ବଲାଙ୍ଗୀର: ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ ।
ବଲାଙ୍ଗୀର,୭।୧୧: ବଲାଙ୍ଗୀର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଥିଲେ ଏବଂ ପରେ ସେମାନଙ୍କର ପ୍ରାଣହାନି ଘଟିଛି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇଜଣ ଯୁବକ ହେଲେ କାହ୍ନା ସରବଙ୍ଗ ଏବଂ ବିନୋଦ ପାଇକ୍। ଉଭୟଙ୍କ ଘର ସୁବର୍ଣ୍ଣପୁର (ତରଭା) ଅଞ୍ଚଳର ଶିବତଲା ଗ୍ରାମ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସେମାନେ କୌଣସି କାମରେ ବାଇକ ଯୋଗେ ବଲାଙ୍ଗୀର ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଇଁତଳା ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିଛି ଏବଂ ସମଗ୍ର ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ଏଭଳି ଅଚାନକ ମୃତକଙ୍କ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଶୋକସନ୍ତପ୍ତ ପରିବାରବର୍ଗ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦୁର୍ଘଟଣା ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରାଯାଇଛି।

