କଳାହାଣ୍ଡି:୩୧/୦୮
(ସନତ କୁମାର ପ୍ରଧାନୀ)
ପ୍ଲାଷ୍ଟିକ ମୁକ୍ତ ପରିବେଶର ପରିକଳ୍ପନା ନେଇ ବିକାଶ ଆବାସିକ ବିଦ୍ୟାଳୟ ତରଫରୁ ଭବାନୀପାଟଣା ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି, ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଉକ୍ତ ରାଲିଟି ହସ୍ପିଟାଲ ଛକରୁ ବାହାରି ବସ୍ ଟାଣ୍ଡ ଠାରେ ପହଞ୍ଚିଥିଲା । ବସ୍ ଟାଣ୍ଡ ଠାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା ।ଏହି ସଭାରେ ପଥପ୍ରାନ୍ତ ନାଟକ, ନୃତ୍ୟ ସଙ୍ଗୀତ ଓ ବକ୍ତୃତା ମାଧ୍ୟମରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା । ଉକ୍ତ ସଭାସ୍ଥଳରେ ଭବାନୀପାଟଣାର ଜନସାଧାରଣ ଓ ଦୂର ଦୁରାନ୍ତରୁ ଆସିଥିବା ଲୋକଙ୍କ ଜନଗହଳି ଦେଖିବାକୁ ମିଳିଥିଲା । ବିଶେଷ କରି ଛାତ୍ର ଛାତ୍ରୀଙ୍କର ଏହି ଅଭିନବ ପ୍ରୟାସକୁ ସହରର ଜନସାଧାରଣ ସହଯୋଗ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଅନୁଷ୍ଠାନର ଏନ୍ ସି ସି, ଜୁନିଅର ରେଡ କ୍ରସ ବାଳିକା ବିଭାଗ ଓ ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ଶୃଙ୍ଖଳାର ସହିତ ପରିଚାଳିତ ହୋଇଥିବା ହେତୁ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ଓ ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର ଜିଲ୍ଲା ଆରକ୍ଷୀ ବିଭାଗ ଓ ଭବାନୀପାଟଣା ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।