Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାବ ବିଚାର:ସମ୍ବର୍ଦ୍ଧନା ଓ କୃତଜ୍ଞତା:ଗବେଷଣା ଲବ୍ଧ ନିବନ୍ଧ ଖୁବ୍ ଉପାଦେୟ

ସମ୍ବଲପୁର:କ୍ରମ ପରିମାର୍ଜ୍ଜିତ ହୋଇ ଆସୁଥିବା ସମ୍ବଲପୁରୀ ନୃତ୍ୟର ଆନୁଷ୍ଠାନିକ ଶିକ୍ଷା ଦାନ ସମୟରେ ତଥା ଏହି ଦିଗରେ ଗବେଷଣାରତ ଅନୁସନ୍ଧିସ୍ନୁ ଗବେଷକଙ୍କ ପାଇଁ ପୁସ୍ତକ ଆକାରରେ ଡ. ସପନ ମିଶ୍ରଙ୍କ ଗବେଷଣାଲବ୍‌ଧ ନିବନ୍ଧ ଉପାଦେୟ ହୋଇପାରିବ। ପଶ୍ଚିମ ଓଡ଼ିଶାର ଲୋକ ଗୀତ ନୃତ୍ୟ ବାଦ୍ୟର ବ୍ୟାକରଣୀକ ପକ୍ଷ ସମ୍ବନ୍ଧରେ ଗବେଷଣା କରି ସମ୍ବଲ୍‌ପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ନିକଟ ଅତୀତରେ ଡକ୍ଟରେଟ୍‌ ପାଇଥିବା ଡ. ସପନ ମିଶ୍ରଙ୍କର୍‌ ସମ୍ମାନାର୍ଥେ ଅୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିମନ୍ତ୍ରିତ ବକ୍ତା ଭାବରେ ଯୋଗ ଦେଇ ଗୁରୁ ରଣ୍‌ଜିତ ନାଗ ଏକଥା ପ୍ରକାଶ କରିଛନ୍ତି।
ଡ. ସପନ ମିଶ୍ରଙ୍କର ଏତାଦୃଶ ଗବେଷଣା ପଶ୍ଚିମାଂଚଳର ଲୋକ ଗୀତନୃତ୍ୟବାଦ୍ୟ ସମୂହର ଓ ବିଶେଷ କରି ‘ସମ୍ବଲପୁରୀ ନୃତ୍ୟ’ ର ନୀତିରୀତି ଓ ଶୈକ୍ଷିକ ପଦ୍ଦତି ବାବଦରେ ନୂତନ ଦିଗନ୍ତ ଉନ୍ମୋଚିତ କରିବାରେ ସହାୟକ ହେବ।ଏ ଦିଗରେ ଡ. ମିଶ୍ର ପ୍ରାୟ ଚାରି ଦଶନ୍ଧି ଧରି ସଂଗ୍ରହ ଓ ବିଶ୍ଲେଷଣ କରିଥିବା ଏହି ଅଂଚଳର ସମସ୍ତ ଗୀତ, ନୃତ୍ୟ, ବାଦ୍ୟ,ଆଭୂଷଣ,ପ୍ରଭୃତିର ସୂତ୍ରକୁ ପ୍ରଦର୍ଶନକାରୀ ସଂସ୍ଥା ଓ ସଂଗଠନମାନେ ବ୍ୟବହାରରେ ଆଣିପାରିବେ। ଫଳରେ ଗବେଷଣା କରୁଥିବା କଳାକାରମାନେ ଏଥିରୁ ପ୍ରଭୂତ ଲାଭ ପାଇପାରିବେ।