ମୁରିବାହାଲ ହାଇସ୍କୁଲ ପଡ଼ାରେ ଆନନ୍ଦୋଲ୍ଲାସର ସହ ପାଳିତ ହେଲ ନିଷ୍ଠା ଓ ଭ୍ରାତୃପ୍ରେମର ଅନନ୍ୟ ପର୍ବ: ‘ଭାଇ ଜିଉନ୍ତିଆ’ ।
ବଲାଙ୍ଗୀର,୧୮।୧୦: ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଭାଇ-ଭଉଣୀର ନିବିଡ଼ ସମ୍ପର୍କ ଏବଂ ଅନାବିଳ ସ୍ନେହର ପ୍ରତୀକ ‘ଭାଇ ଜିଉନ୍ତିଆ’ ପୂଜା ଆଜି ମୁରିବାହାଲ ମୁଖ୍ୟାଳୟ ସ୍ଥିତ ହାଇସ୍କୁଲ ପଡ଼ାଠାରେ ଅତ୍ୟନ୍ତ ଭକ୍ତି ଓ ଉତ୍ସବମୁଖର ପରିବେଶରେ ପାଳିତ ହୋଇଯାଇଛି।
ଆଜି ସକାଳୁ ହାଇସ୍କୁଲ ପଡ଼ା ଅଞ୍ଚଳର ଭଉଣୀ ମାନେ ନିଜ ଭାଇର ଦୀର୍ଘାୟୁ, ସୁଖ, ସମୃଦ୍ଧି ଏବଂ ଆରୋଗ୍ୟ କାମନା କରି କଠିନ ନିର୍ଜଳା ବ୍ରତ ଧାରଣ କରିଥିଲେ। ପରିବାର ଓ ସାହିର ମଙ୍ଗଳ ପାଇଁ ନିଷ୍ଠାର ସହ ଏହି ସଂକଳ୍ପ ନିଆଯାଇଥିଲା।
ଅପରାହ୍ନ ଓ ସନ୍ଧ୍ୟା ସମୟରେ ହାଇସ୍କୁଲ ପଡ଼ା ସ୍ଥିତ ପୂଜାସ୍ଥଳୀରେ ସମସ୍ତ ଭଉଣୀମାନେ ଏକତ୍ରିତ ହୋଇଥିଲେ। ସେଠାରେ ୧୦୮ ପ୍ରକାର ଶାକ-ସବ୍ଜି, ବିଭିନ୍ନ ଫଳମୂଳ ଏବଂ ପୂଜା ସାମଗ୍ରୀ ସହ ଜିଉନ୍ତିଆ ସୂତାକୁ ରଖି ବିଧିପୂର୍ବକ ମାଁ ଦୂର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୁରୁହିତଙ୍କ ମନ୍ତ୍ରଉଚ୍ଚାରଣ ଏବଂ ମହିଳାମାନଙ୍କ ହୁଳହୁଳିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ପୂଜା କାର୍ଯ୍ୟ ସମ୍ପନ୍ନ ହେବା ପରେ ଭଉଣୀମାନେ ଭାଇମାନଙ୍କ କପାଳରେ ଚନ୍ଦନ ଓ ସିନ୍ଦୂରର ଟିକା ଲଗାଇଥିଲେ। ଏହାପରେ ଭାଇଙ୍କ ଡାହାଣ ହାତରେ ନିଷ୍ଠାର ଜିଉନ୍ତିଆ ସୂତା ବାନ୍ଧି ତାଙ୍କର ମଙ୍ଗଳ କାମନା କରିବା ସହ ପୂଜା ଦୂବ ବନ୍ଦାଇ ଆଶୀର୍ବାଦ ପ୍ରଦାନ କରିଥିଲେ। ଭାଇମାନେ ମଧ୍ୟ ନିଜ ଭଉଣୀମାନଙ୍କୁ ଉପହାର ପ୍ରଦାନ କରି ସେମାନଙ୍କୁ ସର୍ବଦା ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ।
ମୁରିବାହାଲ ହାଇସ୍କୁଲ ପଡ଼ାରେ ଅନୁଷ୍ଠିତ ପୂଜା ପଶ୍ଚିମ ଓଡ଼ିଶାର ସୁନ୍ଦର ସାଂସ୍କୃତିକ ପରମ୍ପରାକୁ ଆହୁରି ଜୀବନ୍ତ କରିଛି। ଏହି ପର୍ବ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ପରିବାରର ପରସ୍ପର ପ୍ରତି କର୍ତ୍ତବ୍ୟବୋଧ ଓ ଅତୁଟ ସ୍ନେହର ଏକ ଜ୍ୱଳନ୍ତ ଉଦାହରଣ ଅଟେ।

