ଦେବଗଡ଼ : ବିଦ୍ୟୁତ ବିତରଣକାରୀ ସଂସ୍ଥା ଟିପିଡବ୍ଲୁଓଡିଏଲ୍ ଦେବଗଡ ଜିଲ୍ଲାର ଲୋକମାନଙ୍କୁ ବିଦ୍ୟୁତ ସେବା ପ୍ରଦାନ କରିବାପରେ ବିଫଳ ହେବା ସହିତ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏହାକୁ ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ବହୁ କଂଗ୍ରେସକର୍ମୀ ସ୍ଥାନୀୟ ଗୋପାଳଜୀୟ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ନଗରପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଗାଁରେ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ଲୋକ ଅନ୍ଧାରରେ ରହୁଛନ୍ତି । ବିନା କାରଣରେ ବିଦ୍ୟୁତ ଦେୟ ବୃଦ୍ଧି କରାଯାଉଛି ଏବଂ ଟିପିଡବ୍ଲୁଓଡିଏଲ୍ର ଭିଜିଲାନ୍ସ ଟିମ ଲୋକମାନଙ୍କୁ ଘରକୁ ଅବାଧରେ ପ୍ରବେଶ କରିବା ସହିତ ବିଭିନ୍ନ ଆଳ ଦେଖାଇ ଅହେତୁକ ଫାଇନ ବିଦ୍ୟୁତ ଉପଭୋକ୍ତାମାନଙ୍କ ଉପରେ ଲଦି ଦେଉଛନ୍ତି । ଯାହା ଫଳରେ ବିଦ୍ୟୁତ ଉପଭୋକ୍ତାମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କାର୍ଟ ମିଟର ଲଗାଇବା ଦ୍ବାରା ମାସକୁ ଅହେତୁକ ବିଦ୍ୟୁତ ବିଲ ଆସୁଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାପରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମଙ୍କ ନେତୃତ୍ୱରେ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମାଚଂଳର ବିଦ୍ୟୁତ ଉପଭୋକ୍ତାମାନେ ବିଭିନ୍ନ ସମସ୍ୟା ସଂପର୍କରେ ଅଭିଯୋଗ ପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ସମାଧାନ ନହେଲେ ଦେବଗଡ ଜିଲ୍ଲାକୁ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ଉପ ସଭାପତି ମଞ୍ଜୁଳ ନାୟକ, ସୁବାସ ଭୋଇ, ନଗର ସଭାପତି ରେବତୀ ମୋହନ ପଟ୍ଟନାୟକ , ରିଆମାଳ ବ୍ଳକ ସଭାପତି ସୁଶାନ୍ତ ସ୍ବାଇଁ, ବାରକୋଟ ବ୍ଳକ ସଭାପତି ଯଶୋବନ୍ତ ସାହୁ , କଂଗ୍ରେସ ଯୁବ ସଭାପତି ସଲମନ ହେନେଜ, ଛାତ୍ର ସଭାପତି ଆନନ୍ଦ କୁଲା, ଗାନ୍ଧୀ ଚରଣ ସାହୁ ,ରମେଶ ପାତ୍ର, ଅନୀଲ ଲାକ୍ରା, ଆକାଶ ଦାଶଙ୍କ ସମେତ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ ।
ଟାଟା ପାୱାର ବିଦ୍ୟୁତ ସେବା ପ୍ରଦାନରେ ବିଫଳ ଓ ମନମୁଖୀ କାର୍ଯ୍ୟକୁ କଂଗ୍ରେସର ବିରୋଧ
