ବଢିଲା ଜୀବନ ଯନ୍ତ୍ରଣା,ଶିବା ସିମେଣ୍ଟକୁ ଚୂନ ପଥର ପରିବହନ ବନ୍ଦ କଲେ ଗ୍ରାମବାସୀ


ସମ୍ବଲପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକର ତେଲିଘନାସ୍ଥିତ ଜେଏସଡବ୍ଲୁ (ଶିବା ସିମେଣ୍ଟ କାରଖାନା)କୁ ବନ୍ଦ ହୋଇଛି ଚୂନ ପଥର ପରିବହନ।ଖତକୁରବାହାଲ ଚୂନ ପଥର ଖଣିରୁ ଭାରିଯାନ ଯୋଗେ କୁତ୍ରା ଗ୍ରାମ ଅଞ୍ଚଳ ରାସ୍ତା ଦେଇ କଞ୍ଚାମାଲ ପରିବହନକୁ ଜନ ଜୀବନ ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନଙ୍କ ଦ୍ଵାରା ବିରୋଧ କରା ଯିବା ସହ ଚୂନପଥର ବୋଝେଇ ଭାରିଯାନ ଗୁଡିକର ଚଳାଚଳ ବନ୍ଦ କରି ଦେଇଛନ୍ତି । ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ ସାମାଜିକ ସୁରକ୍ଷାକୁ ଅଣଦେଖା କରିବାରୁ ଗ୍ରାମବାସୀ ଏଭଳି କଡା ଅଭିମୁଖ୍ୟ ନେଇଛନ୍ତି।ଉକ୍ତ ରାସ୍ତାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ବିଦ୍ୟାଳୟ , ସରକାରୀ ଆଇଟିଆଇ ପ୍ରମୁଖ ସାମାଜିକ ଓ ପ୍ରଶାସନିକ ଅନୁଷ୍ଠାନ ଅବସ୍ଥିତ ଥିବା ଯୋଗୁ ପ୍ରତିଦିନ ହଜାର ହଜାର ଜନସାଧାରଣ ଓ ଛାତ୍ରଛାତ୍ରୀ ଏହି ରାସ୍ତାରେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଦୀର୍ଘ ଦିନ ହେବ ଜେଏସଡବ୍ଲୁ ଶିବା ସିମେଣ୍ଟ କାରଖାନା କଞ୍ଚାମାଲ ପରିବହନ ଯୋଗୁଁ ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି।ନିକଟସ୍ଥିତ ବିଦ୍ୟାଳୟର ଛାତ୍ରଛାତ୍ରୀ , ଜନସାଧାରଣ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବା ସହ ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅବସ୍ଥା ସୃଷ୍ଟି ହୋଇଥିବା ନଜରକୁ ଆସିଛି l ପରିବହନ ସମୟରେ ଧୂଳିକଣା ପରିବେଶ ପ୍ରତି କ୍ଷତିକାରକ ହୋଇପଡ଼ିଛି ଏବଂ ରାସ୍ତାରେ ପରିବହନ ବେଳେ ଭାରୀଯାନ ରୁ ପଥର ଖଣ୍ଡ ଖସି ଦୁର୍ଘଟଣା ଘଟିବା ଦେଖିବାକୁ ମିଳୁଛି । ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ କମ୍ପାନୀ କତ୍ତୃପକ୍ଷ ସମସ୍ୟା ପ୍ରତି କର୍ଣ୍ଣପାତ ନକରି ଚୁପ ହେବା ଦ୍ଵାରା ଅଞ୍ଚଳର ଗ୍ରାମ ବାସୀ ମାନେ ଅତିଷ୍ଟ ହେବା ପରେ ଶେଷରେ ଆଜି ଏଭଳି କଡା ଆଭିମୁଖ୍ୟ ନେଇ ରାସ୍ତା ଅବରୋଧ ଭଳି ନିଷ୍ପତ୍ତି ନେଇଛନ୍ତି।