ଏଅଂଚଳର ଗୀତର ରାଗ,ଛନ୍ଦ,ସର୍‌ଗମ୍‌,ଆଦି ନିର୍ଣିତ ହୋଇ ଇଛ୍ଛୁକ ଶିକ୍ଷାର୍ଥୀ ଓ ଗବେଷକଙ୍କ କାର୍ଯ୍ୟରେ ଆସିବ। ବାଦ୍ୟର ତାଳ ନିରୂପିତ ହୋଇ ଆବଶ୍ୟକୀୟ ସ୍ଥଳେ ନୂତନ ସଂରଚନା ସମୟରେ ବ୍ୟବହୃତ ହୋଇ ପାରିବ। ଅଧୁନା ଅବାଂଛିତ ଭାବରେ କ୍ରମ ବିକୃତ ହୋଇ ଚାଲିଥିବା ସମ୍ବଲପୁରୀ ନୃତ୍ୟରେ ଲଗାମ୍‌ ଲଗାଯାଇପାରିବ। ଉପଯୁକ୍ତ ଭଙ୍ଗୀ ପ୍ରୟୋଜନୀୟତା ମୁତାବକ ବ୍ୟବହାରରେ ଆସିବ। ଯାହା ଫଳରେ ଏହାର ମୌଳିକତା ରକ୍ଷା ହେବା ସହ ଭବିଷ୍ୟତର ପ୍ରୟୋଗାତ୍ମକ ନୃତ୍ୟ ସମାର୍ଜ୍ଜନା ଆଶାନୁରୂପ ଭାବରେ ସମାହିତ ହୋଇ ପାରିବ। ସମ୍ବର୍ଦ୍ଦନା ଓ ଆଲୋଚନା ସଭାର ସମ୍ମାନିତ ବକ୍ତା ସଂଗୀତଜ୍ଞ ଡ.କ୍ଷୀରୋଦ ମହାରଣା ସମ୍ବଲପୁରୀ ଗୀତବାଦ୍ୟର ନୋଟେସନ୍ସ୍‌ ବା ସଂଗୀତ ଲିପି ବାବଦରେ ବିଶଦ ଆଲୋଚନା କରି ଏହି ପ୍ରକ୍ରିୟାର ସାମ୍ଭବ୍ୟ ତୃଟି ବିଚ୍ୟୁତି ବାବଦରେ ଦର୍ଶାଇଥିଲେ। ସମ୍ମାନିତ ବକ୍ତା ସୁଲେଖକ କ୍ଷେତ୍ରମଣି ବିଭାର ଡ. ମିଶ୍ର ଏକ ପ୍ରକାଣ୍ଡ ପରିଧିରେ ନିଜସ୍ବ ଗବେଷଣା କରି ଆମ ଅଂଚଳର ଅତି ଦୁର୍ଲଭ ସଂଗୀତ ସୂତ୍ର ଗୁଡ଼ିକୁ ଆବିଷ୍କାର କରି ଏକ ସମୟପୋଯୋଗୀ ଗ୍ରନ୍ଥ ପ୍ରଣୟନ କରିଛନ୍ତି। ସାହିତ୍ୟିକ ପ୍ରଫେସର୍‌ ମୋହନ ସାହୁ ଆମ ଅଂଚଳର ସଂଗୀତ ତତ୍ତ୍ବକୁ ଏକତ୍ରିତ କରି ଗୀତ ଗୁଡ଼ିକର ସ୍ବର,ଲୟ ବାଦ୍ୟର ତାଳ,ପାର୍‌ ଓ ନୃତ୍ୟର ଭଙ୍ଗୀ,ମୁଦ୍ରାକୁ ପ୍ରତିଭାତ କରିବା ଅତି ଆବଶ୍ୟକ ଥିଲା। ଡ. ମିଶ୍ରଙ୍କ ପ୍ରତିଟି ଅଧ୍ୟାୟ ଉପରେ ଆଗାମୀ ଦିନରେ ଆହୁରି ଅଧିକ ସୁଧି ଗବେଷକ ପ୍ରେରିତ ହେବେ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଆମ ଅଂଚଳର ସଂସ୍କୃତି ଓ ଅସ୍ମିତାର ସଂସ୍ଥାପନା ପାଇଁ ଏହିଭଳି ଶିକ୍ଷାତ୍ମକ ଗବେଷଣା ହିଁ ବିଧେୟ ବୋଲି ଦିଗ ଦର୍ଶନ ଦେଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପଶ୍ଚିମାଂଚଲ୍‌ ଲୋକ ସଂଗୀତର ଶାସ୍ତ୍ରୀୟତା ଅନ୍ବେଷଣ ଦିଗରେ ଏହା ସର୍ବ ପ୍ରଥମ ଉଦ୍ୟମ ଓ ଆନୁଷ୍ଠାନିକ ସ୍ବୀକୃତି। ଜିଏମ୍‌ୟୁର ପୂର୍ବତନ ଇତିହାସ ବିଭାଗୀୟ ମୂଖ୍ୟ ପ୍ରଫେସର୍‌ ଦଧିବାମନ ମିଶ୍ର ଏହି ଭଳି ନିବନ୍ଧ ଆହୁରି ଅଧିକ ଏଭଳି ନିବନ୍ଧ ରଚନା ପାଇଁ ବାଟ ଉନ୍ମୁକ୍ତ କରେ ବୋଲି ପ୍ରକାଶ କରିଥିଲେ। ଗୀତନୃତ୍ୟବାଦ୍ୟ ପ୍ରଦର୍ଶନାତ୍ମକ ଓ ପ୍ରୟୋଗାତ୍ମକ ହୋଇଥିବାରୁ ଏହାର ଉପସଂହାରକୁ ଗୀତ,ନୃତ୍ୟ ନିର୍ଦ୍ଦେଶକମାନେ କାର୍ଯ୍ୟରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସୁଗାୟକ ମୋହନ ସେଠ୍‌ ସମସ୍ତ ସମ୍ବଲ୍‌ପୁରୀ ଲୋକ ଗୀତର୍‌
ସ୍ବର ସଂଚୟନ ଆବଶ୍ୟକତାକୁ ସୂଚାଇ ଥିଲେ।
ଡ. ମିଶ୍ର ଗତ ଚାରି ଦଶନ୍ଧି ଧରି କରି ଆସିଥିବା ତାଙ୍କର ଗବେଷଣା ଉପାଦାନ୍‌ ସଂଗ୍ରହ ଓ ତାର ଶୋଧନ ସମ୍ବନ୍ଧରେ ସ୍ମୃତି ଚାରଣ କରିବା ସହ ସେ ସମସ୍ତ କଳାକାର ଓ ସହାୟକକାରୀମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ସଂଶିତ ଗବେଷଣା ନିବନ୍ଧରେ ସ୍ଥାନୀତ ସମସ୍ତ ସମ୍ବଲପୁରୀ ନୃତ୍ୟ ଭଙ୍ଗୀ ଓ ମୂଦ୍ରା ଗୁଡ଼ିକର କଳାକାର ଦ୍ବୟ ନ୍ରୃତ୍ୟ ନିର୍ଦ୍ଧେଶକ ଦିଲ୍ଲୀପ ସାହୁ ଓ ସୁନାମଧନ୍ୟା ନର୍ତ୍ତକୀ ମନୀଷା ଭୋଇଙ୍କୁ ଏହି ସଭାରେ ସମ୍ବର୍ଦ୍ଦିତ କରାଯାଇଥିଲା। ଆକାଶବାଣୀ ସମ୍ବଲପୁରର ସଂଚାଳକ ସନ୍ତୋଷ ପିଙ୍ଗ୍‌ ଡ. ମିଶ୍ରଙ୍କୁ ଆଦିବାସୀ ନୃତ୍ୟଗୀତବାଦ୍ୟରେ ମାନ୍ଦଲ୍‌ ଓ ଅନ୍ୟାନ୍ୟ ମୂଖ୍ୟ ବାଦ୍ୟଯନ୍ତ୍ରର ବୋଲ୍‌ ଯୋଗାଇ ଥିବା କଥା ସ୍ମରଣ କରି ଏହି ନିବନ୍ଧର ପ୍ରକାଶନ ଅନେକ କଳାକାର ଓ ଗବେଷକଙ୍କୁ ପ୍ରଚୋଦନା ଯୋଗାଇବା ବୋଲି ଆଶା ପ୍ରକାଶ କରିଥିଲେ। ନୃତ୍ୟଗୁରୁ ଦୁର୍ଗାପ୍ରସାଦ ଦାଶ ଗବେଷଣା