Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିକ୍ଷାରେ ଅବହେଳିତ କୁଚିଣ୍ଡା ଉପଖଣ୍ଡ, ଜନ ଆନ୍ଦୋଳନପାଇଁ ପ୍ରସ୍ତୁତି !

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଆଜାଦିକା ଅମୃତ ମହୋତ୍ସବ ପାଳନ ପରେ ବି ଶିକ୍ଷାର କୁହେଳିକାରେ ପଡି ରହିଛି କୁଚିଣ୍ଡା ଉପଖଣ୍ଡ। ଜିଲ୍ଲାରେ ଶିକ୍ଷାର ପ୍ରଦୀପ ସାଜିଥିବା କୁଚିଣ୍ଡା ଉପଖଣ୍ଡର ସର୍ବପୁରାତନ କୁଚିଣ୍ଡା ମହାବିଦ୍ୟାଳୟକୁ ୫୭ବର୍ଷ ପୁରିଲାଣି ସତ, କିନ୍ତୁ କଲେଜକୁ ମିଳିପାରିନି ସରକାରୀ ମାନ୍ୟତା। ୧୯୮୯ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ସମୟରେ ଓଡ଼ିଶାର ଆଇଟିଡିଏ ଅଞ୍ଚଳରେ ରହିଥିବା କୁଚିଣ୍ଡା ପରି ୧୧ଟି କଲେଜକୁ ସରକାରୀ ମାନ୍ୟତା ପାଇଁ କ୍ୟାବିନେଟ୍ ମୋହର ଲାଗିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ନପାରି ଦୁଃଖର ବିଷୟ।କୁଚିଣ୍ଡା କଲେଜରେ ଯୁକ୍ତ ୨ ଠାରୁ ଯୁକ୍ତ ୩ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ପ୍ରତି ବର୍ଷ ୨୪୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାମ ଲେଖାଇ ଥାଆନ୍ତି l ସେହିପରି କୁଚିଣ୍ଡା ମହାବିଦ୍ୟାଳୟରେ ଆଗରୁ ଥିବା ବି.ଇ.ଡି ଓ ପି.ଜି ପାଠ୍ୟକ୍ରମ ବନ୍ଦ ହୋଇଯାଇଛି l ଏହି କଲେଜ ପ୍ରତି ସରକାରୀ ଉଦାସୀନତା ଯୋଗୁଁ ମେଧାବୀ ଛାତ୍ରଛାତ୍ରୀ ମାନେ ମୁହଁ ମୋଡ଼ିବା କାରଣରୁ ଦିନକୁଦିନ ଶିକ୍ଷାର ମାନଦଣ୍ଡ ଖସିବାରେ ଲାଗିଛି l ଅନ୍ୟପଟେ କୁଚିଣ୍ଡା ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏହା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଛି l କୁଚିଣ୍ଡା ପ୍ରଶାସନ ଏଥିପାଇଁ ଆବଶ୍ୟକ ଜାଗା ଚିହ୍ନଟ କରିଛି, କିନ୍ତୁ ଏ ଦିଗରେ କୌଣସି କାର୍ଯ୍ୟ କାମ ମଧ୍ୟ ଆରମ୍ଭ ହୋଇ ପାରିନାହିଁ l କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ନାହିଁ l ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଏକ ସରକାରୀ ଆଇଟିଆଇ ଖୋଲିବା ଘୋଷଣା ହୋଇଛି l କୁଚିଣ୍ଡା ପ୍ରଶାସନ ପକ୍ଷରୁ ଜମି ମଧ୍ଯ ଚିହ୍ନଟ ହୋଇଛି ମାତ୍ର ଆଇଟିଆଇ ଖୋଲିବା ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ହୋଇନାହିଁ l ଉପଖଣ୍ଡର ଅନ୍ୟତମ ପ୍ରମୁଖ ମହାବିଦ୍ୟାଳୟ ବାମରା କଲେଜରେ ବିଜ୍ଞାନ ବିଭାଗ ନଥିବା ବେଳେ ଜମନକିରାରେ ଥିବା ବିଜ୍ଞାନ ବିଭାଗ ପୂର୍ଣ୍ଣ ଅନୁଦାନ ପାଇଁ ନାହିଁ ଏବଂ ମହାବିଦ୍ୟାଳୟର ବିକାଶ ଦିଗରେ ସେଭଳି ସରକାରୀ ତରରେ ପଦକ୍ଷେପ ନିଆ ଯାଇନାହିଁ l ଏହି ଉପଖଣ୍ଡ ଶିକ୍ଷା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଚରମ ଅବହେଳା କରୁଥିବା ନେଇ ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନ ପାଇଁ ସଜବାଜ ହେଉଛି।
କୁଚିଣ୍ଡା ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀ କରଣ, ଜମି ପଟ୍ଟା ପ୍ରଦାନ ଓ ବନ୍ଦ ହୋଇଯାଇଥିବା ବି.ଇ.ଡି ଏବଂ ପି.ଜି ପାଠ୍ୟକ୍ରମର ପୁନଃ ପ୍ରଚଳନ,ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିବା,ରାଜ୍ୟ ସରକାର ଦ୍ୱାରା ଘୋଷଣା ହୋଇଥିବା ସରକାରୀ ଆଇଟିଆଇ ଶିକ୍ଷା ଆରମ୍ଭ କରିବା,କୁଚିଣ୍ଡା ଠାରେ ଏକ ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠା,କୁଚିଣ୍ଡାରେ ଏକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ କରିବା,ବାମରା କଲେଜରେ ଡ଼ିଗ୍ରୀ ବିଜ୍ଞାନ ପାଠ୍ୟକ୍ରମ ପ୍ରଚଳନ କରିବା, ଜମନକିରା କଲେଜରେ ଥିବା ବିଜ୍ଞାନ ପାଠ୍ୟକ୍ରମକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ଭଳି ବହୁ ଦାବି ଦୀର୍ଘ ଦିନହେଲା ହୋଇଆସୁଛି।
ଏହି ଅଞ୍ଚଳର ଶିକ୍ଷାର ଉନ୍ନତି ପାଇଁ ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ, କୁଚିଣ୍ଡା ମଧ୍ୟ ଦାବି କରି ଆସୁଛି l କୁଚିଣ୍ଡା ଉପଖଣ୍ଡରେ ସାମଗ୍ରୀକ ଶିକ୍ଷାର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟର ଉପଦେଷ୍ଟା ସୁଭାଷ ଚନ୍ଦ୍ର ନାୟକ,ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ ଓ ସହ-ସଂଯୋଜକ ଅସୀମ ପଟେଲ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି।