ହୀରାକୁଦ ନଦୀବନ୍ଧକୁ ଘାରିଛି ଜଳ ଚିନ୍ତା


ସମ୍ବଲପୁର:ଆଷାଢ଼ ଯାଇ ଶ୍ରାବଣ ଆସିଲାଣି।ତେବେବି ଚିନ୍ତା ବଢାଇଛି ହୀରାକୁଦ ନଦୀବନ୍ଧର ସ୍ଥିତି। ନିଅଣ୍ଟିଆ ବର୍ଷା,ତାସାଙ୍ଗକୁ ଛତିଶଗଡର ଜଳବନ୍ଦୀ ପରି ବ୍ୟାରେଜ ପ୍ରକଳ୍ପ ।ଏଭଳି ସ୍ଥିତିରେ ହୀରାକୁଦ ନଦୀ ବନ୍ଧରେ ଘାରିଛି ଜଳ ଚିନ୍ତା।
ଜୁଲାଇ ମାସ ସରିବାକୁ ଆଉ ସପ୍ତାହେ ବାକି।ତଥାପି ନଦୀ ବନ୍ଧରେ ବଢୁନାହିଁ ଜଳସ୍ତର । ନିଅଣ୍ଟିଆ ବର୍ଷା ପୁଣି ଏକ କାରଣ। ଯାହା ଫଳରେ ଆଜିଠୁ ଚାଷୀ କୂଳରେ ପଡିଲାଣି ଭାଲେଣି।
ଉପର ମୁଣ୍ଡରୁ ଜଳପ୍ରବାହ କମିଯିବା ଯୋଗୁଁ ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରର ପୂର୍ବାପେକ୍ଷା ଶୁଖିଲା ପଡ଼ିଛି l ଆଜିର ଦିନରେ ହୀରାକୁଦ ନଦୀବନ୍ଧରେ ଜଳସ୍ତର ଗତବର୍ଷ ଅପେକ୍ଷା ପ୍ରାୟ ପାଖାପାଖି ୮ଫୁଟ୍‌ କମ ରହିଛି l ଯାହା ଫଳରେ ଚାଷୀକୂଳ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ପରି ସ୍ଥିତି ଉପୁଯିଛି।ସୂଚନାଯୋଗ୍ୟ ଯେ ହୀରାକୁଦ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳଭଣ୍ଡାର ଜଳସ୍ତର ବର୍ତ୍ତମାନକୁ ୬ ଶହ ଫୁଟ ଉପରକୁ ଡେଉଁନିl ତେବେ ଗତବର୍ଷ ଆଜିର ଦିନରେ ଜଳସ୍ତର ୬୧୨ ଫୁଟ ଉପରକୁ ରହିଥିଲା l ଅନ୍ୟପଟେ ହୀରାକୁଦ ଜଳ ଭଣ୍ଡାର ସମ୍ପୂର୍ଣ ଭର୍ତ୍ତି ହେବାକୁ ଆହୁରି ୩୦ ଫୁଟ ଉଚ୍ଚତାର ଜଳ କ୍ଷମତା ଆବଶ୍ୟକ ପଡୁଛି l ତେବେ ଜୁଲାଇ ମାସରେ ହୀରାକୁଦର ଉପର ମୁଣ୍ଡରୁ କମ ଜଳ ପ୍ରବାହ ଥିବାରୁ ଏହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ ଓ ମତ୍ସଜୀବୀଙ୍କ ଜୀବିକା ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବିଶ୍ବର ଦୀର୍ଘତମ ନଦୀବନ୍ଧ ଯୋଜନା ହେଉଛି ସମ୍ବଲପୁରର ମହାନଦୀ ଉପରେ ନିର୍ମିତ ଏହି ହୀରାକୁଦ ନଦୀବନ୍ଧ l ମୁଖ୍ୟତଃ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଏହାକୁ ନିର୍ମାଣ କରାଯାଥିଲା l ତେବେ ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ହେଉଛି ଜୁଲାଇ ମାସ ଶେଷ ହେବାକୁ ଆସିଥିବା ବେଳେ ଏହାର ଜଳସ୍ତର ସ୍ବାଭାବିକ ଭାବେ ବୃଦ୍ଧି ପାଉନାହିଁ l ଏହା ପ୍ରମାଣିତ କରିଛି ଯେ ହୀରାକୁଦର ଉପର ମୁଣ୍ଡରୁ ଛତିଶଗଡ଼ ପଟୁ ମହାନଦୀରେ ଜଳ ପ୍ରବାହ କମିଛି ଓ ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି l
ଜୁଲାଇ ମାସର ଶେଷ ସପ୍ତାହରେ ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବାର ନଜିର ରହିଛି l ତେବେ ଚଳିତବର୍ଷ ଜଳସ୍ତର କମ ଥିବାରୁ ଏହା ଆଗକୁ ବଢ଼ିପାରେ!ଯଦି ୨୪ ତାରିଖ ଲଘୁଚାପରେ ପାଣି ବିଭାନ ଅନୁମାନ ସତ ହୁଏ ତେବେ ପ୍ରବଳରୁ ପ୍ରବଳତର ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧ ନିଜର କ୍ଷମତା ପୂରଣ କରିବ!ଯାହା ଫଳରେ ଅଗଷ୍ଟ ମାସ ଆଡକୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇପାରେ।ଅବଶ୍ୟ ଆହୁରି ଏକ ସପ୍ତାହ ବାକି ଥିବାରୁ ଉପର ମୁଣ୍ଡରେ ଯଦି ବର୍ଷା ହୁଏ ତେବେ ପରିସ୍ଥିତି ଅଲଗା ହୋଇପାରେ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି l
ବିଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକେଇଲେ ୨୫ ଜୁଲାଇ ୨୦୨୩ ରେ ହୀରାକୁଦର ଜଳସ୍ତର ୬୧୩ ଫୁଟରେ ଥିବା ବେଳେ ଏହାର ପ୍ରଥମ ବନ୍ୟଜଳ ନିଷ୍କାସନ ହୋଇଥିଲା l ଠିକ ସେହିପରି 2022 ମସିହା ଜୁଲାଇ ୧୮ ତାରିଖରେ ଜଳସ୍ତର ୬୧୩.୭୧ ଫୁଟ, ୨୦୨୧ ଜୁଲାଇ ୧୧ ତାରିଖରେ ଜଳସ୍ତର ୬୦୯.୪୫ଫୁଟ, ୨୦୨୦ ଜୁନ ୨୫ ତାରିଖରେ ଜଳସ୍ତର ୬୧୮.୧୦ଫୁଟ ଜଳ ସ୍ତର ବେଳେ ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା l କେବଳ ୨୦୧୯ରେ ଆଜି ଦିନ ପରି ପରିସ୍ଥିତି ରହିଥିବାରୁ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ୬‍୧୮ ଫୁଟ୍ ଥିବା ବେଳେ ନଦୀବନ୍ଧରୁ ପ୍ରଥମ ଜଳ ନିଷ୍କାସନ କରାଯାଇଥିଲା।
ଏହି ତଥ୍ୟ ଉପରେ ନଜର ପକେଇଲେ ଏହା ଜଣାପଡୁଛି ଯେ ଜୁଲାଇ ମାସ ଶେଷ ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦ ରୁ ୬୨୦ ଫୁଟ୍ ମଧ୍ୟରେ ରହୁଥିଲା l ତେବେ ଚଳିତ ବର୍ଷ ଏଥିରେ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଛି । ହୀରାକୁଦର ପୁରୁଣା କର୍ଭରୁଲ ଅନୁସାରେ କୌଣସି ସମସ୍ୟା ନାହିଁ l ଜୁଲାଇ ଶେଷ ସୁଦ୍ଧା ଜଳସ୍ତର 600 ଫୁଟ ପାଖାପାଖି ରଖାଯାଇଥାଏ l ଅଗଷ୍ଟ ମାସ ଆରମ୍ଭରୁ କର୍ଭରୁଲ କାର୍ଯ୍ୟକ୍ଷମ ହୋଇଥାଏ ଓ ଅଗଷ୍ଟ ପ୍ରଥମ ସପ୍ତାହରୁ ଜଳସ୍ତରକୁ ୬ ଶହ ଫୁଟ ଉପରକୁ ଉଠିବାର ନିୟମ ରହିଛି ବୋଲି ବିଶେଷଜ୍ଞ କହୁଛନ୍ତି l ତେବେ ଏଥର ଜଳସ୍ତର ପୂର୍ବ ବର୍ଷଗୁଡିକ ଅପେକ୍ଷା କମ ରହିଛି ଏଥିରେ କୌଣସି ଦ୍ବିମତ ନାହିଁ l
ସମ୍ବଲପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ କମ ହୋଇଛି। ଏଥିଯୋଗୁଁ ହୀରାକୁଦ ନଦୀବନ୍ଧରେ ଜଳ ସ୍ତର ନବଢ଼ବା ମଧ୍ଯ ଏକ କାରଣ ହୋଇପାରେ ।ବିଗତ କିଛି ବର୍ଷରେ ଜୁଲାଇ ମାସର ବର୍ଷା ଉପରେ ଅନୁଧ୍ୟାନ କଲେ ଏହା ଜଣା ପଡୁଛି ଯେ, ସମ୍ବଲପୁର ଜିଲ୍ଲାରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷାର ପରିମାଣ ୪୦୨.୫୦ ମିଲିମିଟର ହୋଇଥିବା ବେଳେ ୨୦୧୯ ରେ ୩୧୧.୯୨, ୨୦୨୦ ରେ ୨୬୧.୨୨, ୨୦୨୧ରେ ୩୧୦.୧୧, ୨୦୨୨ ରେ ୩୨୭.୨୬,୨୦୨୩ ରେ ୪୧୩.୯୨ ଓ ଚଳିତ ବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ସୁଦ୍ଧା ମାତ୍ର ୧୩୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି l ଯାହା ଚିନ୍ତାର ବିଷୟ ଓ ନଦୀବନ୍ଧ ଜଳ ଧାରଣ କ୍ଷମତା ପୂର୍ଣ୍ଣ କରିବାରେ ଏକ କାରଣ ହୋଇପାରେ।
ତେବେ ହୀରାକୁଦର ଏଭଳି ସ୍ଥିତି ସମ୍ପର୍କରେ ପରିବେଶବିତ ରଞ୍ଜନ ପଣ୍ଡା କୁହନ୍ତି ଯେ ହୀରାକୁଦରେ ଚଳିତ ବର୍ଷ ଜଳସ୍ତର ଜୁଲାଇରେ କମ ଥିବାରୁ ଏହାର ପ୍ରଭାବ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ଉପରେ ନିଶ୍ଚିତ ଭାବେ ପଡିବ l କେଉଁ ଗୋଟିଏ ବର୍ଷ ହୀରାକୁଦର ଜଳସ୍ତର ହ୍ରାସ ପାଇବା ବଡ଼ କଥା ନୁହେଁ l ତେବେ ହୀରାକୁଦ ବନ୍ଧ ପରିଚାଳନା ପାଇଁ ଯେଉଁ ସମସ୍ୟାଗୁଡିକ ପୂର୍ବରୁ ଥିଲା ତାହା ଦୂର କରିବା ପାଇଁ ପାଇଁ ଓଡିଶା, ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସ୍ତରରେ ଉଦ୍ୟମ ହେବା ଦରକାର l କାରଣ ବର୍ତ୍ତମାନ ସବୁଠି ବିଜେପିର ସରକାର ରହିଛି l ଏହା ସହ ବନ୍ଧର ସୁପରିଚାଳନା ପାଇଁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଓ ଏହାର ଉପର ମୁଣ୍ଡରେ ଥିବା ଛତିଶଗଡ ଡ୍ୟାମ ଓ ବ୍ୟାରେଜର କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଓ ସମନ୍ବୟ ରହିବା ଆବଶ୍ୟକ ବୋଲି ପରିବେଶବିତ ରଞ୍ଜନ ପଣ୍ଡା କହି ହୀରାକୁଦ ନଦୀବନ୍ଧର ଭବିଷ୍ୟତ ପାଇଁ ଏହା ୈରକ ପ୍ରକୃଷ୍ଟ ସମୟ ବୋଲି ସେ ଚେତାଇ ଦେଇଛନ୍ତି।
ଏମିତିରେ ଦେଖିବାକୁ ଗଲେ ହୀରାକୁଦର ଜଳସ୍ତର ହ୍ରାସ ପାଇବା ଫଳରେ ଏହା ଜନ ଜୀବନ ଓ ଜୀବନ ଜୀବିକାକୁ ବିଶେଷ ଭାବେ ପ୍ରଭାବିତ କରିବ। ତେଣୁ ହୀରାକୁଦ ନଦୀବନ୍ଧର ଆଗାମୀ ଭବିଷ୍ୟତକୁ ଆଖିଆଗରେ ରଖି ଡବଲ ଇଞ୍ଜିନ ସରକାର ଠାରୁ ନଦୀବନ୍ଧ ଉପରେ ନିର୍ଭରଶୀଳ ଜନତା ଠାରୁ ଚାଷୀ,ମତ୍ସଜୀବି ସମସ୍ତେ ଚାତକ ପରାଏ ଚାହିଁ ବସିଛନ୍ତି।