ସମୟରେ ଡ. ମିଶ୍ରଙ୍କ ପ୍ରତିବଦ୍ଧତା ବିଷୟରେ ରୋମନ୍ଥନ କରି ସମ୍ବଲପୁରୀ ନୃତ୍ୟ ମୁଦ୍ରାର ଅତୀବ ଆବଶ୍ୟକତାକୁ ସମସ୍ତ ନୃତ୍ୟ ନିର୍ଦ୍ଦେଶକମାନେ ଆଗକୁ ନେବାକୁ ପରାମର୍ଶ ଦେଇ ଥିଲେ। ଗୁରୁ ରଂଜନ ସାହୁ ରକ୍ଷଣଶୀଳ ଲୋକ ସାହିତ୍ୟକାର୍‌ମାନେ ଆମ ସଂଗୀତର ଲିପିବଦ୍ଦକରଣକୁ ଅନାବଶ୍ୟକୀୟ ନ କହି ବଂର ସମ୍ବଲ୍‌ପୁରୀ ନୃତ୍ୟର ଅବିକଳ ବୋଲ୍‌ ସହ ଏହାର ପାର୍‌ ବା ତାଳ ସବୁର ସଂଗ୍ରହ ଦିଗରେ ଏହି ଗବେଷଣା ବାଟ ଫିଟାଇଛି ବୋଲି ଉଲ୍ଲେଖ କରିଥିଲେ। ସଂଗୀତଜ୍ଞ ମୋତିଲାଲ ଦୋରା ଏହି ଗବେଷଣା ନିବନ୍ଧକୁ ଏକ ସମୟପୋଯୋଗୀ ସତ୍‌ ସାହାସ ବୋଲି ଆଖ୍ୟା ଦେଇ ଏହା ଉପରେ ପଶ୍ଚିମାଂଚଲ୍‌ ସମସ୍ତ ଅଂଚଳରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉ ବୋଲି ପ୍ରସ୍ତାବ ଦେଇଥିଲେ।ଗୁରୁ ମୋହିତ୍‌ ସ୍ବାଇଁ ଛଉ ନୃତ୍ୟର ଦୃଷ୍ଟାନ୍ତ ଦେଇ କହିଥିଲେ ଯେ ଆମ ଗୀତନୃତ୍ୟବାଦ୍ୟରେ ବିକୃତି ନ ହେବା ପାଇଁ ଏଭଳି ଏକ ବଳିଷ୍ଠ ଗବେଷଣା ପ୍ରସୂତ ଆଚାର ସଂହିତାର ଆବଶ୍ୟକତା ରହିଥିଲା ଯଦ୍ବାରା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ହଉ ବା କେନ୍ଦ୍ର ସଂଗୀତ ନାଟକ ଏକାଡ଼େମୀ ହଉ,ଆମ ସଂଗୀତକୁ ମାନ୍ୟତା ଦେଇପାରିବ।
ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଦ୍ବାରା ଡ଼. ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା।’ଉକିଆ’,’ଲହରୀ’,’ରଙ୍ଗ ଫରୁଆ’,’କହର୍‌’,’ସ୍ବୟମ୍‌’,’ପଶ୍ଚିମାଂଚଳ ବୌଦ୍ଧିକ ମଂଚ’,’ସମ୍ବଲପୁର ସାଂସ୍କୃତିକ ପରିଷଦ’,’ବୁଢ଼ାରଜା ସାଂସ୍କୃତିକ ସଂଘ,’ସଚେତନ ସମ୍ବଲପୁର ନାଗରିକ କମିଟୀ’,’ସାଥୀ’,’ଏସ୍‌ଆର୍‌ଆଇଟି ୱେଲ୍‌ ଫେୟାର୍‌ କମିଟୀ’,’ନାରୀ ଜାଗରଣ ସମିତି’,’ହିଲ୍‌ ଭିୟୁ ସୋସାଇଟୀ’,’ଆଦର୍ଶ ନଗର୍‌ ସୋସାଇଟୀ’ ‘,’ମହାନଗର୍‌ ନିଗମ୍‌ ନାଗରିକ କମିଟୀ’ ଓ ଅନ୍ୟାନ୍ୟ ଅନୁଷ୍ଠାନ୍‌ କର୍ମକର୍ତ୍ତାଗଣ।
