କୁଚିଣ୍ଡା ଆଇଟିଡିଏରେ ‘ବାଘ ନଥିଲେ ମିରିଗ ନାଟ’: ୬ ମାସ ହେଲା ପିଏ ପଦବୀ ଫାଙ୍କା, ଯନ୍ତ୍ରୀ-ଠିକାଦାରଙ୍କ ରାଜୁତିରେ ଚାଲିଛି ମହାଦୁର୍ନୀତିବଞ୍ଜାରୀ ସ୍କୁଲରେ ବଙ୍କା କଲମ୍, ବଡ଼ମାଲ୍ ଯାମୁମାଲ ସେବାଶ୍ରମ ସ୍କୁଲରେ ମାତ୍ର ୭.୮ ଇଞ୍ଚର ଖୁଣ୍ଟ: ୫ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟାଳୟରେ ଏବେ ‘ବାଘ ନଥିଲେ ମିରିଗ ନାଟ’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୬ ମାସରୁ ଅଧିକ ସମୟ ଧରି ଏଠାରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ପ୍ରକଳ୍ପ ପ୍ରଶାସକ (ପିଏ) ପଦବୀ ଖାଲି ପଡ଼ିଥିବାରୁ କୌଣସି ଅଙ୍କୁଶ ନାହିଁ। ଏହାର ସୁଯୋଗ ନେଇ କାର୍ଯ୍ୟାଳୟର କିଛି ଦାୟିତ୍ୱହୀନ ଯନ୍ତ୍ରୀ ଓ ଠିକାଦାର ନିଜ ମନମୁଖୀ ଶାସନ ଚଳାଇଛନ୍ତି ଏବଂ ବିଭାଗ ପକ୍ଷରୁ ଚାଲିଥିବା ପ୍ରତ୍ୟେକ ନିର୍ମାଣ କାର୍ଯ୍ୟରେ ଖୋଲାଖୋଲି ପିସି କାରବାର ସହ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି।
ଏହି ଚରମ ଅବହେଳା ଓ ଦୁର୍ନୀତିର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ ବଞ୍ଜାରୀ ସେବାଶ୍ରମ ସ୍କୁଲରେ। ଏହି ବିଦ୍ୟାଳୟରେ ଶିଶୁବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୬ ଜଣ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟରେ ପିଲାଙ୍କ ବସିବା ପାଇଁ ଆଇଟିଡିଏ ପକ୍ଷରୁ ନୂତନ ଦୁଇ ମହଲା କ୍ଲାସରୁମ୍ ନିର୍ମାଣ କରାଯାଉଛି। କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ, ନିର୍ମାଣାଧୀନ କୋଠାର କଲମ୍ (ଖୁଣ୍ଟ) ଗୁଡ଼ିକ ସିଧା ନରହି ବଙ୍କା ହୋଇ ରହିଛି ଏବଂ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଢଳେଇ ଓ ଗାନ୍ଧେଣୀ କାମ କରାଯାଇଛି।
ସେହିଭଳି ବଡ଼ମାଲ ପଞ୍ଚାୟତ ଜାମୂମାଲ ସ୍କୁଲରେ ମଧ୍ୟ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ କଲମ୍ଗୁଡ଼ିକୁ ମାତ୍ର ୭.୮ ଇଞ୍ଚ ମୋଟେଇର ରଖାଯାଇଛି, ଯାହାକି ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଅନୁରୂପ ଭାବେ କୁଚିଣ୍ଡା ଆଇଟିଡିଏ ଅଧୀନରେ ଥିବା ଅନ୍ୟାନ୍ୟ ସ୍କୁଲ ଓ ହଷ୍ଟେଲ ନିର୍ମାଣରେ ମଧ୍ୟ ସମାନ ଧରଣର ନିମ୍ନମାନର କାମ କରି ସରକାରୀ ତହବିଲ୍କୁ ହରିଲୁଟ୍ କରାଯାଉଛି। ତଦାରଖ କରିବାକୁ କୌଣସି ସ୍ଥାୟୀ ପିଏ ନଥିବାରୁ ଯନ୍ତ୍ରୀମାନେ ନିଜ କର୍ତ୍ତବ୍ୟ ଭୁଲି ଠିକାଦାରଙ୍କ ସହ ମିଶି କେବଳ କାଗଜପତ୍ରରେ ବିଲ୍ ପାସ୍ କରାଇବାରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି।
ଏହି ବିପଦସଙ୍କୁଳ ନିର୍ମାଣ କାର୍ଯ୍ୟକୁ ଦେଖି ସ୍କୁଲ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ବାଘ, ସଦସ୍ୟ ପ୍ରଫୁଲ୍ଲ ବାଘ, ଲକ୍ଷ୍ମୀ କାଉ, ଖିରୋଦ ବାଘ ଏବଂ କଳାକାର ବାଘ ପ୍ରମୁଖ ଘୋର କ୍ଷୋଭ ଓ ତୀବ୍ର ଉଦ୍ବେଗ ପ୍ରକାଶ କରିଛନ୍ତି। କୋମଳମତି ପିଲାଙ୍କ ମୁଣ୍ଡ ଉପରେ ଏଭଳି ଦୁର୍ବଳ ଓ ବଙ୍କା କୋଠା ଛିଡ଼ା କରି କାହା ସ୍ୱାର୍ଥରେ ସରକାରୀ ଟଙ୍କା ଲୁଟ୍ ଚାଲିଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋପୀନାଥ କାଲୋଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଫୋନ୍ ଉଠାଇ ନଥିଲେ। ପରେ ତାଙ୍କ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।
କୁଚିଣ୍ଡା ଆଇଟିଡିଏରେ ତୁରନ୍ତ ଜଣେ ଦକ୍ଷ ପିଏ ନିଯୁକ୍ତି ଦେବା ସହ ବିଭାଗୀୟ ଦୁର୍ନୀତିର ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଆଇଟିଡିଏ କାର୍ଯ୍ୟାଳୟ ଆଗରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

