ତବଲାକଟା ଟୋଲ ଗେଟ୍ ବିବାଦ: ଅଭିଯୋଗ ଶୁଣାଣିରେ ୬ ପଞ୍ଚାୟତବାସୀଙ୍କ ଦାବି; ୨୦ କିମି ପରିଧିର ଗାଡ଼ିକୁ ଟୋଲ ଛାଡ଼ ପ୍ରତିଶ୍ରୁତି
ଜମନକିରା : ଭୋଜପୁର ନିକଟସ୍ଥ ତବଲାକଟା ଟୋଲ ଗେଟ୍ ଶୁଭାରମ୍ଭ ହେବାର ମାତ୍ର ଚାରି ଦିନ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ ଶୁକ୍ରବାର ଠାରୁ ଏହି ଟୋଲ ପ୍ଲାଜା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତ ସମସ୍ୟାର ସମାଧାନ ପାଇଁ ଆଜି ଅଞ୍ଚଳବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଟୋଲ ପ୍ଲାଜା ଆଖପାଖ ୬ଟି ପଞ୍ଚାୟତର ଶତାଧିକ ବାସିନ୍ଦା ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ସ୍ଥାନୀୟ ଯାନବାହନକୁ ସମ୍ପୂର୍ଣ୍ଣ ଟୋଲ ମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ତବଲାକଟା ଟୋଲ ଗେଟ୍ ଆରମ୍ଭ ହେବା ମାତ୍ରେ ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ରିହାତି ନଦେଇ ମନଇଚ୍ଛା ଟୋଲ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗତକାଲି ସ୍ଥାନୀୟ ଯୁବକ ଓ ଅଞ୍ଚଳବାସୀ ବାଇକ୍ ଯୋଗେ ପହଞ୍ଚି ଟୋଲ ଗେଟ୍ କାର୍ଯ୍ୟାଳୟ ଘେରାଉ କରିବା ସହ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୈନନ୍ଦିନ କାମଧନ୍ଦା, ବ୍ୟବସାୟ ତଥା ଜରୁରୀକାଳୀନ ସେବା ପାଇଁ ଯାତାୟାତ କରୁଥିବା ନିକଟବର୍ତ୍ତୀ ଗ୍ରାମବାସୀଙ୍କଠାରୁ ଟୋଲ ଆଦାୟ ଗ୍ରହଣୀୟ ନୁହେଁ ବୋଲି ସେମାନେ ଚେତାବନୀ ଦେଇଥିଲେ ।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଯୁଗ୍ମ ଜନଶୁଣାଣୀ ଅଭିଯୋଗରେ ଉପସ୍ଥିତ ଥିବା ଅଧିକାରୀଙ୍କ ଉପସ୍ଥିତିରେ ୬ଟି ପଞ୍ଚାୟତର ପ୍ରତିନିଧିମାନେ ନିଜର ପକ୍ଷ ରଖିଥିଲେ। ଲୋକଙ୍କ ଅସୁବିଧା ଓ ଦାବିକୁ ଗୁରୁତ୍ୱର ସହ ବିଚାର କରି ଟୋଲ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ଆସୁଥିବା ଗ୍ରାମଗୁଡ଼ିକର ସ୍ଥାନୀୟ ଗାଡ଼ିଗୁଡ଼ିକୁ ଟୋଲ (ଟ୍ୟାକ୍ସ) ମୁକ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭାଗ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ସେମାନେ ଖୁବ୍ ଶୀଘ୍ର ଟୋଲ ଛାଡ କରିବେ ବୋଲି କହିଥିବା କଥା କହିଥିଲେ। ଟୋଲ୍ ପ୍ଲାଜା ଶୁଭାରମ୍ଭର ଆଜକୁ ଚାରି ଦିନ ପରେ ପ୍ରଶାସନର ଏହି ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

