ଶାସନ କେନାଲରେ ବୁଡି ୭ ମୃତ


ସମ୍ବଲପୁର: ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲ ରେ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ସମ୍ବଲପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଏକ ବିବାହ ବରଯାତ୍ରୀରେ ଯୋଗଦେବାପାଇଁ ଝାରସୁଗୁଡା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ କିଛି ଲୋକ ପରମାନପୁର କୁ ଆସିଥିଲେ l ହସ ଖୁସିରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ l ପରେ ଭୋଜି ଖାଇ କନ୍ୟା ଘରୁ ବରଯାତ୍ରୀ ଯାଇଥିବା କିଛି ଲୋକେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ନିଜ ଘର ଝାରସୁଗୁଡା ଜ଼ିଲ୍ଲା କନକତୁରା ବଡ଼ଧରା ଗ୍ରାମକୁ ବାହାରିଥିଲେ l ଫେରିବା ବେଳକୁ ପ୍ରବଳ ବର୍ଷା ହେଉଥିଲା l ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିକୁ ପହଞ୍ଚିବା ମାତ୍ରେ ଭାରସାମ୍ୟ ହରାଇ ଗାଡିଟି ସିଧା ଶାସନ କେନାଲ ଭିତରକୁ ପଶି ଯାଇ ଓଲଟି ପଡିଥିଲା l ଗାଡିଟି ଓଲଟି ପଡିବାରୁ ଗାଡି ଭିତରେ ଫସିରହିଥିବା କିଛି ଲୋକ ବାହାରି ପାରିନଥିଲେ l

ତେବେ କୌଶଳ କ୍ରମେ ଜଣେ ବ୍ୟକ୍ତି ବାହାରି ତାଙ୍କ ସମ୍ପର୍କୀୟ ମାନଙ୍କୁ ଫୋନ କରିଥିଲେ। ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ତେବେ ଗାଡ଼ିରୁ ୪ ଜଣ ବାହାରି ପାରିଥିବା ବେଳେ ଆଉ ୭ ଜଣ ବାହାରି ପାରି ନଥିଲେ l ଗାଡି ଚାଳକର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ l ବାସ୍ତବରେ ଗାଡ଼ିରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ l ଏଥିରେ ମୃତକ ମାନେ ହେଲେ ବଡ଼ଧରା ଗ୍ରାମର ସୁବୋଲ ଭୋଇ,ସୁମନ୍ତ ଭୋଇ, ସୋରଜ ସେଠ, ସୁବ୍ରତ ଭୋଇ ଦିବ୍ୟ ଲୁହା,ଅଜିତ ଖମାରି, ରମାକାନ୍ତ ଭୂୟାଁ। ଏନେଇ ସମ୍ବଲପୁର ହସ୍ପିଟାଲରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛିl