Stock Market Rally: ଖୋଲୁ ଖୋଲୁ ହଜାରେ ପଏଣ୍ଟରୁ ଅଧିକ ବଢ଼ିଲା ସେନସେକ୍ସ, ନିବେଶକଙ୍କ ମୁହଁରେ ହସ
ମୁମ୍ବାଇ: ନଭେମ୍ବର ୧୧, ମଙ୍ଗଳବାର ଦିନ ଭାରତୀୟ ଶେୟାର ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। କାରବାର ଆରମ୍ଭ ହେବା ସହ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧,୦୫୨.୩୯ ପଏଣ୍ଟ ବା ୧.୩୦ ପ୍ରତିଶତ ବଢ଼ି ୮୨,୧୫୯.୦୪ ସ୍ତରରେ ପହଞ୍ଚିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି-୫୦ ୨୮୬.୨୦ ପଏଣ୍ଟ ବା ୧.୧୪ ପ୍ରତିଶତ ବୃଦ୍ଧି ସହ ୨୫,୩୩୦.୮୫ ସ୍ତରରେ କାରବାର କରୁଥିଲା।
ସକାଳ ୯ଟା ୩୪ ମିନିଟ୍ ସୁଦ୍ଧା ସେନସେକ୍ସର ଏହି ବୃଦ୍ଧି ଆହୁରି ବଢ଼ି ୧,୨୨୨.୪୫ ପଏଣ୍ଟରେ ପହଞ୍ଚିଥିଲା। ଏହା ୧.୫୧ ପ୍ରତିଶତ ବୃଦ୍ଧି ସହ ୮୨,୩୨୯.୧୦ ସ୍ତରରେ କାରବାର କରୁଥିଲା। ଅନ୍ୟପଟେ ନିଫ୍ଟି ୩୨୩ ପଏଣ୍ଟ ବା ୧.୨୯ ପ୍ରତିଶତ ବଢ଼ି ୨୫,୩୬୭.୬୫ ସ୍ତର ଛୁଇଁଥିଲା। ଅଟୋ, PSU ବ୍ୟାଙ୍କ, FMCG, IT, ମେଟାଲ୍ ଓ ରିଅଲ୍ ଇଷ୍ଟେଟ୍ ସମେତ ପ୍ରାୟ ସମସ୍ତ କ୍ଷେତ୍ରର ସୂଚକାଙ୍କ ସବୁଜ ସଂକେତରେ କାରବାର କରୁଥିଲା। ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ସୂଚକାଙ୍କ ମଧ୍ୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲା।
ବଜାରର ଏହି ଉତ୍ସାହ ପଛରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI)ଙ୍କ ନିବେଶ ଏବଂ କମ୍ପାନୀଗୁଡ଼ିକର ଭଲ ଦ୍ୱିତୀୟ ତ୍ରୈମାସିକ ଫଳାଫଳକୁ ପ୍ରମୁଖ କାରଣ ଭାବେ ଦେଖାଯାଉଛି। ଉପଲବ୍ଧ ତଥ୍ୟ ଅନୁସାରେ, ନଭେମ୍ବରର ପ୍ରାରମ୍ଭିକ ଦିନଗୁଡ଼ିକରେ FPIମାନେ ଭାରତୀୟ ବଜାରରେ ୫୩,୧୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି। ଏହି ନିବେଶ ଯୋଗୁଁ ବଜାରରେ କ୍ରୟ ବଢ଼ିଥିବା କୁହାଯାଉଛି।

