ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦର କାର୍ଯ୍ୟକାରିଣୀ ବୈଠକ


ସମ୍ବଲପୁର: ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ବୟ ପରିଷଦ ର ରାଜ୍ୟସ୍ତରୀୟ ତୃତୀୟ କାର୍ଯ୍ୟକାରିଣୀ ସମିତି ବୈଠକ ତପସ୍ବିନୀ ହଲ ସମ୍ବଲପୁର ଠାରେ ରବିବାର ଅନୁଷ୍ଠିତ ହୋଇଥିଲା I ରାଜ୍ୟ ସଙ୍ଗଠନ ସଭାପତି ଶ୍ରୀ ଧନଞ୍ଜୟ ହେମ୍ବ୍ରମଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପୂର୍ବରୁ ମୋଦିପଡ଼ା ଛକ ସ୍ଥିତ ବାବାସାହେବ ଡ଼ଃ ଆମ୍ବେଦକର ଓ ଅଇଁଠାପାଲି ଛକସ୍ଥିତ ବିର୍ସା ମୁଣ୍ଡାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପସ୍ଥାପିକା ଭାବରେ ଅତାବିରାର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ପ୍ରଥମେ ମଞ୍ଚାସୀନ କର୍ମକର୍ତ୍ତା ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବୈଠକ ପ୍ରାରମ୍ଭରେ ଭଗବାନ ବିର୍ସା ମୁଣ୍ଡା ଓ ବାବାସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ଓ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା । ଏହି ବୈଠକରେ ସଭାପତିଙ୍କ ସ୍ବାଗତ ଭାଷଣ ପରେ, ରାଜ୍ୟ ସଙ୍ଗଠନ ଆବାହକ ଶ୍ରୀ ମଧୁସୂଦନ ବେହେରା କାର୍ଯ୍ୟକାରିଣୀ ବୈଠକର ପରବର୍ତ୍ତୀ ମଞ୍ଚ ଉପସ୍ଥାପକ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକାରୀ ସଭାପତି ଅଜୟ କୁମାର ମାରାଣ୍ଡି ସଙ୍ଗଠନର ବିଷବସ୍ତୁ ଉପରେ ସମସ୍ତଙ୍କୁ ଅବଗତ କରିଥିଲେ । ପ୍ରମୁଖ ସମ୍ପାଦକ ଶ୍ରୀ ଅନନ୍ତ କିଶୋର ମାଝୀ “ପଦୋନ୍ନତି କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟା ଉପରେ, ସଂଗଠନ ଦ୍ବାରା ଅଦ୍ୟାବିଧ ଗ୍ରହଣ କରାଯାଇଥିବା ପଦକ୍ଷେପ” ବିଷୟ ଉପରେ ବିଶେଷ ଉପସ୍ଥାପନା କରିଥିଲେ । ତାପରେ ସାଂଗଠନିକ ସାଧାରଣ ସମ୍ପାଦକ ଶ୍ରୀ ବରୁଣ ମୁଖି ସଂଗଠନକୁ ସୁଦୃଢ କରିବା ଉପରେ ମତ ରଖିବା ସହ ସମସ୍ତ ୩୧୪ ବ୍ଲକରେ ପରିଷଦ ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ଗଠନ ପାଇଁ ଅନୁରୋଧ କରିଥିଲେ । ନିଯୁକ୍ତି ସାଧାରଣ ସମ୍ପାଦକ ଶ୍ରୀ ଏସ. ଗିରିଧର ନିଯୁକ୍ତି ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସାଂସ୍କୃତିକ ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ବେହେରା ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀକୁ ଆଗାମୀ ନଭେମ୍ବର ୧୫ ତାରିଖରେ ରାଜ୍ୟ/ଜିଲ୍ଲା/ବ୍ଲକ୍ ସ୍ତରରେ ଧୁମଧାମରେ ପାଳନ ଉପରେ ଦୃଢ଼ ମତପ୍ରକାଶ କରିଥିଲେ । ରାଜ୍ୟ ସଙ୍ଗଠନର ଅନନ୍ୟ ମୁଖ୍ୟ ପରାମର୍ଶଦାତା ଶ୍ରୀ ଧରମ ହାଁସଦା ଦାବୀ ପୂରଣ କରିବାକୁ ହେଲେ ନିଜ ମାନସିକତା ସଶକ୍ତ କରିବା ସହ ସମୟକୁ ସଦୁପୋଯୋଗ କରିବାକୁ ପଡ଼ିବ ବୋଲି ଆଲୋକପାତ କରିଥିଲେ । ସମ୍ବଲପୁର ଜିଲ୍ଲା ପରାମର୍ଶ ଦାତା ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ଏହି ଅବସରରେ ରାଜ୍ୟ ପରିଷଦର ଫେସବୁକ୍ ପେଜ୍‌ ର ଶୁଭ ଉନ୍ମୋଚନ କରିବା ସହ ମହିଳା କର୍ମଚାରୀଙ୍କୁ ସଂଗଠନରେ ଅଧିକ ଯୋଡିବା ସ‌ହ ଆମ୍ବେଦକରଙ୍କ ଭାରତର ସମ୍ବିଧାନ ପୁସ୍ତକ ପଢ଼ିବା ପାଇଁ ନିବେଦନ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ଧନଞ୍ଜୟ ହେମ୍ବ୍ରମ ପରିଷଦର ୟୁଟୁବ ଚାନେଲ ଉନ୍ମୋଚନ କରିଥିଲେ । ଏହାସହ ରାଜ୍ୟ ପରିଷଦର ଟୁଇଟର ଏବଂ ଇନଷ୍ଟା ଗ୍ରାମ ପୃଷ୍ଠା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ଅତିରିକ୍ତ ପ୍ରମୁଖ ସମ୍ପାଦକ ଶ୍ରୀ ସିଦ୍ଧେଶ୍ବର ବେହେରା, ରାଜ୍ୟ ଅର୍ଥ ସାଧାରଣ ସମ୍ପାଦକ ସୁପ୍ରିୟା ପ୍ରଧାନ, ସମ୍ବଲପୁର ଜିଲ୍ଲା ପରିଷଦର ସଭାପତି ସୁଜିତ୍ ବୁଡ଼ା ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଧ୍ରୁବ ରୋହିଦାସ ମଞ୍ଚାସୀନ ଥିଲେ । ରାଜ୍ୟସ୍ତରୀୟ ଏହି ତୃତୀୟ କାର୍ଯ୍ୟକାରିଣୀ ସମିତି ବୈଠକରେ ରାଜ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ସଦସ୍ୟ/ସଦସ୍ୟା, ରାଜ୍ୟ ପର୍ଯ୍ୟବେକ୍ଷକବୃନ୍ଦ, ଜିଲ୍ଲା ପରାମର୍ଶଦାତାଗଣ, ରାଜ୍ୟ ସଂଯୋଜକମାନେ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ପରିଷଦର ସଭାପତି, ସମ୍ପାଦକ, କର୍ମକର୍ତ୍ତା, ସଂଯୋଜକ ଗଣ ଯୋଗଦାନ କରିଥିଲେ । ପରିଶେଷରେ ସମ୍ବଲପୁର ବିଇଡି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ବୃନ୍ଦାବନ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।