ପୁଟେଲ, ନାଗରିକ କମିଟି ଏବଂ ସମସ୍ତ ବ୍ୟବସାୟୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଏହି ଆନ୍ଦୋଳନକୁ ପ୍ରତ୍ୟକ୍ଷ ଭାବେ ସମର୍ଥନ ଦେଇ ରାଜପଥକୁ ଓହ୍ଲାଇଛନ୍ତି ।
ଆନ୍ଦୋଳନ ପ୍ରେକ୍ଷାପଟ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ବିଶ୍ୱନାଥ ଖାଲଖୋଙ୍କ ଜରିଆରେ ପ୍ରଦାନ କରାଯାଇଛି ।
୧.କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ପ୍ରସ୍ତାବିତ କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ନର୍ସିଂ କଲେଜ, ସାଇନିକ୍ ବିଦ୍ୟାଳୟ ଏବଂ ଆଇନ କଲେଜ ପ୍ରତିଷ୍ଠା ।
୨.ସ୍ଥାନୀୟ କେଭି କଲେଜକୁ ସ୍ୱୟଂଶାସିତ (Autonomous) କଲେଜର ମାନ୍ୟତା ପ୍ରଦାନ ।
୩.କଣ୍ଟାବାଞ୍ଜି ସିଏଚ୍ସି (CHC) ହସ୍ପିଟାଲକୁ ଏସ୍ଡିଏଚ୍ (SDH) ମାନ୍ୟତାକୁ ଉନ୍ନୀତ କରିବା କିମ୍ବା ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ।
୪.ନିର୍ବାଚନମଣ୍ଡଳୀ ମଧ୍ୟରେ ଏକ ସୂତାକଳ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ମଞ୍ଜୁର ।
୫.ଏନଏସି (NAC) କୁ ପୌରପାଳିକା (Municipality) ରେ ଉନ୍ନୀତ କରିବା । ସବ-କଲେକ୍ଟର କ୍ୟାମ୍ପ କୋର୍ଟ ନିୟମିତ ଭାବରେ ପରିଚାଳନା କରିବା ।
ପ୍ରତି ମାସରେ ସ୍ଥାୟୀ ଭାବରେ ଆରଟିଓ (RTO) କ୍ୟାମ୍ପ ଅଫିସ୍ ସହ ସ୍ଥାୟୀ ସହାୟକ ଶ୍ରମ କାର୍ଯ୍ୟାଳୟ (Labour Office) ପ୍ରତିଷ୍ଠା ।
ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହିସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଟ୍ରକ ମାଲିକ ସଂଘ ଓ ସ୍ଥାନୀୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories