ଦେବଗଡ଼:୧୯ ତାରିଖରୁ ଆରମ୍ଭ ହୋଇଥିବା ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତାର ସୁତ୍ରରେ ବାନ୍ଧି ହୋଇ ପାଳି ଆସୁଥିବା ଦେବଗଡ଼ର ପ୍ରସିଦ୍ଧ ଗଣେଶ ପୂଜାର ଆଜି ଭସାଣୀ ଶୋଭାଯାତ୍ରା ସହ ସରିଛି ।ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପଂହଚିଛି । ପ୍ଲାଟିନମ ଜୁବଲି ଅବସରରେ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସହରରେ ବୈଦ୍ୟୁତିକ ଗେଟ ସହ ମୁଖ୍ୟ ତୋରଣ ଅଧିକ ଆକର୍ଷଣୀୟ କରିଛି । ୭୫ ବର୍ଷ ଅବସରରେ ମୁଖ୍ୟ ତୋରଣ ସମ୍ମୁଖରେ ଦର୍ଶକମାନଙ୍କ ପାଇଁ ସେଲଫି ଜୋନର ବ୍ୟବସ୍ଥା କରାଯାଇଥିଲା । ପୂଜା ପାଇଁ ସହରରେ ଉତ୍ସବ ମୁଖର ପରିବେଶ ଲାଗିଥିବାବେଳେ ଆଜି ଭସାଣି ଶୋଭାଯାତ୍ରାପରେ ସବୁଆଡେ ନୀରବତା ଖେଳିଯାଇଛିା ଗଣେଶ ପୂଜା ଜିଲ୍ଲାର ଏକମାତ୍ର ଗଣପର୍ବ ହୋଇଥିବାବେଳେ ପୁଣି ଆରବର୍ଷକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ । ଚଳିତ ବର୍ଷ ପୂଜାରେ ପୂଜାମଣ୍ଡପ ଚତୁଃପାର୍ଶ୍ବରେ ବିଭିନ୍ନ ପୈାରାଣିକ,ସାମାଜିକଚେତନାଭରା କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା । ଆଜି ଅପରାହ୍ନ ସମୟରେ ପୂଜା ହେଉଥିବା ସ୍ଥାନରୁ ଠାକୁରଙ୍କ ମେଢ ବାହାରିବା ସହ ସଂକୀତ୍ତନ ମଣ୍ଡଳୀ,ଘଂଟ ବାଦ୍ୟର ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାଯ୍ୟର୍କ୍ରମର ତାଳେ ତାଳେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭସାଣୀ କାର୍ଯ୍ୟକ୍ରମରେ ବିଭିନ୍ନ କଳାକୁଞ୍ଜ ସ୍ଥାନିତ ହୋଇଥିଲା । ପୌରାଚଂଳର ଭିତିରିଆ ସାହି,ଷ୍ଟେଟ ବ୍ୟାଙ୍କ ଛକ, ବଣିଆଁସାହି ଛକ,ଶାସନ ସାହି,ଗୁରୁ ସାହି, କାରଗିଲ ଛକ, ବସଷ୍ଟାଣ୍ଡ, ତଥା ବିଭିନ୍ନ ସାହି ଦେଇ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବନ୍ଧରେ ବିସର୍ଜନ କରାଯାଇଥିଲା । ଭସାଣୀ ଶୋଭାଯାତ୍ରା ଦେଖିବା ପାଇଁ ସହରର ପ୍ରତ୍ୟେକ ଛକଠାରେ ଜନସାଧାରଣଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।ଏଥିରେ କମିଟୀର ସଭାପତି ଶମ୍ଭୁନାଥ ଗୋଏଲ, ଉପସଭାପତି ଅରୁଣ ଗୋଏଲ, ସୁଶୀଲ ଭୋଇ,ସଂପାଦକ ଶୁକଦେବ ଭଞ୍ଜ, ସହ ସଂପାଦକ ବିରେନ ନାୟକ, ଆନନ୍ଦ କପରଦାର, ଅନନ୍ତ ଦାଶ, କୋଷାଧ୍ୟକ୍ଷ ଅଜୟ ମିଶ୍ର, ସହ କୋଷାଧ୍ୟକ୍ଷ ସୁଧୀର ପାତ୍ରଙ୍କ ସମେତ କମିଟୀର ସଦସ୍ୟମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଲଟେରୀ ମାଧ୍ୟମରେ ଲଡୁ ଉଠାଣ କରାଯିବ ଏବଂ ଖୁବଶୀଘ୍ର ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଭସାଣି ଶୋଭାଯାତ୍ରା ସହ ସରିଲା ପୁଣି ଆରବର୍ଷକୁ ଅପେକ୍ଷା ଦେବଗଡ଼ ପ୍ରସିଦ୍ଧ ଗଣେଶ ପୂଜା
