Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ମତ୍ସ୍ୟଚାଷକୁ ଅଗ୍ରାଧିକାର ଦେବା ସହ ରୋଜଗାରର ନୂଆ ସୁଯୋଗ ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ମତ୍ସ୍ୟ ପାଳନକୁ ଅଗ୍ରାଧିକାର ଦେବା ସହ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’ ଆରମ୍ଭ କରିଛନ୍ତି । ଆଗାମୀ ବର୍ଷମାନଙ୍କରେ ମତ୍ସ୍ୟ ଉତ୍ପାଦନ ସହ ମାଛ ରପ୍ତାନୀକୁ ଦୁଇଗୁଣା କରିବା ଏବଂ ମତ୍ସ୍ୟ ବିଭାଗ କ୍ଷେତ୍ରରେ ରୋଜଗାରର ଲକ୍ଷ-ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ବିହିତ ପଦକ୍ଷେପ ନେଇଛନ୍ତି ବୋଲି ସୋମବାର ସମ୍ବଲପୁର ଜିଲ୍ଲାର ବହିଦାର ନୂଆପାଲି ଠାରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର ଏକ ନୂତନ ଗୃହ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାଛ ଚାଷ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପରୀକ୍ଷା ନୀରିକ୍ଷା କରିବା ପାଇଁ ଏହି ନୂତନ ଭବନରେ ମତ୍ସ୍ୟ ବିଭାଗର ଜିଲ୍ଲା ଓ ଜୋନାଲ କାର୍ଯ୍ୟାଳୟ ସହିତ ଆକ୍ୱା ଲ୍ୟାବ୍ ଭବନ ମଧ୍ୟ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ମାଛର ସ୍ଥାନ ସ୍ୱତନ୍ତ୍ର । ଅପାର ସମ୍ଭାବନାର ଅଞ୍ଚଳ ହୀରାକୁଦ ଓ ଆଖପାଖ ଅଞ୍ଚଳରେ ଉତ୍ପାଦନ ହେଉଥିବା କୁଡୋ ମାଛର ଚାହିଦା ରାଜ୍ୟ ବାହାରେ ଅଧିକ ରହିଛି । ସେହି ମାଛ ଚାଷକୁ ପ୍ରୋତ୍ସାହନ ଦେବା ଦିଗରେ ମଧ୍ୟ ଆଜିର ନୂତନ ଭବନ ସହାୟକ ହେବ । ଓଡ଼ିଶାରେ ପୂର୍ବ ସରକାର ନାମକୁ ମାତ୍ର ଏହି ସବୁ ବିଭାଗ କାର୍ଯ୍ୟ ପରିଚାଳନା କରୁଥିଲେ । ଏହି କାରଣରୁ ମତ୍ସ୍ୟଚାଷୀମାନେ ଚାଷର ପ୍ରତ୍ୟକ୍ଷ ଲାଭରୁ ବଞ୍ଚିତ ହେଉଥିଲେ । ମାତ୍ର ଓଡ଼ିଶାରେ ବିଜେପିର ନୂଆ ସରକାର ଗଠନ ହେବା ପରେ ରାଜ୍ୟ ଅର୍ଥନୀତିରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଚାଷ ପାଇଁ ବ୍ୟାପକ ସରକାରୀ ପଦକ୍ଷେପ ଗ୍ରହଣ କରାଯାଉଛି । ସମ୍ବଲପୁର, ଦେବଗଡ଼, ବରଗଡ ଜିଲ୍ଲାରେ ମାଛ ଚାଷକୁ ଦୁଇ ଗୁଣିତ କରିବା ପାଇଁ ଆଜି ଏପରି ପଦକ୍ଷେପ ନିଆଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ‘ମତ୍ସ୍ୟ ପାର୍କ’ କରାଯିବାର ଯୋଜନା କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପାଖାପାଖି ୮୦୦ କୋଟି ଟଙ୍କା ବ୍ୟୟରେ ହୀରାକୁଦ କେନାଲକୁ ବିକଶିତ କରିବା ପାଇଁ ଯୋଜନା ହୋଇଛି ।
ଧାନ ଚାଷ, ମତ୍ସ୍ୟଚାଷ, ଗୋପାଳନ, ଛେଳି ଚାଷ ବିଶେଷକରି ଗ୍ରାମୀଣ ଜନସାଧାରଣଙ୍କ ପାଇଁ ଖାଦ୍ୟ, ପୋଷଣ ଏବଂ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇ ରହିଛି । ଏ ଦିଗରେ ବିଜେପିର ଡବଲ ଇଞ୍ଜିନ ସରକାର ସବୁ ବର୍ଗର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ସୁଭଦ୍ରା ଯୋଜନାରେ ସରକାରଙ୍କ ଠାରୁ ସହାୟତା ପାଉଥିବା ମହିଳାମାନେ ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ଭଳି ଏହି ସବୁ ଚାଷକୁ ପ୍ରୋତ୍ସାହନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କ ଆୟ ବଢିଲେ ପରିବାର ଓ ସମାଜ ଏବଂ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହେବ । ୨୦୩୬ ମସିହା ସୁଦ୍ଧା ମାଛ ଉତ୍ପାଦନରେ ଆମ ରାଜ୍ୟ ୧ ନମ୍ବର ରାଜ୍ୟରେ ପରିଣତ ହେବା ଲକ୍ଷ୍ୟରେ କାମ କରିବାକି ଆହ୍ୱାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଓ ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।