ପୁଲିସ ସହୀଦ ଦିବସ ପାଳିତ


ଦେବଗଡ଼: ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ରିଜର୍ଭ ପଡିଆ ଠାରେ ଆଜି ୬୪ତମ ଓଡିଶା ପୁଲିସ ସହୀଦ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଏସପି ପ୍ରଦ୍ୟମ୍ନ ମିଶ୍ର ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହ ସହୀଦ ଯବାନଙ୍କ ସ୍ମୁତିଚାରଣ କରିଥିଲେ । ଏହାପରେ ସହୀଦ ସ୍ମାରକ ଠାରେ ସହୀଦ ଯବାନଙ୍କ ସ୍ମୁତି ଉଦେଶ୍ୟରେ ପୁଷ୍ପାଞ୍ଜଳୀ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ରିଆମାଳ ବ୍ଲକର ପୁଡାଡିହି ଗ୍ରାମର ସହୀଦ ସ୍ବର୍ଗତ କାର୍ତ୍ତିକେଶ୍ବର ମହାପାତ୍ର ଓ ବାରକୋଟ ବ୍ଲକର ଭାଟସିଂ ଗ୍ରାମର ସହିଦ ସ୍ବର୍ଗତ ଶାନ୍ତନୁ ଧଳଙ୍କ ପରିବାରଙ୍କୁ ସମ୍ମାନିତ କରିଥିଲେ । ଏହାପରେ ପୁଲିସ ପକ୍ଷରୁ ଉଭୟ ସହିଦଙ୍କ ଗ୍ରାମକୁ ଯାଇ ସେମାନଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ଅତିରିକ୍ତ ଏସପି ହେମନ୍ତ ପଣ୍ଡା, ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ, ଡିଏସପି ଅଜୟ ତିର୍କୀ, ରିଆମାଳ ଥାନା ଅଧିକାରୀ ସରସ୍ବତୀ ଟୁଡୁ, ପ୍ରତିଭା ଟପୋ, ଆରଆଇ ହମ୍ବିରା ସୋରେନଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।