Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଟିର ଇତିହାସ କେବେ ଦୁର୍ବଳ ନୁହେଁ, ତନୟା ପଟ୍ଟନାୟକ

ସମ୍ବଲପୁର: ମାଟିର ଇତିହାସ କେବେବି ଦୁର୍ବଳ ନୁହେଁ। ଦେଶ ଓ ମାଟି ପାଇଁ କେତେ ତ୍ୟାଗ କରାଯାଇପାରେ ତାହା ଓଡିଶାର ଦୁଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଠାରୁ ଶିଖିବ‌ାର ଅଛି। ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ପାଥେୟକରି ଦେଶ ଓ ମା ମାଟି ପାଇଁ କିଛି କରିବାକୁ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।
ପ୍ରତି ବର୍ଷ ଭଳି ଏଥର ମଧ୍ୟ ‘ସମ୍ବାଦ’ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ‌ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ସମ୍ବଲପୁରରେ ଭବ୍ୟ ଆୟୋଜନ ହୋଇଥିଲା। ଗାନ୍ଧୀ ପାର୍କରେ ଆୟୋଜିତ ଜୟନ୍ତୀ ସମାରୋହରେ ଉଦ୍‌ଘାଟକ ଭାବେ ଯୋଗଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ‌ ଯେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ବହୁ ପୂର୍ବରୁ ସୁରେନ୍ଦ୍ର ସାଏ ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। ନେଲ୍‌ସନ ମଣ୍ଡେଲା ବିଶ୍ବର ସର୍ବାଧିକ ୨୭ ବର୍ଷ କାରାଦଣ୍ଡ ‌ଭୋଗିଥିବା ଇତିହାସ କହୁଛି। ସମ୍ବଲପୁରର କ୍ରାନ୍ତିକାରୀ ସୁରେନ୍ଦ୍ର ସାଏ ୩୭ ବର୍ଷ ଜେଲ୍‌ରେ ବିତାଇଥିବା ଭଳି ବିରଳ ଘଟଣା ବିଷୟରେ ପୃଥିବୀ ଇତିହାସକୁ ଜଣାନାହିଁ। ସେହିପରି ଆଇସିଏସ୍‌ ଭଳି ଚାକିରି ଛାଡ଼ି ନେତାଜୀ ସୁଭାଷ ବୋଷ ଦେଶର ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ ପରାକ୍ରମ ଦେଖାଇଥିବା ମଧ୍ୟ ଇତିହାସରେ ବିରଳ ଘଟଣା ଚକ୍ର। ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଲେ, ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୋଧରେ ତାଙ୍କ ଜୀବନବ୍ୟାପୀ ସଂଘର୍ଷ କରିଥିଲେ। ତାଙ୍କ ସାରା ପରିବାର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଏଭଳି ତ୍ୟାଗ ଅବିଶ୍ବସନୀୟ। ଏହି ମହାନ୍‌ ସେନାନୀଙ୍କ କାର୍ଯ୍ୟ ଓ ତ୍ୟାଗ ପିଢ଼ି ପରେ ପିଢ଼ି ମନେ ରହିବ। ଉଭୟ ବୀର ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରି ଦେଶ ଓ ଜାତି ପାଇଁ କିଛି କରିବା ପାଇଁ ଉଦ୍ୟମ କରିବାକୁ ଶ୍ରୀ ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।
