ଦେବଗଡ ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା‘ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ


ଦେବଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା‘ ଯୋଜନାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ତିନି ବ୍ଲକର ୭୦ ପଂଚାୟତରେ ୯୯୧ ଟି ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଜିଲ୍ଲାର ବିକାଶମୂଳକ କାମ ସଂପର୍କରେ ୫ଟି ସଚିବ ଭିକେ ପାଣ୍ଡିଆନ ସୂଚନା ଦେବା ସହିତ ଗୋହିରା ଡ୍ୟାମ୍‌ର କେନାଲ ଲାଇନିଂ,ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ,ଝାଡେଶ୍ବର ମନ୍ଦିର ଓ ଜଗନ୍ନାଥ ମନ୍ଦିରର ବିକାଶ, ଦେବଗଡ ମଡେଲ ଡିଗ୍ରୀ କଲେଜ ଓ ଦେବଗଡ କଲେଜର ଉନ୍ନତିକରଣ, ପ୍ରଧାନପାଟ ଜଳପ୍ରପାତ,କୁରୁଡକୋଟ ଜଳପ୍ରାତ ,ଦେଓଦର୍ହ ଜଳପ୍ରପାତ ,ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ରିଆମାଳ ଯୋଗୀହୁଲି ପର୍ଯ୍ୟଟନ କ୍ଷେତ୍ର ,ରିଆମାଳ ବ୍ଲକର ଭିତରପଦ ଠାରେ ଡୋକ୍ରା କାରିଗର ମାନଙ୍କ ପାଇଁ ବିକାଶ ନିମନ୍ତେ ଏବଂ ୧୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ତିଲେଇବଣି ବ୍ଲକ ତିଲେଇବଣି ହାଇସ୍କୁଲ ପଡ଼ିଆରେ, ବାରକୋଟ ବ୍ଲକ ଡଅଁରା ହାଇସ୍କୁଲ ପଡ଼ିଆ ଓ ରିଆମାଳ ବ୍ଲକ ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉକ୍ତ ଯୋଜନାର ଶୁଭାରମ୍ଭ କରିଥିଲେ । ତିଲେଇବଣି ଠାରେ ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ , ରିଆମାଳ ବ୍ଲକରେ ବୁଡିଦୋ ସରପଂଚ ଛବିରାଣୀ ସାହୁ, ବାରକୋଟ ବ୍ଲକରେ ସିଂହଶାଳ ସରପଂଚ ଝରଣା ବେହେରା ନିଜର ବକ୍ତବ୍ୟ ରଖିବା ସହିତ ଉକ୍ତ ଯୋଜନା ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଯୋଜନା ମାଧ୍ୟମରେ ତିଲେଇବଣି ବ୍ଲକ ର ୨୦ ଟି ପଞ୍ଚାୟତକୁ ୨୪୬ଟି ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା, ବାରକୋଟ ବ୍ଲକ ର ୨୪ ଟି ପଞ୍ଚାୟତକୁ ୩୬୭ଟି ପ୍ରକଳ୍ପ ପାଇଁ ୧୨ କୋଟି ଟଙ୍କା, ରିଆମାଳ ବ୍ଲକର ୩୭୮ଟି ପ୍ରକଳ୍ପ ପାଇଁ ୧୩ କ‌ୋଟି ଟଙ୍କା ସମୁଦାୟ ୯୯୧ ଟି ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହିତ ଗ୍ରାମାଚଂଳର ବିକାଶ ହେବ । ତିଲେଇବଣି ବ୍ଲକରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପାଞ୍ଜଳୀ ସାମଲ, ରାଜେଶ ମହାନାୟକ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ତିଲେଇବଣି ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରିଆମାଳ ବ୍ଲକରେ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲାପରିଷଦ ସଦସ୍ୟା ବାସନ୍ତୀ ବେହେରା, ବିଡିଓ ଦିବ୍ୟଶଙ୍କର ଜୟପୁରିଆ, ଏପିଓ ସୁମନ୍ତ ଦ୍ବିବେଦୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବାରକୋଟ ବ୍ଲକରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ଜିଲ୍ଲାପରିଷଦ ସଦସ୍ୟା ଗୀତାଞ୍ଜଳୀ ପାଣି, ସମରେନ୍ଦ୍ର ଜିତ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ବାରକୋଟ ବିଡିଓ ସ୍ମୃତିରଞ୍ଜନ ସାହୁ, ରାଜ୍ୟ ସରପଂଚ ମହାସଂଘର ଉପଦେଷ୍ଟା ସତ୍ୟନାରାୟଣ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ ।