Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାବୁରାଜ ଓ କ୍ରୀତଦାସ ମୋହରେ ଥିବା ଲେନିନ୍ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକୁ ଜାଣି ବି ଆଖି ବୁଜି ଦେଇଛନ୍ତି – ଡା. ପ୍ରମୋଦ ରଥ

ସମ୍ବଲପୁର:ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବର୍ତ୍ତମାନ ବାବୁରାଜ, ଗୁମାସ୍ତା ଏବଂ କ୍ରୀତଦାସ ମୋହରେ ପଡିଯାଇଛନ୍ତି । ସେମାନଙ୍କର ମିଛ ପ୍ରଚାର ଆଗରେ ତାଙ୍କୁ ଆଉ କିଛି ଦେଖାଯାଉନାହିଁ । ଆମ ଦଳର ନେତାମାନେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ନେଇ ସବୁ ତଥ୍ୟ ରଖିବା ପରେ ମଧ୍ୟ ଗୁମାସ୍ତାଙ୍କ କଥାରେ ସେ ବାରମ୍ବାର ସବୁ ଜାଣି ଅଜଣା ହେଉଛନ୍ତି । ତେଣୁ ଜଣେ ରାଜନୀତିର ପରିପକ୍ୱତା ଦେଖାଇ ସେ ଅନ୍ଧାରରେ ବାଡି ନବୁଲାଇ ତଥ୍ୟକୁ ପରଖିଲେ ଭଲ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଡା. ପ୍ରମୋଦ ରଥ ।
ସେ କହିଛନ୍ତି ଯେ ଆଜି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ଦୋ’ ଛକିରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେରି ନଡ୍ଡା ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମଧ୍ୟ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି । ଲେନିନ ବାବୁ ଜଣେ ଓଡ଼ିଆ ଭାବରେ ଅନ୍ତତଃ ଓଡ଼ିଆତ୍ୱକୁ ବୁଝି ସ୍ୱାର୍ଥରେ ସମର୍ଥନ ଦେଇଥିଲେ ଭଲ ହୋଇଥାନ୍ତା । ମାତ୍ର ଯାହା ଲାଗୁଛି, ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ କଥା କହିଲେ ତାଙ୍କୁ ବହୁତ ବାଧୁଛି । ରାଜ୍ୟ ବାହାରର ଭଡାଟିଆ ନେତାଙ୍କୁ ପ୍ରଶ୍ନ କଲେ ବିଜେଡି କାହିଁକି ରକ୍ତ ଚାଉଳ ଚୋବାଉଛି ବୋଲି ବିଜେପି କହିଛି । ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରି ବିଜେଡି ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ୱଭାବକବି ଗଙ୍ଗାଧର ମେହେର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟଙ୍କ ପରି ଉତ୍କଳର ବରପୁତ୍ରଙ୍କୁ ଅସମ୍ମାନ କରିଛନ୍ତି ।
ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ । ଓଡ଼ିଶାର ବିକାଶ ସହ ଓଡ଼ିଆ ଭାଷା ଓ ସୁରକ୍ଷା ପାଇଁ ସର୍ବଦା ପ୍ରଚେଷ୍ଟାରତ । କେବଳ କାମରେ ନୁହେଁ ବରଂ କାର୍ୟ୍ୟଡରେ କରିଦେଖାନ୍ତି । ଯାହାକୁ ସମ୍ବଲପୁର ଓ ଓଡ଼ିଶାବାସୀ ବହୁତ ଭଲଭାବରେ ଜାଣିଛନ୍ତି । ଓଡ଼ିଶାର ବିକାଶ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁଳନାରେ ବିଜେଡିର କାମ ସମୁଦ୍ରକୁ ଶଙ୍ଖେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଗତ ୯ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ହେଉଛି । ଏହି ପୁଞ୍ଜିନିବେଶ ଦ୍ୱାରା ବ୍ୟାପକ ରୋଜଗାର ସୃଷ୍ଟି ହୋଇଛି । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିକାଶର ଗତି ବଢିଛି । ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ସମ୍ବଲପୁରର ପ୍ରତିଷ୍ଠା କରାଯିବା ସହ ସମ୍ବଲପୁରର ମାଝିପାଲି ଓ ଦେବଗଡ ଠାରେ ପୃଥକ ପୃଥକ ସ୍କିଲ ଇଣ୍ଡିଆ ସେଣ୍ଟର ଉଦଘାଟନ ହୋଇଛି । ୧୨୩୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁରରେ ଆଇଜର ପ୍ରତିଷ୍ଠା ହୋଇଛି । ସମଗ୍ର ଶିକ୍ଷା ଅଭି଼ଯାନରେ ଓଡ଼ିଶାକୁ ୧୨, ୬୦୫ କୋଟି ଟଙ୍କା ମିଳିଛି । ୬୮ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପିଏମ ଶ୍ରୀ ଯୋଜନାରେ ସାମିଲ ହୋଇଛି । ଅନେକ ଅବିଶ୍ୱନୀୟ କାର୍ଯ୍ୟ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ ଦାୟିତ୍ୱରେ । କିନ୍ତୁ ଏ ସବୁ ତାଙ୍କୁ ଦେଖାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ବିଜେଡି କେବଳ ମିଛ ପ୍ରଚାରରେ ବ୍ୟସ୍ତ ରହିଛି । ଅପରପକ୍ଷରେ ସିଏସଆର ଫଣ୍ଡରେ ଯେତେ କାମ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ତାହାକୁ ତୁଳନା କରିହେବ ନାହିଁ । ଓଡ଼ିଶାର ଅନେକ ସ୍ଥାନରେ କଲ୍ୟାଣ ମଣ୍ଡପ, ମନ୍ଦିରର ଉନ୍ନତିକରଣ ସହ କ୍ରୀଡା ଓ ସାମାଜିକ କ୍ଷେତ୍ରରେ କୋଟି କୋଟି ଟଙ୍କା ଦେଇଛନ୍ତି ।
ଶ୍ରୀ ରଥ କହିଛନ୍ତି ଯେ ୨୫ ବର୍ଷର ଶାସନ ପରେ ଆଜି ବି ଓଡ଼ିଶାର ୧.୧୫ କୋଟି ଲୋକ ଦାଦନ ଖଟିବାକୁ ଦେଶାନ୍ତର ହେଉଛନ୍ତି, ଓଡ଼ିଶାର ବେରୋଜଗାରୀ ହାର ଦେଶର ସବୁଠୁ ବେଶୀ ।, ଦେଶରେ ୩.୨% ବେରୋଜଗାରୀ ଥିଲା ବେଳେ ଓଡ଼ିଶାରେ ୬.୨% । ଶିକ୍ଷିତ ଓଡ଼ିଆ ଯୁବକଙ୍କ ମଧ୍ୟରେ ୪୦% ଅର୍ଥାତ ୯ ଲକ୍ଷ୍ୟରୁ ଉର୍ଦ୍ଧ୍ବ ବେକାର। ଏପଟେ ଚାକିରୀ ନପାଇ ଯୁବକ ହତାଶ ହେଉଥିବା ବେଳେ ରାଜ୍ୟର ୪୧ ସରକାରୀ ବିଭଗରେ ପ୍ରାୟ ୧ ଲକ୍ଷ ପଦବୀ ଖାଲି । ଆଇଏଲଓ ରିପୋର୍ଟ ଅନୁସାରେ ଶିକ୍ଷିତ ମାନଙ୍କ ମଧ୍ୟରେ ବେରୋଜଗାରୀରେ, ଦିନମଜୁରିଆଙ୍କ ମାସିକ ପାଉଣାରେ ଏବଂ ଶିକ୍ଷା କିମ୍ବା ଦକ୍ଷତା ତାଲିମ ପାଇନଥିବା ଯୁବକ ସଂଖ୍ୟାରେ ଓଡିଶା ଦେଶରେ ସବୁଠୁ ପଛୁଆ ରାଜ୍ୟ। ୨୦୦୬-୦୭ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ୧୫,୩୧୫ଟି ଶିଳ୍ପ ବନ୍ଦ ହୋଇଛି । ଫଳରେ ୧ ଲକ୍ଷ ୨୯ ହଜାର ୯୫୦ ଜଣ ଯୁବକ ଜୀବିକା ହରାଇଛନ୍ତି। ହିଞ୍ଜିଳିରେ ଦାଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରକାଶ କେବେ କରିବେ..?
ଜାତୀୟ ରାଜପଥ ୫୫ର ୯୦ ପ୍ରତିଶତ କାମ ଶେଷ ହୋଇଛି । ଆଉ ଯାହା କାମ ବାକି ରହିଛି ତାହା ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ହୋଇପାରୁନି । ରାଜ୍ୟ ସରକାର ଜାଣିଶୁଣି ଜମି ଅଧିଗ୍ରହଣ ବିଳମ୍ବ କରୁଛନ୍ତି । ଲାଗୁଛି ଲେନିନ ବାବୁଙ୍କୁ ଭୁଲା ରୋଗ ହୋଇଛି । ବାରମ୍ବାର ତଥ୍ୟ ରଖିବା ପରେ ବି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରିବା ତାଙ୍କର ହୀନ ରାଜନୀତିକୁ ଦର୍ଶାଉଛି ବୋଲି ବରିଷ୍ଠ ନେତା ପ୍ରମୋଦ ରଥ କହିଛନ୍ତି । ଆଜିର ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଉପସ୍ଥିତ ରହି ସ୍ୱାଗତ କରିଥିବା ବେଳେ ମୁକେଶ ଜରିୱାଲ ସହଯୋଗ କରିଥିଲେ।