ପୁପ୍ଷଗୁଛ୍ଛ,ଉପଢୌକନ,ସ୍ମାରକୀ ଉପହାର ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ଶତୃଘ୍ନଲାଲ୍‌ ସାହା, ଶ୍ରୀମତି ଭାରତୀ ପଣ୍ଡା,ଶ୍ରୀମାନ୍‌ ସିଦ୍ଧାର୍ଥ ସାହା,ଡ. ଦେବାଶିଷ ପ୍ରଧାନ,ସାଥି ଭଗତ୍‌,ଶ୍ରୀମତି ପାର୍ବତୀ ସେଠ୍‌,ଜିତେନ୍ଦ୍ର ସେଠ୍‌,ସିଦ୍ଧି ତ୍ରିପାଠୀ,ମାମାଲି ତ୍ରିପାଠୀ,ମୋହନ୍‌ ସେଠ୍‌,ସାଧକଶ୍ରୀ ସଦାନନ୍ଦ ପଣ୍ଡା,ଗୁରୁ ଦିଲ୍ଲୀପ ସାହୁ,ଅଭିନେତ୍ରୀ ରୋଜୀ ଷଢ଼ଙ୍ଗୀ,ପଣ୍ଡିତ ପ୍ରଣବ ମିଶ୍ର,ଜୁଲି ମହାପାତ୍ର ତାଳ ବାଦକ ସୁବାସ ଚନ୍ଦ୍ର ଭୋଇ,ନୃତ୍ୟ ନିର୍ଦ୍ଦେଶକ କୃଷ୍ନ ବାଗ୍‌ ଓ ଅନ୍ୟମାନେ।
ପ୍ରକାଶଯୋଗ୍ୟ,ଡ. ମିଶ୍ରଙ୍କର ପିଏଚ୍‌ଡ଼ି ନିବନ୍ଧଟି ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ସଂଯୋଜକ ଓ ଓଡ଼ିଆ ବିଭାଗୀୟ ମୂଖ୍ୟ ପ୍ରଫେସର ଗୋପୀନାଥ ବାଗ୍‌ଙ୍କ ଦ୍ବାର ମାର୍ଗଦର୍ଶିତ ହୋଇ ଶାନ୍ତିନିକେତନ ବିଶ୍ବବିଦ୍ୟାଳୟର ପ୍ରଫେସର କିରଣବାଳା ମହାନ୍ତି,ପ୍ରଫେସର କଇଳାଶ ପଟ୍ଟନାୟକ ଓ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ନାରାୟଣ ସାହୁଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇ ସମ୍ବଲପୁର ବିଶ୍ବବିଦ୍ୟାଳୟର ଗତ ସମାବର୍ତ୍ତନ ସମାରୋହରେ ଓଡ଼ିଶାର ମହା ମହିମ ରାଜ୍ୟପାଳ ରଘୁବର ଦାସଙ୍କ ହସ୍ତରେ ଡ. ମିଶ୍ରଙ୍କୁ ପ୍ରଦାନ କରାଯାଇଛି।ଶେଷରେ ସାଧକଶ୍ରୀ ସଦାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।