Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶ୍ରୀମନ୍ଦିରରେ ଦ୍ଵିତୀୟ ଦିନରେ ହେବ ଲେଜର ସ୍କାନିଂ, ନାଟ ମଣ୍ଡପର ମରାମତି କାମ ଆରମ୍ଭ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରେ ମଙ୍ଗଳବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ମଙ୍ଗଳବାର ୩୭ଟି ସ୍ଥାନର ସ୍କାନିଂ ଶେଷ ହୋଇଛି। ଡିପ୍ଲାଷ୍ଟରିଂ ସମୟରେ ପୂର୍ବପାର୍ଶ୍ଵ ମୁଖ୍ୟ ବିମରେ ଫାଟ ରହିଥିବା ଦେଖିବାକୁ ମିଳିଛି। ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ କରୁଛି ଏଏସଆଇ। ଆଜି ବୁଧବାର ଦ୍ଵିତୀୟ ଦିନରେ ବି ଶ୍ରୀମନ୍ଦିରର ଲେଜର ସ୍କାନିଂ କାମ କରାଯିବ। ରତ୍ନ ଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ ଏହି ସ୍କାନିଂ କରାଯିବ। ଉତ୍ତରପଟ ସ୍କାନିଂ ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ସୁପରିଟେଣ୍ଡେଣ୍ଟ କହିଛନ୍ତି ରତ୍ନଭଣ୍ଡାରର ବାହାର ପଟ କାନ୍ଥର ଲେଜର ସ୍କାନିଂ ଆଜି ସରିବ। ଲେଜର ସ୍କାନିଂ ରିପୋର୍ଟ ଆସିନି, ମାତ୍ର ଝାଳେଇବା ମାନେ ଫାଟ ଅଛି। ଆଜି ଅମୁହାଁ ମନ୍ଦିରର ଉପର ପଟୁ ମଧ୍ୟ ସ୍କାନିଂ କରାଯିବ। ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକଙ୍କ ନେତୃତ୍ଵରେ ପନ୍ଦର ଜଣିଆ ଦଳ ରତ୍ନଭଣ୍ଡାର ଲେଜର ସ୍କାନିଂ କାମରେ ନିୟୋଜିତ ହୋଇଛନ୍ତି। ଟିମରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସାମିଲ, ଏଏସଆଇ କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍‌ ସାମିଲ ଅଛନ୍ତି।

ଡ. ଗଡ଼ନାୟକ କହିଛନ୍ତି, ନାଟମଣ୍ଡପ ବିମ୍‌ରେ ଥିବା ଫାଟର ମରାମତି କାମ ଆରମ୍ଭ ହୋଇଛି।  ମରାମତି କାମ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଯେଉଁ ଯେଉଁ ଜାଗାରେ ଫାଟ ରହିଛି, ତାର ଅନୁଧ୍ୟାନ କରାଯାଉଛି। ପୂର୍ବପାର୍ଶ୍ଵ ମୁଖ୍ୟ ବିମ୍‌ ଓ କଲମ୍‌ରେ ଯେଉଁ ସ୍ଥାନରେ ଫାଟ ରହିଛି, ସେଠାରେ ସପୋର୍ଟିଂ ଦିଆଯିବ। ଏହାର ଡିଜାଇନ୍‌ ବି ଅନୁମୋଦିତ ହୋଇସାରିଛି ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଅର୍ଥାତ ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହା ପରେ ବାହାର ରତ୍ନଭଣ୍ଡାରର କେଉଁଠି ଫାଟ ରହିଛି ତାହା ଜଣା ପଡ଼ିବ। ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ।