ବୀରମହାରାଜପୁର ମିନି ଷ୍ଟାଡିୟମ ର ଉନ୍ନତି କରଣ ସହିତ ନୂତନ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ସ୍ଥାନ ନିରୁପଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ମିନି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ମିନି ଷ୍ଟାଡିୟମର ଉନ୍ନତିକରଣ ସହିତ ଏକ ନୂତନ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ଏ ଅବସରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ନିଜେ ଉପସ୍ଥିତ ରହି ଉପଜିଲ୍ଲାପାଳ, ତହସିଲଦାର ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କାର୍ଯ୍ୟ ତଦାରଖ କରିଥିଲେ।
ପ୍ରସ୍ତାବିତ ଇନଡୋର ଷ୍ଟାଡିୟମ ନିର୍ମାଣ ହେଲେ ଅଞ୍ଚଳର କ୍ରୀଡ଼ାବିତ୍ମାନଙ୍କ ସହ ଯୁବପିଢ଼ିଙ୍କୁ ବିଭିନ୍ନ କ୍ରୀଡ଼ାର ଅଭ୍ୟାସ ଓ ପ୍ରଶିକ୍ଷଣ ପାଇଁ ଉନ୍ନତ ସୁବିଧା ମିଳିପାରିବ। ବିଶେଷକରି ଇନଡୋର କ୍ରୀଡ଼ା ପାଇଁ ଏହା ଏକ ନୂତନ ସୁଯୋଗ ସୃଷ୍ଟି କରିବା ସହ ଅଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ବୀରମହାରାଜପୁରକୁ କ୍ରୀଡ଼ା କ୍ଷେତ୍ରରେ ଆହୁରି ସଶକ୍ତ କରିବା ସଙ୍ଗେସଙ୍ଗେ ଯୁବପିଢ଼ିଙ୍କୁ ଉନ୍ନତ କ୍ରୀଡ଼ା ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ସ୍ଥାନିୟ ବିଧାୟକ ଇଂ. ରଘୁନାଥ ଜଗଦଳା କହିଛନ୍ତି, “ଯୁବପିଢ଼ିର ସ୍ୱପ୍ନ, ଆମ କ୍ରୀଡ଼ାବିତ୍ମାନଙ୍କ ଆଶା ଏବଂ ବୀରମହାରାଜପୁରର ବିକାଶର ଲକ୍ଷ୍ୟକୁ ଆଗକୁ ନେବା ଆମର ପ୍ରାଥମିକତା l କ୍ରୀଡ଼ାର ବିକାଶ, ଯୁବଶକ୍ତିର ବିକାଶ—ଏହା ହିଁ ଆମର ସଂକଳ୍ପ।”
ମିନି ଷ୍ଟାଡିୟମର ଭିତ୍ତିଭୂମି ଉନ୍ନତିକରଣ ସହ ଆଗାମୀ ଦିନରେ ଆଧୁନିକ ଓ ସୁବିଧାସମ୍ପନ୍ନ କ୍ରୀଡ଼ା ପରିସର ଗଢ଼ି ଉଠିଲେ ବୀରମହାରାଜପୁର ଅଞ୍ଚଳର କ୍ରୀଡ଼ା ଜଗତକୁ ଏହା ଏକ ନୂଆ ଦିଗ ଦେବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।

