ପିଲାଙ୍କ ହାତରେ ନିଶା ନୁହେଁ, ଭବିଷ୍ୟତ ଗଠନର ଦାୟିତ୍ୱ ବାଳ ଅପରାଧ ରୋକିବାକୁ ଅଭିଭାବକଙ୍କୁ ଥାନା ଅଧିକାରୀଙ୍କ ସଚେତନ ବାର୍ତ୍ତା
ଝାରସୁଗୁଡ଼ା ୧୫/୯ (ଓଡ଼ିଶା ନ୍ୟୁଜ): ମାଦକ ଦ୍ରବ୍ୟର କୁପ୍ରଭାବରୁ କିଶୋର ଓ ଯୁବପିଢ଼ିକୁ ଦୂରେଇ ରଖିବା ସହ ବାଳ ଅପରାଧକୁ ରୋକିବା ପାଇଁ ପରିବାର ଓ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲାଙ୍କ ହାତରେ ନିଶା ନୁହେଁ, ଭବିଷ୍ୟତର ଦାୟିତ୍ୱ ଦେବାକୁ ପଡ଼ିବ। ଏଥିପାଇଁ ଅଭିଭାବକ ମାନେ ପିଲାଙ୍କ ଗତିବିଧି, ସାଙ୍ଗସାଥୀ ଓ ଆଚରଣ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଝାରସୁଗୁଡା ଜିଲ୍ଲା ର ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି।
ମାଦକ ଦ୍ରବ୍ୟର ବ୍ୟବହାର ଯୁବପିଢ଼ିଙ୍କ ଶିକ୍ଷା, ଭବିଷ୍ୟତ ଓ ସାମାଜିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ। ଅନେକ ସମୟରେ ନିଶା ପ୍ରଭାବରେ ଯୁବକ ମାନେ ଭୁଲ ନିଷ୍ପତ୍ତି ନେଇ ବିଭିନ୍ନ ଅପରାଧରେ ଜଡ଼ିତ ହେବାର ଆଶଙ୍କା ରହିଥାଏ। ତେଣୁ କିଶୋର ବୟସରୁ ପିଲା ମାନଙ୍କୁ ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଆବଶ୍ୟକତା ରହିଛି ।
ସେହିପରି ବାଳ ଅପରାଧ ରୋକିବାରେ ପରିବାରର ଭୂମିକାକୁ ମଧ୍ୟ ଶ୍ରୀ ନାୟକ ଗୁରୁତ୍ୱ ଦେଇଛନ୍ତି। ପିଲା ମାନଙ୍କ ମଧ୍ୟରେ ହଠାତ୍ ଆଚରଣ ପରିବର୍ତ୍ତନ, ପାଠପଢ଼ା ପ୍ରତି ଅନାଗ୍ରହ କିମ୍ବା ଭୁଲ ସାଙ୍ଗସାଥୀଙ୍କ ସଂସ୍ପର୍ଶ ଭଳି ଲକ୍ଷଣ ଦେଖାଗଲେ ଅଭିଭାବକ ମାନେ ଏହାକୁ ଅଣଦେଖା ନ କରି ପିଲାଙ୍କ ସହ ଆଲୋଚନା କରିବା ଆବଶ୍ୟକ। ଦଣ୍ଡ ଅପେକ୍ଷା ସ୍ନେହ, ବୁଝାମଣା ଓ ସଠିକ୍ ମାର୍ଗଦର୍ଶନ ମାଧ୍ୟମରେ ପିଲାଙ୍କୁ ଠିକ୍ ରାସ୍ତାରେ ନେବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି।
ଏହାସହ ଶିକ୍ଷାନୁଷ୍ଠାନ ଓ ସମାଜରେ ମଧ୍ୟ ପିଲା ମାନଙ୍କ ପାଇଁ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି ଦରକାର। ମାଦକ ଦ୍ରବ୍ୟର ବେଆଇନ କାରବାର କିମ୍ବା ପିଲା ମାନଙ୍କୁ ଅପରାଧ ଦିଗକୁ ପ୍ରବର୍ତ୍ତାଉ ଥିବା କୌଣସି ଘଟଣା ସମ୍ପର୍କରେ ଜାଣିଲେ ତୁରନ୍ତ ନିକଟସ୍ଥ ପୁଲିସ ଥାନାକୁ ସୂଚନା ଦେବାକୁ ସେ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମାଦକ ଦ୍ରବ୍ୟର ପ୍ରସାର ରୋକିବା ସହ ବାଳ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସର ପଦକ୍ଷେପ ସହିତ ଜନସାଧାରଣଙ୍କ ସହଯୋଗ ମଧ୍ୟ ଆବଶ୍ୟକ। ଅଭିଭାବକ, ଶିକ୍ଷକ, ଯୁବସମାଜ ଓ ସଚେତନ ନାଗରିକମାନେ ଏକଜୁଟ ହୋଇ କାମ କଲେ ଏକ ନିଶାମୁକ୍ତ ଓ ଅପରାଧ ମୁକ୍ତ ସମାଜ ଗଠନ ସମ୍ଭବ ବୋଲି ଶ୍ରୀ ନାୟକ କହିଛନ୍ତି ।

