Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ କାର୍ଗିଲ୍ ବିଜୟ ଦିବସ ପାଳିତ ସହ ବିଦାୟୀ ଏସଡିପିଓଙ୍କୁ ବିଦାୟ ସମ୍ବର୍ଦ୍ଧନା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ଆଜି ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ସଭାପତି ସୁବାସଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ କାରଗିଲ ବିଜୟ ଦିବସ ସହ ବିପ୍ଳବୀନି ମାଳତୀ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଏଥିରେ କୁଚିଣ୍ଡାର ବିଦାୟୀ ଏସଡିପିଓ ତଥା କବି ରାଜକିଶୋର ମିଶ୍ର ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସାଧୁ ଶିବାନନ୍ଦ ଜୀ ମହାରାଜ ଯୋଗ ଦେଇ ଦିବସର ମହତ୍ତ୍ଵ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ମାଳତୀ ଦେବୀଙ୍କ ଉତ୍ସର୍ଗିତ ଜୀବନ ସଂପର୍କରେ ଆଲୋଚନା କରିଥିଲେ। ସେମାନେ କାରଗିଲ ଲଢେଇ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ସହ ସହିଦ ମାନଙ୍କୁ ଦୀପଦାନ ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଥିଲେ। ମଣିପୁର ରେ ଜଣେ କାରଗିଲ ସଂଗ୍ରାମୀଙ୍କ ପତ୍ନୀଙ୍କୁ କରାଯାଇଥିବା ଅତ୍ୟାଚାରର ତୀବ୍ର ନିନ୍ଦା କରିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ଲୋକପ୍ରିୟ ପୋଲିସ ଅଧିକାରୀ ଭାବରେ ସୁନାମ ଅର୍ଜନ କରିଥିବା ବିଦାୟୀ ଏସଡିପିଓ ଶ୍ରୀ ମିଶ୍ରଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମିଶ୍ର କାରଗିଲ ଲଢେଇ ଉପରେ ବିସ୍ତୃତ ବର୍ଣ୍ଣନା ଦେବା ସହ ତାଙ୍କ କୁଚିଣ୍ଡା ରହଣିର ମଧୁର ମୁହୂର୍ତ୍ତ ଗୁଡ଼ିକ ବର୍ଣ୍ଣନା କରି ସେ କୁଚିଣ୍ଡା ନିଜର ଦ୍ଵିତୀୟ ଘର ହୋଇ ଯାଇଛି ବୋଲି କୋହ ଭାର କଣ୍ଠରେ ମତ ରଖିଥିଲେ। ସେ ପ୍ରାରମ୍ଭରେ ମାଳଦି ଦେବୀ ଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଂଜଳି ଜଣାଇଥିଲେ। ସାମାଜିକ କର୍ମୀ ଟୁନା ସାମଲ ,ବିଜୁ ସାହୁ ,ବରିଷ୍ଟ ସାମ୍ବାଦିକ ଗଗନ ଶର୍ମା, କୁଚିଣ୍ଡା ସାମ୍ବାଦିକ ସଂଘ ସମ୍ପାଦକ ତନୟ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ସହିଦ ଓ ମାଳତୀ ଦେବୀଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ। ପରିଷଦର ସଭ୍ୟ ପଦ୍ମଲୋଚନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