Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ୫୨ତମ ବିଶ୍ୱ ପରିବେଶ ଦିବସ ୨୦୨୪ ପାଳିତ

ସମ୍ବଲପୁର: ସମ୍ବଲପୁର ମହାନଗର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ସହଯୋଗ ନଗର ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ସମ୍ମିଳନୀ କକ୍ଷରେ ୫୨ତମ ବିଶ୍ୱ ପରିବେଶ ଦିବସ ୨୦୨୪ ମହା ସମାରୋହରେ ପାଳିତ ହୋଇ ଯାଇଛି |
ପ୍ରକୃତିବନ୍ଧୁ ଶ୍ରୀଯୁକ୍ତ ମେଘୁ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ପରିବେଶବିଦ୍ ତଥା ସମାଜସେଵୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍, ସମ୍ମାନୀତ ଅତିଥି ଭାବରେ ଚାଷୀ ନେତା ଶ୍ରୀଯୁକ୍ତ ରାମ ସାଗର ସାହୁ, ମୁଖ୍ୟବକ୍ତା ଭାବରେ ଆର୍ଟ ଅଫ ଲିଭିଙ୍ଗ ଓଡ଼ିଶାର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ମୁକୁନ୍ଦ ସାହୁ, ସମ୍ମାନୀତ ବକ୍ତା ଭାବରେ ବୁଦ୍ଧିଜୀଵୀ ପାର୍ବତୀ ସେଠ ଯୋଗଦାନ କରିଥିଲେ |
ମୁଖ୍ୟଅତିଥି ବିଶିଷ୍ଟ ପରିବେଶବିଦ୍ ତଥା ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ବିଶ୍ୱ ପରିବେଶ ଦିବସ ପାଳନର ଯଥାର୍ଥତା ସହ ଚଳିତ ବର୍ଷର ( ଥିମ୍ ) ପ୍ରସଙ୍ଗ ଯଥା ଭୂମିର ପୁନରୁଦ୍ଧାର, ମରୁସ୍ଥଳିକରଣ ଏବଂ ମରୁଡ଼ିରୁ ମୁକ୍ତି ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ | ଶ୍ରୀଯୁକ୍ତ ମୁକୁନ୍ଦ ସାହୁ ପରିବେଶ ପ୍ରଦୂଷଣରୁ ନିଜ ନିଜ ଅଂଚଳକୁ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ | ବୁଦ୍ଧିଜୀଵୀ ପାର୍ବତୀ ସେଠ ବୃକ୍ଷ ଚାରା ରୋପଣ ଦ୍ୱାରା ସମ୍ପ୍ରତି ବୃଦ୍ଧି ପାଉଥିବା ତାପମାନକୁ ହ୍ରାସ କରା ଯାଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ | ଚାଷୀନେତା ଶ୍ରୀଯୁକ୍ତ ରାମ ସାଗର ସାହୁ ବ୍ୟାପକ ବନୀକରଣ ଅଭିଯାନରେ ଯୁବ ସମାଜ ଏବଂ ଛାତ୍ର ସମାଜ ବହୁ ସଂଖ୍ୟାରେ ସାମିଲ୍ ହେବାପାଇଁ ଆହ୍ୱାନ କରିଥିଲେ |
ବୁଢ଼ାରଜା ବନ ସଂରକ୍ଷଣ ସମିତିର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ନାରାୟଣ ଚକ୍ରବର୍ତ୍ତୀ, ବରିଷ୍ଠ ସଭ୍ୟା ଫୁଲକୀ ଜାଲ, ଅଧ୍ୟାପକ ସୁନୀଲ ସାଗର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ପରିବେଶ ସୁରକ୍ଷା ଉପରେ ସାର ଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ |
ସମାରୋହରେ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଶ୍ରୀଯୁକ୍ତ ରାଜେନ୍ଦ୍ର ସତନାମୀ, ଶ୍ରୀମତୀ ବାସନ୍ତି ପୋଢ଼, ଶ୍ରୀମତୀ ମିନତୀ ପଟ୍ଟନାୟକ, ଶ୍ରୀମତୀ ଲକ୍ଷ୍ମୀ ତାଣ୍ଡିଆ, ଶ୍ରୀମତୀ ଝରଣା ବାରିକ, ଶ୍ରୀ ଶିବାଷିଶ ନନ୍ଦ ପ୍ରମୁଖ ସମ୍ବଲପୁରର ବହୁ ବୁଦ୍ଧିଜୀବୀ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଯୋଗଦାନ କରିଥିଲେ | ଶେଷରେ ସୁଶ୍ରୀ ପାର୍ବତୀ ଧନୁୱାର ଧନ୍ୟବାଦ ଅର୍ପଣ କରିଥିଲେ |