Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତରୁ ଖସିପଡ଼ି ଚାଷୀଙ୍କ ଅକାଳ ମୃତ୍ୟୁ: ଅଞ୍ଚଳରେ ହାତୀ ଭୟ ଓ ବିଜୁଳି କାଟ୍ ସାଜିଲା କାଳ, କ୍ଷତିପୂରଣ ଦାବି ।

ବଲାଙ୍ଗୀର,୧୮।୧୦: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ କୁଡ଼ାସିଂହା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଛାତରୁ ଖସିପଡ଼ି ସ୍ଥାନୀୟ ଚାଷୀ ଶରତ ବାଗଙ୍କର ଅକାଳ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମ ଓ ଆଖପାଖ ଅଞ୍ଚଳରେ ଦୀର୍ଘଦିନ ହେବ ହାତୀଙ୍କ ପ୍ରାଦୁର୍ଭାବ ଓ ଭୟ ଲାଗିରହିଥିଲା। ଘଟଣା ରାତିରେ ବିଜୁଳି ସରବରାହ ବନ୍ଦ (ଲାଇନ୍ କାଟ୍) ଥିବାରୁ ଏବଂ ହାତୀ ଭୟ ଯୋଗୁଁ ଶରତ ଛାତ ଉପରେ ଶୋଇବାକୁ ଯାଇଥିଲେ। ତେବେ କୌଣସି କାରଣବଶତଃ ରାତିରେ ଛାତରୁ ତଳକୁ ଓହ୍ଲାଉଥିବା ସମୟରେ ଗୋଡ଼ ଖସିପଡ଼ି ସେ ଗୁରୁତର ଆହାତ ହୋଇଥିଲେ।
ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୋଲିସ ହସପିଟାଲରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ (ପୋଷ୍ଟମୋର୍ଟମ୍) କରାଇବା ପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ମୃତ ଶରତ ହିଁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ, ଏହି ଅଭାବନୀୟ ଘଟଣା ପରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଚାଷୀଙ୍କ ସହାୟତା ପାଇଁ ସରକାରୀ ସ୍ତରରେ ଉପଯୁକ୍ତ କ୍ଷତିପୂରଣ ଓ ସାହାଯ୍ୟ ଯୋଗାଇଦେବାକୁ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories