ଶିକ୍ଷା ଓ ଜ୍ଞାନ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ବକୁ ଆଗକୁ ନେବ – ଧର୍ମେନ୍ଦ୍ର ପ୍ରଧାନ


ମେଲବର୍ଣ୍ଣ/ଅଷ୍ଟ୍ରେଲିଆ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ରେେରଲିଆର ମେଲବର୍ଣ୍ଣରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ବସବାସ କରୁଥିବା ଭାରତୀୟମାନଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ ସେଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ୍ ହୋଇ କଥା ହେବା ଖୁସିର ବିଷୟ । ଆମ ପ୍ରବାସୀମାନେ ହେଉଛନ୍ତି ଭାରତର ସଭ୍ୟତାର ସବୁଠାରୁ ବଡ ଏମ୍ବାସେଡର । ଆମର ସଭ୍ୟତାର ମୂଲ୍ୟବୋଧ ଏବଂ ଜ୍ଞାନ ; ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବ । ଶିକ୍ଷା ସମନ୍ୱୟ ଓ ସହଯୋଗ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ମଜଭୂତ କରିବ । ଜ୍ଞାନ ସହଯୋଗ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବାରେ ମୂଳଦୁଆ ହେବ । ଶିକ୍ଷାର ଅନ୍ତର୍ଜାତୀୟକରଣ, ବିଶ୍ୱବିଦ୍ୟାଳୟ ସହ ସଂଯୋଗ, ଗବେଷଣା, ସ୍କିଲିଂ ଏବଂ ପାରସ୍ପିରକ ଛାତ୍ର ବିନିମୟ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ଅଷ୍ଟ୍ରେଲିଆ ଗସ୍ତ କାଳରେ ଶ୍ରୀ ପ୍ରଧାନ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ଭେଟିବା ସହ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସାଉଥ୍ ମେଲବର୍ଣ୍ଣ ପ୍ରାଥମିକ ବିଦ୍ୟାଳୟ ଓ ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ୱେଷଣ କରିବ । ଗତକାଲି ସିଙ୍ଗାପୁରରେ ଶ୍ରୀ ପ୍ରଧାନ ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, ଆମର ଆଇଆଇଟି ଓ ଆଇଆଇଏମ୍ ଗୁଡ଼ିକ ଭାରତର ଜ୍ଞାନ ଶକ୍ତିର ଗୋଟିଏ ଗୋଟିଏ ଉଦାହରଣ । ଆଜିର କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି ଯେ, ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାରେ ଏକ ଉତ୍ପେରକ ହେବ । ‘ଅମୃତ କାଳ’ ଭାରତ ପାଇଁ ଏକ ନିର୍ଣ୍ଣାୟକ ପର୍ଯ୍ୟାୟ । ଏହା ପରିବର୍ତ୍ତନର ଯୁଗ । ବ୍ରାଣ୍ଡ୍ ଭାରତର ପୂର୍ବତନ ଛାତ୍ରଛାତ୍ରୀ-ଏମ୍ବାସେଡରମାନଙ୍କୁ ଭାରତର ମୁହୁର୍ତ୍ତକୁ ଉପଭୋଗ କରିବା ତଥା ନୂତନ ଭାରତର ଅଭିବୃଦ୍ଧି ଯାତ୍ରାରେ ସକ୍ରିୟ ଯୋଗଦାନ ରଖିବା ପାଇଁ ସେ ଆହ୍ୱାନ କରିଥିଲେ ।