ଓଭରବ୍ରିଜ ନିକଟରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ପାଇଁ ଦାଵି କଲେ ମହନୀପୁର ଗ୍ରାମବାସୀ


ଦେବଗଡ:ଦେବଗଡ ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବା‌ରେ ଲାଗିଛି । ତେବେ ପୌରାଚଂଳର ପୁରୁଣାଗଡର ୪୯ନଂ ଜାତୀୟ ରାଜପଥର ଓଭର ବ୍ରିଜ ତଳେ ସଡକ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହିତ ଉକ୍ତ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ପାଇଁ ଦାବି ହୋଇଛି । ଏନେଇ ଆଜି ପୁରୁଣାଗଡ ଅଂଚଳର କିଛି ଯୁବକ ଦେବଗଡ ଜିଲ୍ଲାପାଳ ଏବଂ ଏସପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯା‌ୟୀ,ପୁରୁଣାଗଡର ୪୯ନଂ ଜାତୀୟ ରାଜପଥର ଓଭର ବ୍ରିଜ ତଳେ ବେଆଇନ ଭାବେ ଗାଡି ପାର୍କି ଓ ଉଠାଦୋକାନୀମା‌ନଙ୍କର ଆଡାସ୍ଥଳୀ ହୋଇଥିବା ଯୋଗଁୁ ବ୍ୟସ୍ତବହୁଳ ରାସ୍ତାରେ ବହୁ ଦୁର୍ଘଟଣା ଘଟିବା ସହିତ ବହୁ ଧନଜୀବନ ନଷ୍ଟ ହେଉଥିବା ସେମାନଙ୍କ ଉକ୍ତ ଦାବି ପତ୍ରରେ ଉଲ୍ଲେଖ ରହିଛି । ଏଠାରେ ସୂଚନାଯୋଗ୍ୟ, ଗତ ୯ ତାରିଖ ଦିନ ଉକ୍ତ ସ୍ଥାନରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ଉକ୍ତ ଦାବି ପତ୍ର ପ୍ରଦାନବେଳେ ରୋମାଂଚଳ ଖଡିରତ୍ନ, ଆନନ୍ଦ ଭୋଇ, ବିକାଶ ରଣଜିତ, ଭୋଳେଶ୍ବର ବେହେରାଙ୍କ ସମେତ ବହୁ ଯୁବକ ଉପସ୍ଥିତ ଥିଲେ ।