Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବାଦ ପକ୍ଷରୁ ପରିବେଶ ସୁରକ୍ଷା ଓ ପୂର୍ବ ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୨୮/୦୯
କଲହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛିଲିପା ଜେନା ଡଙ୍ଗର ଠାରେ ସମ୍ବାଦ ଓ କନକ ନ୍ୟୁଜ ତରଫରୁ ପରିବେଶ ସୁରକ୍ଷା ଓ ପୂର୍ବ ପୃଥିବୀ ଗଠନ କାର୍ଯ୍ୟକ୍ରମ ଜିଲ୍ଲା ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ବିଶି ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଆଜି ପ୍ରକୃତିର ସମସ୍ତ ଉପାଦାନ ପ୍ରଦୂଷିତ। ବୈଜ୍ଞାନିକ ମାନଙ୍କ ଆକଳନ ଅନୁଯାୟୀ, ପରିବେଶ ପ୍ରଦୂଷଣ ପାଇଁ ଏହି ପୃଥିବୀରୁ ଦିନେ ସମସ୍ତ ପ୍ରାଣୀ ନିଶ୍ଚିହ୍ନ ହୋଇଯିବେ। ଅସଂଖ୍ୟ କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବା ବେଳେ ସେଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଜଳାଧାରରେ ପ୍ରବେଶ କରି ଜଳକୁ ପ୍ରଦୂଷିତ କରୁଛି। ରାସାୟନିକ ସାରର ବହୁଳ ପ୍ରୟୋଗ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ମାଟିକୁ ପ୍ରଦୂଷିତ କରୁଛି ଓ କୃତ୍ରିମ ଉଚ୍ଚ ଶବ୍ଦ ସୃଷ୍ଟି ଆକାଶକୁ ପ୍ରଭାବିତ କରୁଛି। ଏହସହ ସମ୍ପ୍ରତି ପୃଥିବୀର ତାପମାତ୍ରା ବଢ଼ିଚାଲିଛି। ମେରୁ ଅଞ୍ଚଳରେ ଗ୍ଲାସିୟର ତରଳିବା ଆରମ୍ଭ ହୋଇଛି ଓ ଏହାଦ୍ୱାରା ସମୁଦ୍ରର ଜଳପତ୍ତନ ବଢ଼ି ପ୍ରଳୟ ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଲେଣି।
ବିକାଶ ନାମରେ ଶିଳ୍ପାୟନ ଓ କଳକାରଖାନାର ସଂଖ୍ୟା ବୃଦ୍ଧି ଏହାର ମୁଖ୍ୟ କାରଣ। ଗଛ ଅଙ୍ଗାରକାମ୍ଳ ଶୋଷିନିଏ ଏବଂ ପ୍ରତିଦାନରେ ଅମ୍ଳଜାନ ପ୍ରଦାନ କରେ। ମାତ୍ର ମଣିଷ ଶିଳ୍ପାୟନ ପାଇଁ ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ଲକ୍ଷ ଲକ୍ଷ ଗଛ କଟିବାରେ ଲାଗିଛି। ପ୍ରଚୁର ଗଛଥିଲେ ସେଗୁଡିକ ଅଙ୍ଗାରକାମ୍ଳକୁ ଶୋଷିନିଅନ୍ତି। ମାତ୍ର ଜଙ୍ଗଲ କମିବା ଦ୍ୱାରା ତାହା ସମ୍ଭବ ହେଉ ନାହିଁ। ଫଳରେ ପୃଥିବୀର ତାପମାତ୍ରା ବଢ଼ୁଛି। ନୂତନ ବନୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର ସେହି ଅନୁପାତରେ ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ। ଗ୍ଲୋବାଲ ୱର୍ମିଂ (ବିଶ୍ୱତାପନ) କାରଣରୁ ଜଳବାୟୁ ପରିବର୍ତ୍ତନ, ଭୂତଳଜଳ ହ୍ରାସ, ମୃତ୍ତିକାକ୍ଷୟ ଆଦି ବିପର୍ଯ୍ୟୟ ସୃଷ୍ଟି ହେଉଛି। ଏହା ଦ୍ୱାରା କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ, ଜଳଚର ଜୀବ ଓ ଉଦ୍ଭିଦଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ବ୍ୟାପକ ବୃକ୍ଷଛେଦନ ଫଳରେ ଅମ୍ଳଜାନର ଅଭାବ ଅନୁଭୂତ ହେଲାଣି। ତେଣୁ ଏସବୁକୁ ଆଖି ଆଗରେ ରଖି ସମ୍ବାଦ ତରଫରୁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ, ମୁଖ୍ୟବକ୍ତା ଭାବେ ଡଃ ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ପଞ୍ଚାୟତ କଲେଜ ଅଧ୍ୟାପକ ସରୋଜ ପଣ୍ଡା, ଲିଙ୍ଗରାଜ ପାତ୍ର, ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ସଂଜୀବ ମୁଣ୍ଡ, ପ୍ରକୃତି ବନ୍ଧୁ ପୁରସ୍କୃତ ତଥା ଧର୍ମଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା,ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଭୂଦତ ପ୍ରଧାନୀ, ନରିନେତ୍ରୀ ସୁକାନ୍ତି ସା, ଛିଲିପା ଗ୍ରାମ୍ୟ କମିଟି ସଭାପତି ଅଜିତ ପଟଯୋଶୀ , ସରତ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ଧନ୍ୟବାଦ ଅଭିଭାଷଣ ଓଡିଶା ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ତଥା ସମ୍ବାଦ ପ୍ରତିନିଧି ବିରଞ୍ଚି ନାରାୟଣ ଜାଲ ଦେଇଥିବା ବେଳେ । ମଞ୍ଚ ପରିଚାଳନା ସୁଧୀର ଗୋପାଳ କରିଥିଲେ ।