ଜୟନ୍ତୀ ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ଓ ‘କନକ ଟିଭି’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ, ଯେଉଁ ମାଟିର ଇତିହାସ ଏତେ ବଳିଷ୍ଠ, ସେ ମାଟିର ଭବିଷ୍ୟତ କେବେ ବି ଦୁର୍ବଳ ହେଇପାରେ ନାହିଁ। ଏଇ ବିଶ୍ବାସ ଆମ ଭିତରେ ରହିବା ଦରକାର। ଯେଉଁ ସ୍ବତନ୍ତ୍ର ଓଡ଼ିଶା ଆଉ ‌ଭାରତର ସ୍ବାଧୀନତା ପାଇଁ ସ୍ବାଧୀନତା ସଂଗ୍ରାମୀମାନେ ‌ଏତେ ତ୍ୟାଗ କରିଛନ୍ତି, ସେ ଦେଶ ଓ ରାଷ୍ଟ୍ର ନିର୍ମାଣ ପାଇଁ ଆମମାନଙ୍କ ଭୂମିକା କ’ଣ ରହିବ ଏହି ପ୍ରଶ୍ନ ନିଜକୁ ପଚାରିବାର ସମୟ ଆସିଛି। ଆମେ ନିଜ ବିଷୟ ସହ ମାଟି ବିଷୟରେ ଯେତିକି ଭାବିବା ଆମ ଭବିଷ୍ୟତ ସେତିକି ଉଜ୍ଜ୍ବଳ ହେବ। ଆମେ ଯେତେ ସଫଳତା ହାସଲ କଲେ ମଧ୍ୟ ଜନ୍ମମାଟିକୁ ଭୁଲିବା ନାହିଁ। ଏ ପୃଥିବୀକୁ ସୁନ୍ଦର କରିବା ପାଇଁ ଉଦ୍ୟମ କରିବା ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶ୍ରୀମତୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ ସୁବ୍ରତ ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ସ୍ବାଗତ ଅଭିଭାଷଣ ଏବଂ ମୁଖ୍ୟ ସହ-ସଂପାଦକ ଲକ୍ଷ୍ମୀନାରାୟଣ ହୋତା ଅତିଥି ପରିଚୟ ଦେଇଥିଲେ। ଏହା ପୂର୍ବରୁ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରୁ‌ ରେଂଗାଲି ‘ସମ୍ବାଦ’ ପ୍ରତିନିଧି ସୁବ୍ରତ ପାଢ଼ୀଙ୍କ ନେତୃତ୍ବରେ ଆସିଥିବା ମଶାଲ ଶୋଭାଯାତ୍ରାକୁ ସୁଧୀର ବହିଦାରଙ୍କ ନେତୃତ୍ବରେ ବଜରଂଗ ଦଳର ସଭ୍ୟମାନେ ଅଇଁଠାପାଲି ଛକରେ ସ୍ବାଗତ କରିବା ସହ ଏକ ସୁସଜ୍ଜିତ ବାଇକ୍‌ ରାଲିରେ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଗାନ୍ଧୀ ପାର୍କରୁ ବାହାରିଥିବା ‌ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିବା ଅବସରରେ ଜେଲ୍‌ ଛକସ୍ଥିତ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ, ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁଙ୍କ ସହିତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ସାମିଲ ହୋଇ ଶୋଭାଯାତ୍ରାରେ ବାହାରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ରମାଶିଷ ତ୍ରିପାଠୀ ଓ ଅସୀମ ପ୍ରଧାନ ସଭା ସଂଯୋଜନା କରିଥିଲେ। ସଭାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ଲାକାର୍ଡ ଓ ବୀରବେଶ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ‘ସମ୍ବାଦ’ର ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷରେ ‘କନକ ନ୍ୟୁଜ’ର ବ୍ୟୁରୋ ମୁଖ୍ୟ ବିଷ୍ଣୁପ୍ରସାଦ ଦ୍ବିବେଦୀ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ସାକ୍ଷୀପଡ଼ା ସମ୍ବାଦ ଭବନଠାରେ ପ୍ରୟାସ ପରିବାର ଓ ଅନ୍ୟ ସଂଗଠନ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିର​ରେ ୫୬ ଜଣ ରକ୍ତଦାନ କରିଥିଲେ। ଦେଶ ମାତୃକାର ମହାନତ୍ୟାଗର ପ୍ରତୀକ ୨ ସ୍ୱାଧିନତା ସଂଗ୍ରାମୀଙ୍କ ପୂଣ୍ୟବାସରେ ଏଭଳି ରକ୍ତଦାନ ପୁଣ୍ୟତା ପ୍ରାପ୍ତିର ଜ୍ୱଳନ୍ତ ଉଦାହରଣ ହୋଇ କାଳଜୟୀ ହେବ।ରକ୍ତଦାତାଙ୍କ ହୃଦୟର ଏଭଳି ପରାକାଷ୍ଠା ସମାଜ ପାଇଁ ଏକ ବାର୍ତ୍ତା ହୋଇ ସବୁଦିନ ପାଇଁ ରହିବ।