ଦିପ ତଳ ଅନ୍ଧାର, ବ୍ଲକ ଅଫିସର ୨ଶହ ମିଟର ଦୂରରେ ଭଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର


ସମ୍ବଲପୁର/ରେଙ୍ଗାଲି ୦୩/୧୦ (ରମାକାନ୍ତ ବିଶ୍ୱାଳ)
ଶିଶୁମାନଙ୍କ ଶାରୀରିକ ଓ ମାନସିକ ଯତ୍ନ ତଥା ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସରକାର ସମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାର ଏଥିପାଇଁ ସ୍ଵଚ୍ଛ ପାନୀୟ ଜଳ ଶୌଚାଳୟ ଆଦି ମୌଳିକ ଭିତ୍ତିଭୂମି ସମ୍ପନ୍ନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣର ବ୍ୟବସ୍ଥା କରିଛନ୍ତି । ତେବେ ବିଡମ୍ବନାର ‌ ବିଷୟ ଯେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟରୁ ୨ଶହ ମିଟର ଦୂରତାରେ ଥିବା ବ୍ଲକପଡ଼ା ଅଙ୍ଗନବାଡି କେନ୍ଦ୍ର ପ୍ରାୟ ଦୁଇ ଦଶନ୍ଧି ହେଲା ଏକ ଭଡାଘରେ ଚାଲିଛି। ଏହି ଯୋଜନା ପ୍ରତି ସରକାରୀ ଅଧିକାରୀଙ୍କ ଆନ୍ତରିକତା କେତେ ସ୍ପଷ୍ଟ ଭାବେ ବାରି ହେଉଛି । ବ୍ଲକପଡ଼ାରେ ଉତ୍ତମ ଭିତ୍ତିଭୂମି ସମ୍ପନ୍ନ
ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆଉ କେତେ ବର୍ଷ ପରେ ହେବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ସରକାରୀ ନିୟମ ଅନୁସାରେ ଅଙ୍ଗନବାଡି ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି ଅଭାବ ଯୋଗୁଁ ଭଡାଘରେ ଚାଲିଥିବା ଏହି କେନ୍ଦ୍ରରେ ଡୁଙ୍ଗୁରିପଡ଼ା, ବେଢରାପଡା ଓ ବ୍ଲକପଡ଼ାର ୨୫ ଜଣ ଶିଶୁ ଅଧ୍ୟୟନ କରୁଛନ୍ତି। ସଂଗୃହିତ ତଥ୍ୟ ଅନୁସାରେ ଆଜିକୁ ୧୦ ବର୍ଷ ପୂର୍ବେ ବ୍ଲକପଡ଼ାରେ ସରକାରୀ ଅନୁଦାନରେ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାମ ଆରମ୍ଭ ହୋଇଥିଲା । ତେବେ ଉକ୍ତ ନିର୍ମାଣ କାମ ଏକ ରୟତି ଜମିରେ ହୋଇଥିବା ଜଣାପଡ଼ିଲା ପରେ ସମ୍ପୃକ୍ତ ଜମି ମାଳିକ ଆପତ୍ତି ଦାଖଲ କରିବାରୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ଅସମ୍ପୂର୍ଣ ଅବସ୍ଥାରେ ୧୦ବର୍ଷ ହେଲା ପଡ଼ିଛି। ଜମି ବିବାଦ ସମଧାନ ହେଉ ନାହିଁ କି ଅନ୍ୟ
ସରକାରୀ ଜମିରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଦିଗରେ କୌଣସି ବି ପଦକ୍ଷେପ ନିଆଯାଉ ନାହିଁ । ଭଡାଘରେ ବ୍ଲକପଡ଼ା ଅଙ୍ଗନବାଡି କେନ୍ଦ୍ର ଆଉ କେତେ ବର୍ଷ ପର୍ଯ୍ୟନ୍ତ ଚାଳିବ ତାହା କହି ହେଉନି । ଏ ସକ୍ରାନ୍ତରେ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗଙ୍କୁ ପଚରାଯିବାରୁ ବ୍ଲକପଡ଼ା ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ସେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଅଯାଇ ନାହିଁ ବୋଲି ଶ୍ରୀବାଗ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ କହିଛନ୍ତି ।