Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଉଦେ ବେହେରା ହାଇସ୍କୁଲର ସହକାରୀ ଶିକ୍ଷକଙ୍କ ଅବସର ଗ୍ରହଣ ଏବେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ହାତରେ ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତକୁ ନେଇ ଚିନ୍ତାରେ ଅବିଭାବକ

ଝାରସୁଗୁଡା ୨/୭ (ଓଡ଼ିଶା ନ୍ୟୁଜ) ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଯେପରିକି ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷାଦାନ ନିମନ୍ତେ ୫ ଟି ବିଦ୍ୟାଳୟ ରୂପାନ୍ତରିତ କରଣ ଯୋଜନା ମାଧ୍ୟମରେ ପ୍ରାୟତଃ ବିଦ୍ୟାଳୟ ମାନଙ୍କ ରୁପରେଖ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଛାତ୍ରଛାତ୍ରୀ ମାନେ ବସି ପାଠ ପଢିବା ପାଇଁ ତିଆରି ହୋଇଛି ସ୍ମାର୍ଟ କ୍ଳାସରୁମ ସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ,ସ୍ଵଛ ଶୌଚାଳୟ,ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା,ଉନ୍ନତ ମାନର ଖେଳ ପଡ଼ିଆ ଆଦି ଶୈକ୍ଷିକ ବାତାବରଣ ସୃଷ୍ଟି କରା ଯାଇଛି । ହେଲେ ବର୍ତ୍ତମାନ ସ୍ଥିତିରେ ପ୍ରାୟ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ସଙ୍କଟ ଦେଖିବାକୁ ମିଳୁଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଅବିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି ।
ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ସ୍ଥିତ ଉଦେ ବେହେରା ହାଇସ୍କୁଲ କ୍ଷେତ୍ରରେ । ୧୯୮୫ ମସିହା ଜୁଲାଇ ୧ ତାରିଖରେ ପଲସଦା ଉଦେ ବେହେରା ହାଇସ୍କୁଲଟି ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ୧୯୮୭ ମସିହା ଅକ୍ଟୋବର ମାସ ୭ ତାରିଖରେ ଅନୁମତି ପାଇଥିଲା । ଏହାର ପରବର୍ତ୍ତୀ ସମୟ ଅର୍ଥାତ ୧୯୮୯ ମସିହା ଡିସେମ୍ବର ୧୧ ରେ ନବମ ଓ ଦଶମ ଶ୍ରେଣୀର ମାନ୍ୟତା ପାଇଥିଲା । ସେ ସମୟରେ ବିଦ୍ୟାଳୟରେ କିଛି ବିଷୟକୁ ଛାଡ଼ି ଦେଲେ ପ୍ରାୟ ଶିକ୍ଷକ ପଦବୀ ପୂରଣ ଥିଲା । କିନ୍ତୁ ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟକାଳର ବୟସ ସୀମା ନିୟମାନୁସାରେ ଜଣେ ପରେ ଜଣେ ଶିକ୍ଷକ ସେଠାରୁ ଅବସର ଗ୍ରହଣ କରୁଛନ୍ତି । ହେଲେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ସହ ବିଜ୍ଞାନ ,ଗଣିତ, ଖେଳ ,ଇଂରାଜୀ, ଭୂଗୋଳ, ଇତିହାସ ଶିକ୍ଷକ ନିଯୁକ୍ତି କରା ଯାଉନାହିଁ । ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ମାତ୍ର ୩ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗତ ଜୁନ ୩୦ ତାରିଖରେ ସହକାରୀ ଶିକ୍ଷକ (ପ୍ର ଶି.ଇନଚାର୍ଜ) ବିରଞ୍ଚି ଭୋଇ ଅବସର ଗ୍ରହଣ କରିଥିବା ବେଳେ ଜୁଲାଇ ୧ ତାରିଖ ଠାରୁ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଠାରୁ ଆରମ୍ଭ କରି ଆବାସିକ ଛାତ୍ରାବାସ, ବିଦ୍ୟାଳୟ ପରିଚାଳନା,ଅଫିସ କାର୍ଯ୍ୟ ଆଦି ସମସ୍ତ ଦାୟିତ୍ବ ଜଣେ ହିନ୍ଦୀ ଶିକ୍ଷକ ଓ ଅନ୍ୟ ଜଣେ ସଂସ୍କୃତ ଶିକ୍ଷକ ବହନ ଜରିବେ । ଫଳରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ଅବିଭାବକ ମହଲରେ ଚିନ୍ତାର ବିଷୟ ହୋଇଛି । ତେଣୁ ଏହାକୁ ଗୁରୁତ୍ୱ ସହ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଲସଦା ହାଇସ୍କୁଲରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ଗଣ ଶିକ୍ଷା ବିଭାଗ ଉଚିତ ପଦକ୍ଷେପ ନେବାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଖୁସିରାମ ଭୋଇ, ତୀର୍ଥବାସୀ ମେହେର, ନିଗମାନନ୍ଦ ମେହେର, ଯଜ୍ଞସେନି ସାହୁ, ବିପିନ ମାଝୀ, ସେବକରାମ ଭୋଇ, ଜଗଦୀଶ ପ୍ରସାଦ ମିଶ୍ରଙ୍କ ସମେତ ଅଞ୍ଚଳବାସୀ ଦାବି କରୁଛନ୍ତି ।

More Stories