ଏହି ରାସ୍ତା ଦେଇ ଚୂନପଥର ବୋଝେଇ ଭାରିଯାନ ଗୁଡିକର ଚଳାଚଳକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ।ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁ କୁତ୍ରାରୁ ଖତକୁରବାହାଲ ଗ୍ରାମ୍ୟ ରାସ୍ତାରେ ଚୂନପଥର ବୋଝେଇ ଭାରିଯାନ ଅଟକି ରହିଛି ।ଅନ୍ୟପଟେ ଆନ୍ଦୋଳନକୁ ଦେଖି ଘଟଣା ସ୍ଥଳରେ କୁତ୍ରା ତହସିଲଦାର ପ୍ରମୋଦ କୁମାର ବାସ୍କେ, ଥାନା ଅଧିକାରୀ ମନୋରଞ୍ଜନ ବିଶି, କାରଖାନା କର୍ତ୍ତ୍ତୃପକ୍ଷ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ l ଜେଏସ ଡବ୍ଲୁ କର୍ତ୍ତ୍ତୃପକ୍ଷ ଗତ କିଛି ବର୍ଷ ହେବ ଶିବା ସିମେଣ୍ଟ କୁ ନେବା ସମୟରେ ଅଞ୍ଚଳ ବାସୀ ଙ୍କୁ ସ୍ୱାଭିଲମ୍ବୀ କରି ହଜାର ହଜାର ଲୋକଙ୍କୁ ରୋଜଗାର କ୍ଷମ କରିବାର ସ୍ୱପ୍ନ ଦେଖାଇ କାରଖାନକୁ ନିଜ ଆୟତ୍ତକୁ ନେଇଥିଲା।ଏହି ସମୟରେ ଗ୍ରାମ ବାସୀ ଙ୍କ ମଧ୍ୟରେ ମତାନ୍ତର ସହ ଗଣ୍ଡଗୋଳର ସୂତ୍ରପାତ ମଧ୍ୟ ହୋଇ ଥିଲା l ପରବର୍ତ୍ତି ସମୟରେ କାରଖାନା କର୍ତ୍ତ୍ତୃପକ୍ଷ ରାଜ୍ୟ ବାହାର ଲୋକଙ୍କୁ ଆଣି କାରଖାନା କାର୍ଯ୍ୟରେ ନିୟୋଜନ କରିଥିଲେ। ଅଞ୍ଚଳ ବାସୀଙ୍କୁ ପରି ବହନ କାର୍ଯ୍ୟ ନ ଦେଇ ରାଜ୍ୟ ବାହାର ଏବଂ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଆଣି ପରିବହନ କାର୍ଯ୍ୟ ଦେଇ ଥିବାରୁ ଅଞ୍ଚଳ ବାସୀ ବିମୁଖ ଥିବା ଅନ୍ୟ ଏକ କାରଣ। ଫଳରେ ଏହି କାରଣରୁ ଗ୍ରାମବାସୀ କ୍ରୋଧିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବାବି ଶୁଣିବାକୁ ମିଳୁଛିl ଯାହାଦ୍ଵାରା ଆଜି ଅଞ୍ଚଳ ବାସୀ ପକ୍ଷରୁ ଚୂନ ପଥର ପରିବହନ କରୁଥିବା ଭାରି ଯାନ ଗୁଡିକୁ ରାସ୍ତା ରେ ବନ୍ଦ କରି ଗ୍ରାମବାସୀ ଧାରଣାରେ ବସିଛନ୍ତି।କାରଖାନା କର୍ତ୍ତ୍ତୃପକ୍ଷ ଶ୍ରମିକ ନିଯୁକ୍ତି ଓ ପରିବହନ ଭଳି ବିଭିନ୍ନ ସମସ୍ୟା ନେଇ ଅଞ୍ଚଳ ବାସୀଙ୍କୁ ରୋଜଗାର କ୍ଷମ କରିବା ସହ ସ୍ଥାନୀୟ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଙ୍କୁ କାର୍ଯ୍ୟରେ ନିଯୁକ୍ତି ନ ଦେଲେ ଅଞ୍ଚଳ ବାସୀଙ୍କ ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।