Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଉଁରପୁର ହାଇସ୍କୁଲ ଠାରେ “ମୋ ମାଟି ମୋ ଦେଶ” ଉତ୍ସବ ମହାସମାରୋହ ଅନୁଷ୍ଠିତ

ସମ୍ବଲପୁର-୧୫/୦୯ (ରମାକାନ୍ତ ବିଶ୍ୱାଳ)
ଜାତୀୟ ସ୍ତରରେ “ମୋ ମାଟି ମୋ ଦେଶ” ଉତ୍ସବ ଆୟୋଜନ ପରିପ୍ରେକ୍ଷୀରେ ସମ୍ବଲପୁର ମହାନଗର ସ୍ଥିତ ଚାଉଁରପୁର ହାଇସ୍କୁଲ ଠାରେ ଗୁରୁବାର ଦିନ ସ୍ମୃତି ସମ୍ୱର୍ଦ୍ଧନା ସଭା, ବୃକ୍ଷଚାରା ରୋପଣ ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି |
ପଲ୍ଲିଶ୍ରୀ କଥା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସୁମତି ବେହେରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ରାଜ୍ୟର ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର୍ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଶ୍ରୀମତୀ ନିଲେନ୍ଦ୍ରୀ ପଣ୍ଡା ମୁଖ୍ୟବକ୍ତା ଭାବରେ ଏବଂ ସାମାଜିକ କର୍ମୀ ରାମକୃଷ୍ଣ ନାୟକ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି ଉଦ୍’ବୋଧନ ଦେଇଥିଲେ । ଦେଶର ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ, ଅମର ସହିଦ୍, ମୁକ୍ତି ସଂଗ୍ରାମୀ ମାନଙ୍କର ଅସୀମ ତ୍ୟାଗ ଓ ବଳିଦାନ ଫଳରେ ଦେଶ ସ୍ବାଧୀନ ହୋଇଥିବାରୁ ସେ ସମସ୍ତଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିବା ଆମର ପରମ କର୍ତ୍ତବ୍ୟ ଏବଂ ସେମାନଙ୍କ ଜୀବନାଦର୍ଶରୁ ପ୍ରେରଣା ଗ୍ରହଣ କରି ନୂତନ ପିଢ଼ି ଦେଶ ଗଠନ କାର୍ଯ୍ୟରେ ନିଜକୁ ସମର୍ପିତ କଲେଯାଇ ସେମାନଙ୍କର ସ୍ବପ୍ନର ଭାରତ ସାକାର ହୋଇପାରିବ ବୋଲି ଅତିଥି ମାନେ ନିଜ ଉଦ୍’ବୋଧନରେ କହିଥିଲେ ।
ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପଶ୍ଚିମାଞ୍ଚଳର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ରତ୍ନାକର ବେହେରା ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଆକାଶବାଣୀ ତଥା ଦୂରଦର୍ଶନର ସୁନାମଧନ୍ୟ କଣ୍ଠଶିଳ୍ପୀ କାହ୍ନୁ କେଶବ ବହିଦାର୍ ପରିବେଶ ସୁରକ୍ଷା ଉପରେ ଏକ ସୁନ୍ଦର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ।
ଉତ୍ସବରେ ଉପସ୍ଥିତ ଦୁଇ ଶତାଧିକ ଛାତ୍ରଛାତ୍ରୀ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଙ୍କୁ ମୁଖ୍ୟଅତିଥି ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର୍ ପଞ୍ଚପ୍ରଣ ଶପଥ ପାଠ କରାଇବା ପରେ ସାଧାରଣ ସମ୍ପାଦକ ହରି ଶଙ୍କର ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ନାରାୟଣ ପତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୁମତି ବେହେରା ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଯୋଗେନ୍ଦ୍ର ମାଝି “ମୋ ମାଟି ମୋ ଦେଶ” ସମାରୋହର ଭୁୟସୀ ପ୍ରଶଂସା କରିଥିଲେ ।
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେରଙ୍କ ଦାୟାଦ ତଥା ପୂର୍ବତନ ସେନାକର୍ମୀ ବୀର ଜୱାନ୍ ଜନାର୍ଦ୍ଦନ ମେହେରଙ୍କୁ ଉଚ୍ଛ୍ଵସିତ ସମ୍ୱର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ପୂର୍ବରୁ ଅନୁଷ୍ଠିତ ଛାତ୍ରଛାତ୍ରୀ ମାନଙ୍କର ଦେଶାତ୍ମବୋଧକ ଗୀତ ଗାୟନ ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।
ଉତ୍ସବରେ ସର୍ବଶ୍ରୀ ନାରାୟଣ ପତି, କାହ୍ନୁ କେଶବ ବହିଦାର୍, ତ୍ରିଲୋଚନ ତ୍ରିପାଠୀ, ରାମକୃଷ୍ଣ ନାୟକ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଉତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।
ସାମୁହିକ ଜାତୀୟ ସଂଗୀତ ଗାନ ପରେ ସାଧାରଣ ସମ୍ପାଦକ ହରି ଶଙ୍କର ମିଶ୍ର ସହଯୋଗୀ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।