Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଛ ତଳେ ଚାଲିଛି ସ୍ୱାସ୍ଥ୍ୟସେବା: ଜୁନାନୀ ଗାଁରେ ‘ହେଲ୍‌ଥ ଆଣ୍ଡ ୱେଲନେସ୍ ସେଣ୍ଟର’ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଜୋରଦାର ଦାବି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକଲିପଡ଼ା ପଞ୍ଚାୟତର ଜୁନାନୀ ଗାଁରୁ ଗ୍ରାମୀଣ ସ୍ୱାସ୍ଥ୍ୟସେବାର ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ସରକାର ପ୍ରତ୍ୟନ୍ତ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି କରୁଥିବା ବେଳେ ଏହି ଗାଁରେ ସରକାରୀ ଗୃହର ଘୋର ଅଭାବ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମାସର ପ୍ରଥମ ଏବଂ ତୃତୀୟ ଶନିବାର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେଉଛି ସତ, କିନ୍ତୁ କୌଣସି ସ୍ଥାୟୀ କୋଠା ନ ଥିବାରୁ ରାସ୍ତା କଡ଼ ବରଗଛ ଛାଇରେ ପ୍ଲାଷ୍ଟିକ୍ ଟେବୁଲ୍ ଓ ଚୌକି ପକାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀମାନେ ଖୋଲା ଆକାଶ ତଳେ ବସି ଗ୍ରାମବାସୀଙ୍କ ରକ୍ତଚାପ (ବିପି) ପରୀକ୍ଷା କରିବା ସହ ପ୍ରାଥମିକ ଔଷଧ ବଣ୍ଟନ କରୁଛନ୍ତି। ଗାଁରେ କୌଣସି ପକ୍କା ଆଶ୍ରୟସ୍ଥଳ ନ ଥିବାରୁ ବୃଦ୍ଧବୃଦ୍ଧା, ମହିଳା ଓ ଛୋଟ ପିଲାମାନେ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହୋଇ ଚିକିତ୍ସା ପାଇଁ ଅପେକ୍ଷା କରୁଛନ୍ତି। ବିଶେଷ କରି ବର୍ଷା ଋତୁରେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ୁଛି। ହଠାତ୍ ବର୍ଷା ଆସିଲେ ରୋଗୀଙ୍କ ସମେତ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀମାନେ ଭିଜିବା ସହ ମୂଲ୍ୟବାନ ଔଷଧପତ୍ର ଓ ଚିକିତ୍ସା ଉପକରଣ ନଷ୍ଟ ହେବାର ଆଶଙ୍କା ରହୁଛି। ଅନ୍ୟ କୌଣସି ବିକଳ୍ପ ସରକାରୀ ଘର ନ ଥିବାରୁ ଏଭଳି ପ୍ରତିକୂଳ ପରିବେଶ ମଧ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।
ଏଭଳି ଅଭାବନୀୟ ସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୌଳିକ ସୁବିଧା ବିନା ଗଛ ତଳେ ଏଭଳି ସ୍ୱାସ୍ଥ୍ୟସେବା ଚଳାଇବା ପ୍ରହସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜୁନାନୀ ଗାଁରେ ତୁରନ୍ତ ଏକ ସ୍ଥାୟୀ “ହେଲ୍‌ଥ ଆଣ୍ଡ ୱେଲନେସ୍ ସେଣ୍ଟର” (Health and Wellness Centre) ବା ସ୍ୱାସ୍ଥ୍ୟ ୟୁଟିଲିଟି ସେଣ୍ଟର ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି। ଏହି ସମସ୍ୟା ସମ୍ପର୍କରେ ଫାସିମାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ହରିଶ୍ଚନ୍ଦ୍ର ବାଗ୍‌ଙ୍କୁ ଯୋଗାଯୋଗ କରି ପଚାରିବାରୁ, ସେ ଏହି ସ୍ଥିତି ସମ୍ପର୍କରେ ଅବଗତ ଥିବା ସ୍ୱୀକାର କରିଛନ୍ତି। ଏଥିସହ ଜୁନାନୀ ଗାଁରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ନିମନ୍ତେ ବିଭାଗୀୟ ଉଚ୍ଚ ପ୍ରଶାସନ ନିକଟକୁ ଆନୁଷ୍ଠାନିକ ପ୍ରସ୍ତାବ ପଠାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏହି ପ୍ରସ୍ତାବକୁ ଗୁରୁତ୍ୱର ସହ ଗ୍ରହଣ କରି ଗୃହ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories